ଆର୍‌ଏସ୍‌ପିରେ କାମୁଡ଼ା କୁକୁର ଆତଙ୍କ : ଗୋଟିଏ କୁକୁର ଘାଇଲା କଲା ୧୨ଙ୍କୁ

ରାଉରକେଲା : ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି)ରେ କାମୁଡା କୁକୁର ଆକ୍ରମଣରେ ଜଣେ ମହିଳାଙ୍କ ସମେତ ୧୨ କର୍ମଚାରୀ ଆହତ ହୋଇଛନ୍ତି। ଗତକାଲି ରାତି ଓ ଆଜି କାମୁଡା କୁକୁର କୋଲ୍‌ଡ ରୋଲ ମିଲ୍‌ (ସିଆର୍‌ଏମ୍‌), ଏଚ୍‌ଆର୍‌ଡିସି, ପ୍ଲେଟ ମିଲ୍‌ (ପିଏମ୍‌), ହଟ୍‌ଷ୍ଟ୍ରିପ ମିଲ୍‌ (ଏଚ୍‌ଏସ୍‌ଏମ୍‌), ସେଣ୍ଟ୍ରାଲ ପାୱାର ପ୍ଲାଣ୍ଟ (ସିପିପି)-୧ ବ୍ଲାଷ୍ଟ ଫର୍ଣ୍ଣେସ, କୋକୋ ଓଭେନ୍‌ ଆଦି ବିଭାଗରେ କାର୍ଯ୍ୟରତ କର୍ମଚାରୀଙ୍କୁ ଗୋଡାଇ ଗୋଡାଇ ଜଙ୍ଘ ଓ ଗୋଡକୁ କାମୁଡିଥିଲା। ଆହତ ମାନେ ହେଲେ ସିଆରଏମ୍‌ର ହୀରାଲାଲ ପାଣ୍ଡେ, ଏଚ୍‌ଆର୍‌ଡିସିର ବି.କରନ୍‌, ପିଏମ୍‌ର ସବିତା ପ୍ରସାଦ, ଏସ୍‌ଏସ୍‌ଏମର ପି. ମିରିଗି, ଏଚ୍‌ଏସ୍‌ଏମର ବିଶେଶ୍ବର ପ୍ରଧାନ, ବ୍ଲାଷ୍ଟ ଫର୍ଣ୍ଣେସର ବି. ଏକ୍କା, କୋକୋ ଓଭେନ୍‌ର ସୁଶାନ୍ତ ସେଠୀ, ପିପି -୧ ଶିବରାମ ବେହେରା। ସେମାନଙ୍କୁ କାରଖାନା ଭିତରେ ପ୍ରାଥମିକ ଚିକିତ୍ସା ପରେ ଇସ୍ପାତ ଜେନେରାଲ ହସ୍ପିଟାଲ (ଆଇଜିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ୯ଜଣଙ୍କୁ ଚିକିତ୍ସା ପରେ କୁକୁର କାମୁଡା ଇଞ୍ଜେକ୍ସନ ଦିଆଯାଇ ହସ୍ପିଟାଲରୁ ଛଡାଯାଇଛି। ଅନ୍ୟ ୩ଜଣ ଏବେ ବି ଚିକିତ୍ସିତ ହେଉଛନ୍ତି। ହସ୍ପିଟାଲରେ କୁକୁର କାମୁଡା ଇଞ୍ଜେକ୍ସନ ନଥିବାରୁ କର୍ମଚାରୀଙ୍କ ଭିତରେ ଅସନ୍ତୋଷ ଦେଖା ଦେଇଥିଲା। ହସ୍ପିଟାଲ କର୍ତ୍ତୃପକ୍ଷ ବାହାରୁ କୁକୁର କାମୁଡା ଇଞ୍ଜେକ୍ସନ ଆଣିବା ପରେ ଆହତ କର୍ମଚାରୀଙ୍କୁ ଦିଆଯାଇଥିଲା। ସେପେଟେ କାମୁଡା କୁକୁରକୁ କାବୁ କରିବାକୁ ଆର୍‌ଏସ୍‌ପି କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶକ୍ରମେ ତିନିଟି ସ୍କ୍ବାର୍ଡ ଗଠନ ହୋଇଥିଲା। ଟିମ୍‌ର ସଦସ୍ୟ ଓ ସିଆଇଏସ୍‌ଏଫ୍‌ ଯବାନମାନେ କାମୁଡା କୁକୁର ଧରିବାକୁ ପୂର୍ବାହ୍ନ ପ୍ରାୟ ୯ଟାରୁ ତଲାସି ଅଭିଯାନ ଆରମ୍ଭ କରିଥିଲେ। କୁକୁର ଧରିବା ପରେ ମାରି ଦେଇଥିଲେ।

ସମ୍ବନ୍ଧିତ ଖବର