ମାଲିକ ପାଇଁ ଜୀବନ ଦେଲା : ସାପକୁ ମାରି ଦୁଇ ଶିଶୁଙ୍କୁ ବଞ୍ଚାଇଲା ଲାଡେନ୍‌

ଭୁବନେଶ୍ବର: ପୋର୍ଟିକୋରେ ଖେଳୁଥିବା ଦୁଇ ଶିଶୁଙ୍କ ପାଖକୁ ହଠାତ୍ ମାଡ଼ି ଆସିଥିଲା ଏକ ବିଶାଳ ନାଗ। ଆଉ ମାତ୍ର କେଇ ଗଜ ଦୂରତା ପରେ କିଛି ବି ଅଘଟଣ ଘଟିବାର ଆଶଙ୍କା ଥିଲା। ମାତ୍ର ଚେନ୍‌ରେ ବନ୍ଧା ହୋଇଥିବା ସତ୍ତ୍ବେ ପୋଷା କୁକୁର ଲାଡେନ୍‌ ନାଗ ଉପରକୁ ଲମ୍ଫ ମାରିଥିଲା। କିଛି ସମୟ ଧରି ଚାଲିଲା ସାପ ଆଉ ଲାଡେନ୍‌ ମଧ୍ୟରେ ଘମାଘୋଟ ଲଢ଼େଇ। ଆଉ ଲାଡେନ୍‌ ସାପକୁ କାମୁଡ଼ି କାମୁଡ଼ି ମାରି ପକାଇଥିଲା। ତେ‌ବେ ସର୍ପ ଦଂଶନ ବି ତାକୁ ମୃତ୍ୟୁମୁଖକୁ ଠେଲି ଦେଇଥିଲା। ମାଲିକଙ୍କ ଦୁଇ ଶିଶୁଙ୍କୁ ବଞ୍ଚାଇବାକୁ ଲାଡେନ୍‌ର ଏଭଳି ଘଟଣାଟି ସ୍ଥାନୀୟ ଯାଁଳା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଘଟଣାଟି ଥିଲା ଏମିତି: ମୁଣ୍ଡମୁହାଁଣ ଗାଁର ସୁନୀଲ କୃଷ୍ଣ ସାମନ୍ତରାୟଙ୍କ ପୋଷା କୁକୁର ହେଉଛି ଲାଡେନ୍। ଗତକାଲି ସନ୍ଧ୍ୟାରେ ସୁନୀଲଙ୍କ ନାତି ସୋମ୍‌(୩) ଓ ନାତୁଣି ପ୍ରାଚୀ(୬) ପୋର୍ଟିକୋ ତଳେ ଖେଳୁଥିଲେ। ଅଗଣାରେ ପରିବାରର ଅନ୍ୟମାନେ ବସିଥିଲେ। ଲାଡେନ୍‌ ସେଇଠି ଚେନ୍‌ରେ ବନ୍ଧା ହୋଇଥିଲା। ହଠାତ୍ ଏକ ପାଞ୍ଚ ଫୁଟିଆ ନାଗ ସାପ କେଉଁଆଡ଼ୁ ଅଗଣାକୁ ପଶି ଆସିଥିଲା। ପରିବାର ଲୋକେ ଏତେ ବଡ଼ ସାପକୁ ଦେଖି ଭୟରେ ଚିତ୍କାର କରିଥିଲେ। ମାତ୍ର ନାଗଟି ସେମିତି ସିଧାସଳଖ ପୋର୍ଟିକୋ ତଳକୁ ମାଡ଼ି ଚାଲିଥିଲା। ପ୍ରାଚୀ ବିକଳରେ କୁନି ଭାଇ ସୋମ୍‌କୁ ଜାବୁଡ଼ି ଧରି କାନ୍ଦିବାକୁ ଲାଗିଥିଲା। ତେବେ ଲାଡେନ୍‌ କାଳବିଳମ୍ବ ନକରି ସିଧାସଳଖ ନାଗ ଉପରକୁ ଡେଇଁପଡ଼ିଲା। ଚେନ୍‌ରେ ବନ୍ଧା ହୋଇଥିଲେ ବି ସାପକୁ କାମୁଡ଼ି ଧରି ପକାଇଥିଲା ଓ ତଳେ କଚାଡ଼ିବାରେ ଲାଗିଥିଲା। ଦାନ୍ତରେ କାମୁଡ଼ି ଧରି ପ୍ରାୟ ୧୦/୧୨ଥର ବୁଲାଇବା ପରେ ଲାଡେନ୍‌ ନାଗକୁ ତଳେ ପକାଇ ଦେଇଥିଲା। ସେତେବେଳକୁ ନାଗଟି ମରି ଯାଇଥିଲା। ସାପ ଦଂଶନରେ କାଳେ ଲାଡେନ୍‌ର କିଛି କ୍ଷତି ହୋଇଥିବ ଭାବି ସୁନୀଲ ତାକୁ ହସ୍ପିଟାଲ ନେବାକୁ ବାହାରି ପଡ଼ିଥିଲେ। ମାତ୍ର ପ୍ରସ୍ତୁତ ହୋଇ ଘରୁ ବାହାରିବା ପୂର୍ବରୁ ଲାଡେନ୍‌ ତଳେ ପଡ଼ି ଯାଇଥିଲା ଓ ମାତ୍ର କେଇ ମିନିଟ୍‌ରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲା।

ସମ୍ବନ୍ଧିତ ଖବର