କଟକ: ଭାରତରେ ପ୍ରଥମ ଥର ଓଡ଼ିଶା ଅଗ୍ନିଶମ ବିଭାଗରେ ସାମିଲ ହୋଇଥିବା ୧୦ ସନ୍ଧାନୀ କୁକୁରଙ୍କ ତାଲିମ ଆରମ୍ଭ ହୋଇଛି। ଏନ୍‌ଡିଆର୍‌ଏଫ୍‌ରେ ଏହି କୁକୁରଙ୍କୁ ୫୬ ସପ୍ତାହର ତାଲିମ ପ୍ରଦାନ କରାଯାଉଛି। ଭୂସ୍ଖଳନ କିମ୍ବା ଭୁଶୁଡ଼ି ପଡ଼ିଥିବା କୋଠା ତଳେ ଫସି ରହିଥିବା ମଣିଷଙ୍କୁ ଏଣିକି ଏହି କୁକୁର ମାଧ୍ୟମରେ ଉଦ୍ଧାର କରିବା ସହଜ ହୋଇପାରିବ ବୋଲି ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦେଶରେ ଏନ୍‌ଡିଆର୍‌ଏଫ୍‌ରେ ସର୍ଚ୍ଚ ଏଣ୍ଡ ରେସ୍‌କ୍ୟୁ ଏବଂ ପୁଲିସ ନିକଟରେ କୁକୁର ଥିବା ବେଳେ ଅଗ୍ନିଶମ ବିଭାଗରେ ନଥିଲା। ଓଡ଼ିଶା ଅଗ୍ନିଶମ ବିଭାଗ ପ୍ରଥମ ଥର ଏଭଳି ପଦକ୍ଷେପ ନେଇଛି। ଓଡ଼ିଶାରେ ବିଭିନ୍ନ ସ୍ଥାନରେ ବର୍ଷା ଦିନେ ମାଟି ଅତଡ଼ା ଖସି ଲୋକେ ଫସି ରହୁଛନ୍ତି। କୋଠା ଭୁଶୁଡ଼ିବା ସମୟରେ ବି ଅନେକ ଜୀବନ ବାଜିରେ ଲାଗୁଛି। ତେବେ ମାଟି ତଳୁ ମଣିଷଙ୍କୁ ଉଦ୍ଧାର କରିବା ଅଗ୍ନିଶମ ବିଭାଗ ପାଇଁ ବଡ଼ ଆହ୍ବାନ ସୃଷ୍ଟି କରୁଛି। 

Advertisment

 ଏନ୍‌ଡିଆର୍‌ଏଫ୍‌ରେ ଚାଲିଛି ୫୬ ସପ୍ତାହର ତାଲିମ
ଭାରତରେ ପ୍ରଥମ: ଓଡ଼ିଶା ଅଗ୍ନିଶମକୁ ଆସିଲେ ୧୦ କୁକୁର
୧୦ ଅଗ୍ନିଶମ ସର୍କଲକୁ ପଠାଯିବାକୁ ନିଷ୍ପତ୍ତି

ନିକଟରେ କେରଳରେ ଘଟିଥିବା ଭୂସ୍ଖଳନ ଯୋଗୁଁ ଓଡ଼ିଶା କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍‌ର ସନ୍ଧାନୀ କୁକୁର କେରଳ ଯାଇ ମାଟି ତଳୁ ମଣିଷଙ୍କ ଶବ ଉଦ୍ଧାର କରିଥିଲା। ଏଭଳି କାର୍ଯ୍ୟରେ ଓଡ଼ିଶାରେ ଅଗ୍ନିଶମ ବିଭାଗ ପକ୍ଷରୁ କୁକୁରଙ୍କୁ ସାମିଲ କରିବାକୁ ପ୍ରଥମ ଥର ପଦକ୍ଷେପ ନେଇଛି। ରାଜସ୍ଥାନର ଅଲଵର୍‌ରେ ଥିବା ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ରୁ ଏହି ୧୦ଟି କୁକୁର ଛୁଆଙ୍କୁ ଅଣାଯାଇଛି। ଏମାନଙ୍କ ମଧ୍ୟରେ ୩ ବେଲଜିୟମ୍‌ ସେଫର୍ଡ ଓ ୭ ଲାବ୍ରାଡର୍ ଅଛନ୍ତି। ସେଠାରେ ଓଡ଼ିଶା ଅଗ୍ନିଶମ ବିଭାଗର ୧୦ କର୍ମଚାରୀଙ୍କୁ କୁକୁରକୁ ନିୟନ୍ତ୍ରଣ କରିବାର ତାଲିମ ଦିଆଯାଇଥିଲା। ଏହି ଟିମ୍ ଓଡ଼ିଶାରେ ପହଞ୍ଚିବା ପରେ କଟକ ମୁଣ୍ଡଳୀର ଏନ୍‌ଡିଆର୍‌ଏଫ୍‌ ତୃତୀୟ ବାଟାଲିୟନ୍‌ରେ କୁକୁର ଛୁଆଙ୍କୁ ତାଲିମ ଦିଆଯାଉଛି। ମାଟି ତଳେ କେଉଁଠି ମଣିଷ ଅଛନ୍ତି, ଠାବ କରିବା ପରେ ଜେସିବି ମାଧ୍ୟମରେ ଖୋଳାଯାଇ କଢ଼ାଯିବ। ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ଅଗ୍ନିଶମ ବିଭାଗର ୧୦ଟି ସର୍କଲ୍ ଅଫିସ୍‌ କଟକ, ଭୁବନେଶ୍ବର, ବାଲେଶ୍ବର, ଅନୁଗୁଳ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କୋରାପୁଟ, ଭବାନୀପାଟଣାକୁ ପଠାଯିବ। ତିନିରୁ ଚାରି ଜିଲ୍ଲାକୁ ନେଇ ଗୋଟିଏ ସର୍କଲ୍ ଅଫିସ ହୋଇଥିବା ବେଳେ ଉକ୍ତ ଜିଲ୍ଲା ଅଧୀନରେ କେଉଁଠି ଅଘଟଣ ଘଟିଲେ ସେଠାକୁ ତୁରନ୍ତ ଏହି କୁକୁରଙ୍କୁ ପଠାଯିବ ବୋଲି ଜଣାପଡ଼ିଛି।