ଆନନ୍ଦପୁର : କେନ୍ଦୁଝର ଭଳି ଏକ ଖଣିଜ ସମ୍ପଦଭରା ଜିଲ୍ଲାର ଘସିପୁରା ବ୍ଲକ୍ରେ ରହିଛି ସାଇଁକୁଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର। ଏଠାରେ ରୋଗୀ ଚଟାଣରେ ଶୋଉଥିବା ବେଳେ କୁକୁର ଶଯ୍ୟାରେ ଶୋଉଛନ୍ତି। ଏଭଳି ଚିତ୍ର ସ୍ବାସ୍ଥ୍ୟସେବାର ବିକଳ ଚିତ୍ରକୁ ସ୍ପଷ୍ଟ ପ୍ରମାଣିତ କରୁଛି।
ଗତକାଲି ରାତି ସାଢେ୧୨ଟାରେ ତରୁଆଁ ପଞ୍ଚାୟତ ଲୁଣହାର ଗ୍ରାମର ଜଣେ ବ୍ୟକ୍ତି ହଠାତ୍ ଅସୁସ୍ଥ ହୋଇପଡିବାରୁ ତାଙ୍କର ସମ୍ପର୍କୀୟ ତାଙ୍କୁ ସାଇଁକୁଳ ଡାକ୍ତରଖାନାକୁ ନେଇଥିଲେ। ସେଠାକାର ସ୍ବାସ୍ଥ୍ୟସେବାର ଚିତ୍ର ତାଙ୍କୁ ବ୍ୟଥିତ କରିଥିଲା। ମେଡିକାଲ ୱାର୍ଡ଼ ମଧ୍ୟରେ ମାଳମାଳ ବୁଲା କୁକୁର ଦେଖିବାକୁ ମିଳିଥିଲା। କେତେକ କୁକୁର ବେଡସିଟ୍ ପଡିଥିବା ଶଯ୍ୟା ଉପରେ ମଧ୍ୟ ଶୋଇଥିଲେ। ଦୁଇଜଣ ଅସହାୟ ରୋଗୀ ତଳେ ବାରଣ୍ଡାରେ ଗଡୁଥିବା ମଧ୍ୟ ଦେଖିବାକୁ ମିଳିଥିଲା। ଯେଉଁ ୱାର୍ଡରେ କୁକୁର ବେଡ୍ ଉପରେ ଶୋଇ ରହୁଛନ୍ତି ସେଠାରେ କିଭଳି ସ୍ବାସ୍ଥ୍ୟସେବା ଚାଲିଥିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି। ସ୍ବାସ୍ଥ୍ୟବିଭାଗର କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।