ସମ୍ବଲପୁର : ଏମ୍‌ସିଏଲ୍‌ର ଜାଗୃତି ବିହାର କଲୋନିରେ ୬ଟି ବୁଲା କୁକୁରଙ୍କ ମୃତ୍ୟୁ ଘଟଣା ଭିନ୍ନ ‌ମୋଡ଼ ନେଇଛି। କୁକୁର ମାନଙ୍କ ମୃତ୍ୟୁରେ ଏମ୍‌ସିଏଲ୍‌ର ଜଣେ ମହିଳା ଅଧିକାରୀଙ୍କୁ ଅଭିଯୁକ୍ତ କରାଯିବା ବିଷୟକୁ ଏମ୍‌ସିଏଲ୍‌ ପକ୍ଷରୁ ଖଣ୍ଡନ କରାଯାଇଛି।

Advertisment

ଏମ୍‌ସିଏଲ୍‌ ପକ୍ଷରୁ ଜାରି ଏକ ପ୍ରେସ୍‌ ବିବୃତିରେ କହାଯାଇଛି ଯେ ଜାଗୃତି ବିହାର କଲୋନିରେ ବୁଲା କୁକୁରଙ୍କ ଉପଦ୍ରବକୁ ନେଇ ଗତ ୨୬ ତାରିଖ ଦିନ ଏମ୍‌ସିଏଲ୍‌ର ସଂପୃକ୍ତ ମହିଳା ଅଧିକାରୀ ଜଣକ ଏକ ମେଲ୍ ଯୋଗେ ଅଭିଯୋଗ କରିଥିଲେ। ଏହାର ୨ ଦିନ ପରେ ଏକା ସାଂଗରେ ବହୁ ସଂଖ୍ୟାରେ କୁକୁରଙ୍କ ମୃତ୍ୟୁ ହୋଇଥିବାରୁ ଏମ୍‌ସିଏଲ୍‌ର ସୁରକ୍ଷା ଅଧିକାରୀ ଥାନାରେ ଏତଲା ଦେଇଥିଲେ। ଏଥି ସହ ସେ ସଂପୃକ୍ତ ମହିଳା ଅଧିକାରୀଙ୍କ ଅଭିଯୋଗ ପତ୍ରକୁ ବି ସଂଲଗ୍ନ କରିଥିଲେ। କିନ୍ତୁ କିଛି ଗଣମାଧ୍ୟମରେ ସଂପୃକ୍ତ ମହିଳା ଅଧିକାରୀଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଗଲା। ପ୍ରକୃତରେ ସଂପୃକ୍ତ ମହିଳା ଅଧିକାରୀ ସି-ଟାଇପ୍ ବ୍ଲକ୍‌ରେ ରହୁଥିଲାବେଳେ କୁକୁର ମାନଙ୍କ ମୃତ୍ୟୁ ଡି-ଟାଇପ୍‌ ବ୍ଲକ୍‌ରେ ହୋଇଥିଲା ଯାହା ତାଙ୍କ କ୍ବାର୍ଟର୍ସଠାରୁ ଦୂରରେ। ସେହିପରି ସଂପୃକ୍ତ ମହିଳା ଅଧିକାରୀ ସଂଧ୍ୟା ୬ଟା ପର୍ଯ୍ୟନ୍ତ କାର୍ଯ୍ୟାଳୟରେ ରହନ୍ତି।। ତେଣୁ ପୁଲିସ୍‌ର ତଦନ୍ତ ଜାରିଥିଲା ବେଳେ କିଛି ଗଣମାଧ୍ୟମରେ ସଂପୃକ୍ତ ମହିଳା ଅଧିକାରୀଙ୍କୁ ଅଭିଯୁକ୍ତ ଦର୍ଶାଯିବା ଅନୁଚିତ ବୋଲି ପ୍ରେସ୍‌ ବିବୃତିରେ କହାଯାଇଛି।

ଅପରପକ୍ଷରେ କୁକୁର ମୃତ୍ୟୁ ସଂପର୍କରେ ଥାନାରେ ଏତଲା ଦେଇଥିବା ଓ ସେଥିରେ ସଂପୃକ୍ତ ମହିଳା ଅଧିକାରୀଙ୍କ ଅଭିଯୋଗପତ୍ର ସଂଲଗ୍ନ କରିଥିବା ଏମ୍‌ସିଏଲ୍‌ର ସୁରକ୍ଷା ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରି ଦିଆ ଯାଇଥିବା ଜଣା ପଡ଼ିଛି। ତେବେ ଏ ସଂପର୍କରେ ଏମ୍‌ସିଏଲ୍‌ କର୍ତ୍ତୃପକ୍ଷ ନିରବତା ଅବଲମ୍ବନ କରିଛନ୍ତି।