ବାମରା: ଗତ ୨ ଦିନ ମଧ୍ୟରେ ବାମରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ହାତୀପଡ଼ା, ନୂଆପଡ଼ା, ତୁରୀପଡ଼ା, ସିଶାଲ ଫାର୍ମ ପଡ଼ା, ଷ୍ଟେସନ ବସ୍ତି, ବିଜୁ ପଟ୍ଟନାୟକ ଛକ ଓ ବସଷ୍ଟାଣ୍ଡ୍‌ ଅଞ୍ଚଳରେ ଗୋଟିଏ ପାଗଳ କୁକୁର କାମୁଡ଼ାରେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩/୪ ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଙ୍କ ମଧ୍ୟରେ ନୁରୁଜ ଜମଇ, ଶ୍ରୀମନ୍ତ ମହାନ୍ତି, ମୋନିକା ଧରେଇ, ସନ୍ତୋଷ କିଷାନ, ରମେଶ ମାଝୀ, ଲୁଙ୍କେଶ୍ୱର ଘାସି, ସୃଷ୍ଟି ରାଜହଂସ, ଅଜୟ ରାଜହଂସ, ସୁବ୍ରତ ଜେନା, ଅବନୀ ପ୍ରଧାନ, ପଟ୍ଟନାୟକ ମିଞ୍ଜଙ୍କ ସମେତ ଅନ୍ୟମାନେ ରହିଛନ୍ତି। ସମସ୍ତ ଆହତଙ୍କୁ ଗୋବିନ୍ଦପୁର ସିଏଚ୍‌ସିରେ ଚିକିତ୍ସା କରାଯାଇ ପ୍ରତିଷେଧକ ଟିକା ପ୍ରଦାନ କରାଯାଇଛି। କେତେକଙ୍କୁ ସୁନ୍ଦରଗଡ଼ ସଦର ଡାକ୍ତରଖାନାକୁ ରେଫର କରାଯାଇଛି। ବାମରା ଛଡ଼ା କୁଟାରିମାଲ ପଞ୍ଚାୟତ ଘୁମୁଣ୍ଡୁମାଲ, ତପଗୁଞ୍ଜା ଗ୍ରାମରେ ବି କୁକୁର କାମୁଡ଼ାରେ ଲୋକେ ଆହତ ହୋଇଛନ୍ତି।

Advertisment

ପ୍ରକାଶଥାଉ କି ଗତ ୨୦୦୬ ମସିହାରେ ମଧ୍ୟ ବାମରା ତଥା ଆଖପାଖ ଅଞ୍ଚଳରେ କୁକୁର କାମୁଡ଼ା ଘଟଣା ଏକ ମୁଖ୍ୟ ପ୍ରସଙ୍ଗ ହୋଇଥିଲା। ଯେଉଁଥିରେ ପ୍ରାୟ ୭୫ ଜଣ ଆହତ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଥିଲା। ଉକ୍ତ ଘଟଣା ରାଜଧାନୀ ଦିଲ୍ଲୀ ପର୍ଯ୍ୟନ୍ତ ପହଞ୍ଚିବା ପରେ ତତ୍କାଳୀନ କେନ୍ଦ୍ର ମନ୍ତ୍ରୀ ମାନେକା ଗାନ୍ଧୀ ହସ୍ତକ୍ଷେପ କଲାପରେ ଯାଇ ଏଥିରେ ଲଗାମ ଲାଗିଥିଲା।