ପ୍ରାଣୀଧନ ଜନ୍ମ ନିୟନ୍ତ୍ରଣ (ଏବିସି) ବା କୁକୁର ବନ୍ଧ୍ୟାକରଣ ଯୋଜନାକୁ ହାଇକୋର୍ଟଙ୍କ ଛାଟ ଲାଗିଛି। ଅନିର୍ଦ୍ଦିଷ୍ଟ କାଳ ପାଇଁ ଏହି କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଛି। ହାଇକୋର୍ଟରେ ୩ଟି ତାରିଖ ଗଡ଼ିବା ପରେ ଆଉ ତାରିଖ ମିଳିନାହିଁ। ଏଣୁ ଏହି କାର୍ଯ୍ୟକ୍ରମ ଅନିଶ୍ଚିତତା ଭିତରକୁ ଠେଲି ହୋଇ ଯାଇଛି। ଫଳରେ ଭୁବନେଶ୍ବର ରାସ୍ତାଘାଟରେ ଚାଲିଥିବା ବୁଲା କୁକୁରଙ୍କର ରାଜ୍‌ ବଢ଼ିବା ନିଶ୍ଚିତ ହୋଇ ଯାଇଛି। ୨୦୧୧ ମସିହାରୁ ରାଜ୍ୟରେ ଏହି ଏବିସି କାର୍ଯ୍ୟକ୍ରମ ଚାଲିଥିଲା। କିନ୍ତୁ ଏହା ସଫଳ ହେଲାନାହିଁ। ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଲେ ମଧ୍ୟ କୁକୁରଙ୍କ ସଂଖ୍ୟା କମିଲାନି। ବରଂ ଉତ୍ପାତ ବଢ଼ି ବଢ଼ି ଚାଲିଲା। ବାସ୍ତବରେ ଏହି କାର୍ଯ୍ୟକ୍ରମ ପାଇଁ ଯେଉଁ ସରକାରୀ ନିର୍ଦ୍ଦେଶାବଳୀ ରହିଛି, ତାହା ରାଜ୍ୟ ସରକାର ପାଳନ କରିନଥିଲେ। ରାଜ୍ୟ, ଜିଲ୍ଲା ଓ ପୌର ସଂସ୍ଥା ଅଧୀନରେ ୩ଟି ମନିଟିରିଂ କମିଟି ହେବା କଥା। କେଉଁମାନେ ଏଥିରେ ରହିବେ ସେ କଥା ନିର୍ଦ୍ଦେଶାବଳୀରେ ସ୍ପଷ୍ଟ କରାଯାଇଛି। କିନ୍ତୁ କମିଟି ରହିଲେ ଯୋଜନାରୁ ଅର୍ଥ ହରିଲୁଟ୍‌ କରିବା ସମ୍ଭବ ନ ହେବା ଆଶଙ୍କା ଥିବାରୁ, ଏହି କମିଟି ଗଠନ କରାଯାଇନଥିବା ଅଭିଯୋଗ ହୋଇଥିଲା। ଏ ନେଇ ଆଇନଜୀବୀ ବିଶ୍ବଜିତ ପ୍ରଧାନ ହାଇକୋର୍ଟର ଦ୍ବାରସ୍ଥ ହେବା ସହ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ। ଏହି କାର୍ଯ୍ୟକ୍ରମରେ ନିର୍ଦ୍ଦେଶାବଳୀ ପାଳନ ହୋଇନଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇବା ପରେ ହାଇକୋର୍ଟ ସାରା ରାଜ୍ୟରେ କାର୍ଯ୍ୟକ୍ରମ ବନ୍ଦ ରଖିବାକୁ ସରକାରଙ୍କୁ ଆଦେଶ ଦେଇଥିଲେ ଓ ଏହାର ପ୍ରଥମ ଶୁଣାଣି ଜୁଲାଇ ୨୧ ତାରିଖରେ ରିପୋର୍ଟ ଉପସ୍ଥାପନ କରିବାକୁ କହିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ତଥ୍ୟ ଉପସ୍ଥାପନ କରା ନଯାଇ ସମୟ ମାଗିବାରୁ ପରବର୍ତ୍ତି ଶୁଣାଣି ଅଗଷ୍ଟ ୩୧ ତାରିଖକୁ ଯାଇଥିଲା। ଅଗଷ୍ଟ ୩୧ରେ ମଧ୍ୟ କୋର୍ଟ ତଲବ କରିଥିବା ତଥ୍ୟ ଉପଲବ୍ଧ ନ ହେବାରୁ ପୁଣି ତାରିଖ ସେପ୍ଟେମ୍ବର ୩୦କୁ ଘୁଞ୍ଚିଥିଲା। ଏହି ତାରିଖରେ ମଧ୍ୟ ସରକାର କୌଣସି ତତ୍ପରତା ପ୍ରକାଶ ନ କରିବାରୁ ହାଇକୋର୍ଟଙ୍କ ପକ୍ଷରୁ ତାରିଖ ଦିଆଗଲା ନାହିଁ। ବରଂ ପୂର୍ବରୁ ଏହି କାର୍ଯ୍ୟକ୍ରମ ଉପରେ ଯେଉଁ ରୋକ୍‌ ଲାଗିଥିଲା ତାହା ବଳବତ୍ତର ରହିଲା ବୋଲି ସ୍ପଷ୍ଟ କରାଯାଇଥିଲା। ଫଳ‌ରେ ଏହି ଜନହିତକର କାର୍ଯ୍ୟକ୍ରମ କେବେ ହେବ ତାହା ଅନିଶ୍ଚିତତା ଭିତରେ ରହିଛି।

Advertisment

ଏଣେ ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଭିତ୍ତିଭୂମି ଖତ ଖାଉଛି। ମଞ୍ଚେଶ୍ବରରେ ଥିବା କର୍ମଜୀବୀ ମହିଳା ହଷ୍ଟେଲ୍‌ରେ ୧୦ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ଯେଉଁ ହସ୍‌ପିଟାଲ୍‌ ତିଆରି ହେଉଥିଲା, ତାହା କାମରେ ଲାଗିବା ପୂର୍ବରୁ ବନ୍ଦ ହୋଇଯାଇଛି। ବନ୍ଧ୍ୟାକରଣ କରୁଥିବା ସଂସ୍ଥା(ଭେଟ୍‌ ଫର ଆନିମଲ୍ସ) ଦିନକୁ ୩୦ କୁକୁର ହିସାବରେ ମାସକୁ ୯୦୦ କୁକୁର ପାଇଁ ୧୪ ଲକ୍ଷ ୮୫ ହଜାର ଟଙ୍କା ନେବାକୁ ଧାର୍ଯ୍ୟ ହୋଇଛି। ବନ୍ଧ୍ୟାକରଣ ବନ୍ଦ ହେବାର ୩ ମାସ ୧୫ ଦିନ ପୂରିଛି। ଅର୍ଥାତ୍‌ ୩ ମାସରେ ସଂସ୍ଥା ୪୩ ଲକ୍ଷ ହରାଇ ସାରିଲାଣି। ଏଥିରେ ନିୟୋଜିତ ଡାକ୍ତର, କର୍ମଚାରୀ, ଆମ୍ବୁଲାନ୍ସ ଖର୍ଚ୍ଚ ବହନ କରିବା ସଂସ୍ଥା ପକ୍ଷରେ ଅସମ୍ଭବ ହୋଇପଡ଼ିଲାଣି। ହାତରୁ ଦରମା ଦେଇ କର୍ମଚାରୀଙ୍କୁ ଆଉ କେତେ ଦିନ ରଖି ହେବ ବୋଲି ଠିକାସଂସ୍ଥା ପ୍ରଶ୍ନ କରିଛି। ଯଦି ସଂସ୍ଥା ଚୁକ୍ତି ଖିଲାପ କରି ଚାଲିଯାଏ, ତେବେ ବନ୍ଧ୍ୟାକରଣ ଉପରୁ କଟକଣା ହଟିଲେ ମଧ୍ୟ ପୁଣି ଥରେ ଠିକାସଂସ୍ଥା ଖୋଜି କାମ ଆରମ୍ଭ କରିବା ବିଳମ୍ବ ହେବ। ଏଣୁ ଏହି କାର୍ଯ୍ୟକ୍ରମ ଏକ ପ୍ରକାର ଅନ୍ଧାରକୁ ଠେଲି ହୋଇ ଯାଇଛି। ଫଳରେ ରାଜଧାନୀବାସୀଙ୍କ ସମସ୍ୟା ଆହୁରି ଜଟିଳ ହେବା ଥୟ ହୋଇଛି। ଏଭଳି ସ୍ଥିତିରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ କିଭଳି ଚୁପ୍‌ ବସିଛି ବା ମାମଲାର ତ୍ବରିତ ଫଏସଲା ପାଇଁ ଉଦ୍ୟମ କରୁନାହିଁ, ତାହା ଆଶ୍ଚର୍ଯ୍ୟ କରୁଛି।

publive-image

ବିଏମ୍‌ସିର ହିସାବ ମୁତାବକ, ଭୁବନେଶ୍ବରରେ ବର୍ଷକୁ ପ୍ରାୟ ୩୦୦୦ କୁକୁର ଛୁଆ ଜନ୍ମ ହେଉଛନ୍ତି। ଏବେ ଭୁବନେଶ୍ବରରେ ୬୦ ହଜାର କୁକୁର ଅଛନ୍ତି। ଗ୍ଲୋବାଲ୍‌ ଟେଣ୍ଡର ଜରିଆରେ ମହାରାଷ୍ଟ୍ରର ‘ଭେଟ୍‌ ଫର ଆନିମଲ୍ସ’ ସଂସ୍ଥା ଚୟନ କରାଯାଇ ତା’କୁ ବନ୍ଧ୍ୟାକରଣ ଦାୟିତ୍ବ ଦିଆଯାଇଥିଲା। ପୂର୍ବରୁ କୁକୁର ପିଛା ୫୦୦ ଟଙ୍କା ଖର୍ଚ୍ଚ ରହିଥିବା ବେଳେ ‘ଆନିମଲ୍‌ ୱେଲ୍‌ଫେୟାର ବୋର୍ଡ ଅଫ୍‌ ଇଣ୍ଡିଆ’ କୁକୁର ପିଛା ଅପରେସନ ଖର୍ଚ୍ଚ ୧୬୫୦ ଟଙ୍କା ସ୍ଥିର କରିଛି। ଗତ ଏପ୍ରିଲ ମାସରୁ ଭୁବନେଶ୍ବରରେ ଏହି ନୂଆ ବ୍ୟବସ୍ଥାରେ ଅପରେସନ ଚାଲିଥିଲା। କିନ୍ତୁ ଜୁଲାଇ ମାସରେ ଏହାକୁ ହାଇକୋର୍ଟଙ୍କ ଛାଟ ବାଜିଛି। ପ୍ୟୁପୁଲ୍‌ ଫର ଆନିମଲ୍‌ ସମ୍ପାଦକ ଜୀବନ ଦାସ କହିଛନ୍ତି, ୨୦୧୯ ପ୍ରାଣୀଧନ ଗଣନା ରିପୋର୍ଟ କହୁଛି ବୁଲା କୁକୁର ସଂଖ୍ୟାରେ ଓଡ଼ିଶା ସାରା ଭାରତବର୍ଷରେ ଦୁଇ ନମ୍ବରରେ ରହିଛି। ଓଡ଼ିଶାରେ ବୁଲା କୁକୁରଙ୍କ ସଂଖ୍ୟା ହେଉଛି ୧୭ ଲକ୍ଷ। ଭୁବନେଶ୍ବରରେ ୫୦ରୁ ୬୦ ହଜାର ହେବେ। ଏମାନଙ୍କର ସଂଖ୍ୟା କମାଇବା ପାଇଁ ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ବିଭାଗ ପକ୍ଷରୁ ରାଜ୍ୟର ୧୨ଟି ସହରାଞ୍ଚଳରେ ଏହି ଏବିସି କାର୍ଯ୍ୟକ୍ରମ କରା ଯାଇଥିଲା। କିନ୍ତୁ ସରକାରୀ ଗାଇଡ୍‌ଲାଇନ୍‌ ପାଳନ କରାଯାଇନଥିଲା। ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହେବା ପରେ ସରକାରଙ୍କ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତୁରନ୍ତ ସତ୍ୟପାଠ ଦାଖଲ କରି ମନିଟରିଂ କମିଟି ଗଠନ କରିବା କଥା। କିନ୍ତୁ କାହିଁକି କରୁନାହିଁ, କଣ ଉଦ୍ଦେଶ୍ୟ ଅଛି ତାହା ରହସ୍ୟରେ।

କୁକୁର ଆଡ଼କୁ ଚାହାଁନ୍ତୁ ନାହିଁ
କୁକୁର ଦେଖିଲେ ଚାହିଁବେନି, ଆଖିରେ ଆଖି ମିଶାଇବେନି। ଅନେକ ସମୟରେ କୁକୁରଙ୍କ ଆଖି ସହିତ ଆପଣଙ୍କ ଆଖି ମିଶିଗଲେ, ସେ ଭୟଭୀତ ହୋଇ କାମୁଡ଼ି ପକାଏ ବୋଲି କହିଛନ୍ତି ଓୟୁଏଟି ପ୍ରଫେସର ସୁଶାନ୍ତ ଦାସ। ସେ କହିଛନ୍ତି, ତାମିଲନାଡ଼ୁ ବ୍ୟତୀତ ଦେଶରେ ଦେଶୀ କୁକୁରଙ୍କୁ ନେଇ ଆଖିଦୃଶିଆ କୌଣସି ଗବେଷଣା ହୋଇନାହିଁ। ଓଡ଼ିଶାରେ ଦେଶୀ, ବିଦେଶୀ ଦୁଇ ପ୍ରକାର କୁକୁର ଅଛନ୍ତି। ରାସ୍ତାରେ ବୁଲୁଥିବା ଦେଶୀ କୁକୁରଙ୍କ ସର୍ବାଧିକ ଆୟୁ ୧୫ ବର୍ଷ। ସେମାନେ ଥରକେ ୪ରୁ ୧୦ ଟି ଛୁଆ ଜନ୍ମ କରନ୍ତି।

କୁକୁର କାମୁଡ଼ିବାର ୩ କାରଣ

publive-image

ପଶୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ, ମୁଖ୍ୟତଃ ୩ଟି କାରଣ ଯୋଗୁଁ କୁକୁର କାମୁଡ଼େ। କୁକୁର ଭୋକରେ ଥିଲେ କିମ୍ବା ଭୟଭୀତ ହେଲେ କାମୁଡ଼ି ପକାଏ। ଜଳାତଙ୍କ ରୋଗରେ ପୀଡ଼ିତ ଥିଲେ ବା ସାଧାରଣ ଭାଷାରେ ପାଗଳ ହେଲେ ମଧ୍ୟ କାମୁଡ଼େ। ଏହା ସହିତ ଜୁଲାଇରୁ ଅଗଷ୍ଟ ମାସ ଭିତରେ ହର୍ମୋନ ବା ଜୀବରସରେ ଭାରସାମ୍ୟ ହରାଇଲେ ତଥା ପ୍ରଜନନ ସମୟରେ କୁକୁର କାମୁଡ଼ୁଥିବା ଦେଖାଯାଉଛି। ରେବିସ୍‌ ଭୂତାଣୁ କୁକୁର ଶରୀରରେ ପ୍ରବେଶ କଲେ ସେ ପାଗଳ ହୋଇଯାଏ ଓ ବାନି କାରଣରେ ମଧ୍ୟ କାମୁଡ଼ିବା ଆରମ୍ଭ କରେ। ଗୃହପାଳିତ କୁକୁରଙ୍କୁ ଟିକା ଦିଆଯାଉଥିବାରୁ ଏହି କୁକୁର କାମୁଡ଼ିଲେ ମଧ୍ୟ କୌଣସି ଅସୁବିଧା ହୁଏ ନାହିଁ। କିନ୍ତୁ ବୁଲା କୁକୁରଙ୍କୁ ଜଳାତଙ୍କ ରୋଗ ପ୍ରତିଷେଧକ ଟିକା ଦିଆନଗଲେ, ତାଙ୍କ କାମୁଡ଼ା ବିପଜ୍ଜନକ ହୋଇପଡ଼େ। ସ୍ଥଳ ବିଶେଷରେ ପାଗଳ କୁକୁର କାମୁଡ଼ାର ଶିକାର ବ୍ୟକ୍ତି ୨୪ ଘଣ୍ଟା ମଧ୍ୟରେ ଟିକା ନନେଲେ ମୃତ୍ୟୁରେ ପଡ଼ିବାର ଆଶଙ୍କା ଥାଏ। ଏହାର ନିରାକରଣ ପାଇଁ କୁକୁରଙ୍କୁ ଜଳାତଙ୍କ ରୋଗ ପ୍ରତିଷେଧକ ଟିକା ଦିଆଯାଏ। ଏଥିପାଇଁ କୁକୁରଙ୍କୁ ସ୍ବତନ୍ତ୍ର ଜାଲ ଜରିଆରେ ଧରାଯାଇ ଟିକା ଦିଆଯାଏ ଏବଂ ବନ୍ଧ୍ୟାକରଣ ମଧ୍ୟ କରାଯାଏ। ଜାଲରେ କୁକୁରଙ୍କୁ ଧରିବା ମଧ୍ୟ ସହଜ କାମ ନୁହେଁ। ଜାତୀୟ ପଶୁ ମଙ୍ଗଳ ବୋର୍ଡ ପକ୍ଷରୁ ଜାରି ନିର୍ଦେଶ ଅନୁସାରେ, ପ୍ରତ୍ୟେକ ସହରରେ ବୁଲା କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ, ଅର୍ଥାତ୍‌ ସେମାନେ ରହିବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବା ସହିତ ତାଙ୍କୁ ଉପଯୁକ୍ତ ପରିମାଣରେ ଖାଦ୍ୟ ଯୋଗାଇ ଦିଆଯିବା ଉଚିତ। ମହାନଗର ନିଗମ, ପୌର ପରିଷଦ କିମ୍ବା ଏନ୍‌ଏସିକୁ ଏହି ଦାୟିତ୍ବ ଦିଆଯାଇଛି। ଏପରିକି ଏଥିପାଇଁ ହେଉଥିବା ଖର୍ଚ୍ଚ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁଦାନର ବ୍ୟବସ୍ଥା ରହିଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଓଡ଼ିଶାର କୌଣସି ସ୍ଥାନରେ କୁକୁରଙ୍କ ପାଇଁ ଆଶ୍ରୟସ୍ଥଳୀ କରାଯାଇ ପାରିନାହିଁ। ଏଥିପାଇଁ ୨୦୧୮ ମସିହାରେ ଭାରତୀୟ ପଶୁ କଲ୍ୟାଣ ବୋର୍ଡ ପକ୍ଷରୁ ବୁଲା କୁକୁରଙ୍କ ଉଦ୍ଧାର ଏବଂ ଥଇଥାନ ପାଇଁ ପରାମର୍ଶ ଜାରି କରାଯାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ କୁକୁର ଆଶ୍ରୟସ୍ଥଳୀ ପାଇଁ ପଦକ୍ଷେପ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି।

ଭୁବନେଶ୍ବର: ବର୍ତ୍ତମାନ ଭୁବନେଶ୍ବରରେ ବୁଲା କୁକୁରଙ୍କ ସଂଖ୍ୟା ଆଶାତୀତ ଭାବେ ବଢ଼ି ଯାଇଛି। ଏ କୁକୁରମାନେ ଦଳ ଦଳ ହୋଇ ରାସ୍ତାଘାଟରେ ବୁଲୁଛନ୍ତି। ନିଜ ଭିତରେ କାମୁଡ଼ା କାମୁଡ଼ି ହେବା ସହିତ ପଥଚାରୀଙ୍କୁ ଗୋଡ଼ାଉଛନ୍ତି, କେବେ କେବେ କାମୁଡ଼ି ମଧ୍ୟ ପକାଉଛନ୍ତି। ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ମହିଳା ଓ ବୟସ୍କ ଲୋକମାନେ- ଯେଉଁମାନେ ବଡ଼ପାଟିରେ ଚିତ୍କାର କରି କୁକୁରଙ୍କୁ ଡରାଇ ପାରୁ ନାହାନ୍ତି ବା ତାଙ୍କୁ ଭୟଭୀତ କରି ପଛଘୁଞ୍ଚା ଦେବାଭଳି ଅନ୍ୟ କିଛି କରି ପାରୁ ନାହାନ୍ତି। ଛୋଟପିଲା ମଧ୍ୟ ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି। କାରଣ ସେମାନଙ୍କର କୌତୂହଳୀ ସ୍ବଭାବ କୁକୁରଙ୍କ ଧ୍ୟାନ ଆକର୍ଷଣ କରୁଛି, ପୁଣି କୁକୁରଟିଏ ଭୁକିଦେଲେ ସେମାନେ ଭୟରେ ଧାଇଁ ପଳାଇବା ବା ‌ଭୟଭୀତ ହୋଇଥିବାର ଅନ୍ୟ ଲକ୍ଷଣ ପ୍ରକାଶ କରୁଥିବାରୁ ବୁଲା କୁକୁରମାନେ ଦୁଇଗୁଣ କ୍ରୋଧ ବା ଉତ୍ସାହ ସହିତ ତାଙ୍କ ଉପରକୁ ମାଡ଼ି ଯାଉଛନ୍ତି। ରାଜଧାନୀର କିଛି ନିଦ୍ଦିଷ୍ଟ ଅଞ୍ଚଳରେ ସ୍ଥିତି ଏମିତି ହୋଇଛି ଯେ ଦିନରେ ମଧ୍ୟ ରାସ୍ତାରେ ଚାଲିଚାଲି ବା ସାଇକେଲରେ ଯିବା ସମ୍ଭବ ହେଉନାହିଁ। ରାତି କଥା ତ ନକହିବା ଭଲ! ରାତିରେ ରାଜଧାନୀର ଅନେକ ଛକ ଓ ରାସ୍ତାରେ କୁକୁରଙ୍କର ରାଜ୍‌ ଚାଲୁଛି। ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ରାତି ସୁରକ୍ଷାକର୍ମୀମାନଙ୍କୁ ଏ ବୁଲା କୁକୁର ନାହିଁ ନଥିବା ହଇରାଣ କରୁଛନ୍ତି।
ଏ ପ୍ରସଙ୍ଗ ଉଠାଇବା ଜୀବଜନ୍ତୁଙ୍କ ପ୍ରତି ଦୟା କରିବା ନୀତିର ବିପରୀତ ବୋଲି କେହି କେହି ମତ ଦେଇ ପାରନ୍ତି, କିନ୍ତୁ ସହରବାସୀଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ରାଜଧାନୀରେ ଦିନକୁ ଦିନ ବଢ଼ି ଚାଲିଥିବା ବୁଲା କୁକୁରଙ୍କ ସଂଖ୍ୟାକୁ ଅଟକାଇବା ଦିଗରେ ଗୁରୁତର ସହିତ ଚିନ୍ତା କରିବାର ସମୟ ଆସିଛି।