କୁକୁରର ପ୍ରଭୁଭକ୍ତି: ୩ଦିନ ଧରି ମାଲିକଙ୍କ ଶବକୁ ଜଗିଲା, ଶବକୁ କାନ୍ଧଦେଲେ ଥାନାବାବୁ

କୋଇଡ଼ା: କୁକୁରର ପ୍ରଭୁଭକ୍ତି ପ୍ରସଙ୍ଗରେ କିଛି ସନ୍ଦେହ ନାହିଁ। ସଭ୍ୟତାର ଆରମ୍ଭରୁ ଏହାକୁ ନେଇ ଅସଂଖ୍ୟ ଉଦାହରଣ ରହିଛି। ସେଥିରେ ଯୋଡ଼ି ହୋଇଯାଇଛି ସୁନ୍ଦରଗଡ଼ ଜିଲ୍ଲାର ଖଣିଅଞ୍ଚଳ କୋଇଡ଼ା ବ୍ଲକର କେ.ବଲାଙ୍ଗ ଥାନା ଅନ୍ତର୍ଗତ ବିମଳାଗଡ଼ ବଜାରର ଏକ ଘଟଣା। ଗତ ଜାନୁଆରି ୨୫ରେ ଘଟିଥିବା ଏ ଘଟଣା ଏବେ ରାଜ୍ୟବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି।

ବିମଳାଗଡ଼ ବଜାରରେ ଏହି ବୃଦ୍ଧ ଭିକାରି କିଛିଦିନ ପୂର୍ବରୁ ଭିକ୍ଷାବୃତ୍ତି କରି ରହି ଆସୁଥିଲେ। ଏକ ପରିତ୍ୟକ୍ତ ଗୃହରେ ସେ ରହୁଥିବାବେଳେ ସାଥୀରେ ରହୁଥିଲା ଏକ କୁକୁର। କୁକୁରଟି ସଦାବେଳେ ତାଙ୍କ ସାଥୀରେ ବୁଲୁଥିଲା। କିଛିଦିନ ଧରି ସ୍ଥାନୀୟ ଦୋକାନୀମାନେ ବୃଦ୍ଧ ଭିକାରିକୁ ଦେଖିବାକୁ ପାଇ ନଥିଲେ। ତେବେ, ସେମାନେ ସେ ଦିଗକୁ ବିଶେଷ ନଜର ଦେଇ ନଥିଲେ। ଜାନୁଆରି ୨୫ରେ କେ.ବଲାଙ୍ଗ ଥାନାଧିକାରୀ ବିକାଶ ରଂଜନ ସ୍ବାଇଁ ବିମଳାଗଡ଼ ବଜାରର ଏକ ପରିତ୍ୟକ୍ତ ଗୃହରେ ଏକ ଶବ ପଡ଼ିଥିବା ଖବର ପାଇଥିଲେ। ସେଠାରେ ପହଞ୍ଚିବା ପରେ ଶବଟି ସେହି ଭିକାରିଙ୍କର ବୋଲି ଜଣାପଡ଼ିଥିଲା। ପରୀକ୍ଷାନିରୀକ୍ଷା ପରେ ଭିକାରିର ମୃତ୍ୟୁ ୨-୩ ଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଲା। ଆଶ୍ଚର୍ଯ୍ୟର ବିଷୟ ହେଉଛି, ଭିକାରିଙ୍କ ମୃତ୍ୟୁପରେ ତାଙ୍କ ସାଥୀରେ ବୁଲୁଥିବା କୁକୁର ଦୁଇ ତିନିଦିନ ଧରି ଶବକୁ ଜଗି ରହିଥିଲା। ନିଜେ ଭୋକ ଓପାସରେ ରହି କୁକୁରଟି ଶବକୁ ଜଗି ବସିଥିଲା। ଏହାପରେ କେ. ବଲାଙ୍ଗ ଥାନାଧିକାରୀ ଶ୍ରୀ ସ୍ୱାଇଁ ଓ ଅଞ୍ଚଳର କିଛି ସ୍ବେଚ୍ଛାସେବୀ ମିଶି ହିନ୍ଦୁ ପରମ୍ପରା ଅନୁଯାୟୀ ମଶାଣିକୁ ନେଇ ଶବସତ୍କାର କରିଥିଲେ। ଶବକୁ କୁକୁର ଜଗିରହିବା ଓ ଶବକୁ ଥାନାବାବୁ କାନ୍ଧଦେବା ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ପ୍ରଶଂସା ସାଉଁଟୁଛି।

ସମ୍ବନ୍ଧିତ ଖବର