ନାଲକୋ ନଗର: ରାସ୍ତାକଡ଼ରେ ପଡ଼ିଥିବା ନବଜାତ ଶିଶୁକନ୍ୟାକୁ ବୁଲା କୁକୁର ଝୁଣିଝୁଣି ଖାଇଛି। ଅନଗୁଳ ବ୍ଲକ ଶରଧାପୁର ପଞ୍ଚାୟତକୁ ଯିବା ରାସ୍ତାରେ ରବିବାର ଅପରା୍‌ହ୍‌ଣରେ ଏକ ନିଛାଟିଆ ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍‌ଣ ୪ଘଟିକା ସମୟରେ ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳର ଜଣେ ଯୁବକ ବାଇକ୍‌ ଯୋଗେ ଯାଉଥିବା ବେଳେ ନବଜାତ ଶିଶୁକୁ ଏକ ବୁଲା କୁକୁର ଖାଉଥିବାର ଦେଖି ଅଟକି ଯାଇଥିଲେ। ବାଇକ୍‌ ଆରୋହୀ ବ୍ୟକ୍ତି କୁକୁରକୁ ଘଉଡାଇ ଦେଇଥିଲେ। ପରେ ସେ ସମାଜସେବୀ ଚିନ୍ମୟୀ ଦାସଙ୍କୁ ଫୋନ ଯୋଗେ ଅବଗତ କରିଥିଲେ। ଚିନ୍ମୟୀ ଦାସଙ୍କ ସୂଚନା ଅଧାରରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଥିଲା। ମାତ୍ର ଆମ୍ବୁଲାନ୍ସଟି ବିଳମ୍ବରେ ପହଞ୍ଚିଲା ବେଳକୁ ନବଜାତ ଶିଶୁର ଜୀବନ ଆଉ ନଥିଲା। ଅନୁଗୁଳ ପୁଲିସ ନବଜାତ ଶିଶୁର ମୃତଦେହକୁ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ମୃତ ଶରୀରରକୁ ଅନୁଗୁଳ ଶବ ସଂରକ୍ଷଣ ଗୃହରେ ରଖା ଯାଇଥିବା ଜଣାପଡିଛି। ତେବେ ନବଜାତ ଶିଶୁକୁ କେହି ଜଣେ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।