ବିରଳ ମାତୃପ୍ରେମ: ଛେଳିଛୁଆଙ୍କୁ କ୍ଷୀର ଦେଉଛି କୁକୁର

ରାଇରଙ୍ଗପୁର: ମାଆ ଛେଳି ଛୁଆଙ୍କୁ ଛାଡ଼ି ଚାଲିଗଲା। ମାଲିକ ‌ଦେଉଥିବା ପେଜ ପିଇ ଛୁଆ ଦି’ଟା ଜୀବନ ବଞ୍ଚାଇଥିଲେ। ଏପରି ସମୟରେ ଏକ ବୁଲା କୁକୁର ନିଜ ଛୁଆ ସହ ସେମାନଙ୍କୁ ମଧ୍ୟ କ୍ଷୀର ଦେଉଥିବା ଏବଂ ଛେଳିଛୁଆମାନେ କୁକୁର ଠାରୁ କ୍ଷୀର ପିଉଥିବା ଭଳି ମାର୍ମିକ ଦୃଶ୍ୟ ଦେଖିବାକୁ ମିଳିଥିଲା।

ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ୍‌ ଅନ୍ତର୍ଗତ ମଧୁପୁର ଗ୍ରାମର ଏ ଚିତ୍ର। ସପ୍ତାହେ ତଳେ ଗ୍ରାମର ରାଗା ଅଙ୍କୁରା ବାଗେଙ୍କ ଏକ ଛେଳି ୨ଟି ଛୁଆ ଜନ୍ମ ଦେଇଥିଲା। ତେବେ ଜନ୍ମ ଦେବା ପରେ ମାଆ ଛେଳିର ମୃତ୍ୟୁ ହେଲା। ଛୁଆଗୁଡ଼ିକର ଜୀବନ ବଞ୍ଚାଚାଇବା ପାଇଁ ବାଗେବାବୁ ସେମାନଙ୍କୁ ପେଜ ଓ ତୋରାଣି ଦେଉଥିଲେ। ହେଲେ ‌ତାହା ସେମାନଙ୍କୁ ରୁଚୁ ନ ଥିଲା। ଏପରି ସମୟରେ ଦିନେ ଦେଖାଗଲା ଗ୍ରାମର ଏକ ବୁଲା କୁକୁର ନିଜ ଛୁଆଙ୍କ ସହ ଉକ୍ତ ଛେଳିଛୁଆଙ୍କୁ ସ୍ତନରୁ କ୍ଷୀର ପିଆଉଛି। କେବଳ ଗୋଟିଏ ଦିନ ନୁହେଁ, ପ୍ରାୟ ସବୁଦିନ ସେହି କୁକୁରଟି ଆସି ଛେଳିଛୁଆଙ୍କୁ କ୍ଷୀର ଦେଉଛି। ଏମିତି ଏକ ଦୃଶ୍ୟ ବାଗେବାବୁଙ୍କ ସହ ଗ୍ରାମବାସୀଙ୍କୁ ହତବାକ କରିଦେଇଥିଲା। ଗ୍ରାମବାସୀ କୁକୁର ଠାରୁ ଛେଳିଛୁଆ କ୍ଷୀର ପିଇବା ଦୃଶ୍ୟ ମୋବାଇଲ୍‌ରେ ରେକର୍ଡିଂ କରି ବିଭିନ୍ନ ସାମାଜିକ ଗଣମାଧ୍ୟମରେ ଅପ୍‌ଲୋଡ୍‌ କରିଛନ୍ତି। ଯାହା ଏବେ ଭାଇରାଲ୍‌ ହେବାରେ ଲାଗିଛି।

ତେବେ ଏହି ଦୃଶ୍ୟ ଅନେକଙ୍କୁ ସାଧାରଣ ଲାଗିପାରେ। ହେଲେ ଏହା ବିରଳ। ମାତୃପ୍ରେମ ଓ ଭଲପାଇବାର ଏହାଠାରୁ ବଡ଼ ନିଦର୍ଶନ ହୁଏତ ଆଉ କିଛି ହୋଇ ନ ପାରେ। କୁକୁରଟି ଯେଉଁ କାମ କରିଛି, ତାହା ସଭ୍ୟ ସମାଜ ପାଇଁ ଏକ ବଡ଼ ସଂଦେଶ।

ସମ୍ବନ୍ଧିତ ଖବର