କଟକ : କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍କଏଦା ମୁଖ୍ୟ ଓସାମା ବିନ୍ ଲାଡେନ୍ ଏବଂ ଆଇଏସ୍ଆଇଏସ୍ର ମୁଖ୍ୟ ଅବୁବକ୍ର ଅଲ୍-ବାଗଦାଦିର ହତ୍ୟା ଅପରେସନ୍ରେ ଆମେରିକା ସେନା ବ୍ୟବହାର କରିଥିବା ବେଲଜିଆନ୍ ମାଲିନଏସ୍ ପ୍ରଜାତିର କୁକୁର କ୍ରାଇମବ୍ରାଞ୍ଚର କେ-୯ ସ୍କ୍ବାଡ୍କୁ ଆସିଛି। ପ୍ରଥମ ପର୍ଯ୍ୟାୟରେ ୫ଟି କୁକୁର ଆସିଛି। ଏଭଳି ଆହୁରି ୧୩ଟି କୁକୁର ରାଜ୍ୟ ବାହାରେ ଥିବା ବିଭିନ୍ନ ପୁଲିସ ପ୍ରତିଷ୍ଠାନରେ ତାଲିମ ନେଉଥିବାବେଳେ ଖୁବ୍ଶୀଘ୍ର ପୁଲିସ ବିଭାଗରେ ସାମିଲ ହେବାକୁ ଯାଉଛନ୍ତି। ଚିତାବାଘ ପରି ଚତୁର ବେଲଜିଆନ୍ ମାଲିନଏସ୍ ପ୍ରଜାତିର ଏହି କୁକୁର କ୍ରାଇମବ୍ରାଞ୍ଚ୍ରେ ପ୍ରଥମଥର ପାଇଁ ସାମିଲ ହୋଇଛି।
ସୂଚନା ଅନୁଯାୟୀ, ବେଲଜିଆନ୍ ମାଲିନଏସ୍ ପ୍ରଜାତିର କୁକୁର ଖୋଲା ବଜାରରେ ୭୫ରୁ ୮୦ ହଜାର ଟଙ୍କାରେ ମିଳୁଥିବା ବେଳେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବେ ସମସ୍ତ ରାଜ୍ୟ ପୁଲିସ ବିଭାଗକୁ ଏ ପ୍ରକାର କୁକୁର ମାତ୍ର ୩୫ ହଜାର ଟଙ୍କା ମୂଲ୍ୟରେ ଦେବାକୁ ନିଷ୍ପତ୍ତି ନେଇଛି। ଏହି ପ୍ରକ୍ରିୟାରେ ଓଡ଼ିଶା ସାମିଲ ହୋଇଛି। ମୋଟ ୧୮ଟି କୁକୁର ୬ ଲକ୍ଷ ୩୦ ହଜାର ଟଙ୍କାରେ କ୍ରାଇମବ୍ରାଞ୍ଚ୍ କିଣିଛି। ରାଜସ୍ଥାନ ଅଲୱର ଜିଲ୍ଲା ଡେରା ଅଞ୍ଚଳର ସଶସ୍ତ୍ର ସୀମା ବଳରେ ଥିବା ପ୍ରଜନନ ତଥା ତାଲିମ କେନ୍ଦ୍ରରୁ ପ୍ରଥମ ପର୍ଯ୍ୟାୟରେ ୫ଟି କୁକୁର କିଣାଯାଇଥିବାବେଳେ ସେଠାରେ ସେମାନଙ୍କୁ ୯ ମାସ କାଳ ତାଲିମ୍ ଦିଆଯାଇଥିଲା। ତାଲିମ୍ ଶେଷ କରିବାପରେ ଏହି କୁକୁର ଗଲା ୧୫ ତାରିଖରେ କ୍ରାଇମବ୍ରାଞ୍ଚ୍ର କେ-୯ ଶାଖାରେ ଯୋଗ ଦେଇଛନ୍ତି। ଏମାନଙ୍କ ନାଁ ଓଲା, ଅକ୍ସା, ନଡ୍ଡି, ନିପ୍ଟି, ଅକ୍ସି ରଖାଯାଇଛି। ଅବଶିଷ୍ଟ ୧୩ଟି କୁକୁରରୁ ୬ଟି ଡେରା ଅଞ୍ଚଳର ସଶସ୍ତ୍ର ସୀମା ବଳରେ ତାଲିମ୍ ନେଉଛନ୍ତି। ହରିଆନା ପଞ୍ଚକୁଲାରେ ଥିବା ଆଇଟିବିପିର ନାସନାଲ୍ ଟ୍ରେନିଂ ସେଣ୍ଟର୍ ଫର୍ ଡଗ୍ରେ ୬ଟି ତାଲିମ୍ ନେଉଛନ୍ତି। ଆଉ ଗୋଟିଏ ରାଞ୍ଚି ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ଡଗ୍ ଟ୍ରେନିଂ ସ୍କୁଲ୍ରେ ତାଲିମ ନେଉଛି।
ପୁଲିସ ପଡ଼ିଆରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଏହି ୫ଟି କୁକୁରଙ୍କୁ ନେଇ ଏକ ପ୍ରଦର୍ଶନୀ ଆଜି ଆୟୋଜିତ କରାଯାଇଥିଲା। ଏଥିରେ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡାଙ୍କ ସମେତ କ୍ରାଇମବ୍ରାଞ୍ଚ ଆଇଜି ଅମିତେନ୍ଦ୍ରନାଥ ସିହ୍ନା, ଆଇନ ଶୃଙ୍ଖଳା ଏଡିଜି ଆର.କେ ଶର୍ମା, ଆଇଜି ପ୍ରୋଭିଜନିଂ ଜତିନ୍ଦ୍ରନାଥ କୁଏଲ, ଆଇଜି ପର୍ସନେଲ୍ ଏସ. ପ୍ରବୀଣ କୁମାର, ଆଇଜି ମୁଖ୍ୟାଳୟ ସଞ୍ଜୟ କୁମାର, ଏସପି କ୍ରାଇମବ୍ରାଞ୍ଚ ବିନୟ କୁମାର କାମିଲା, ଏସପି ମାଧୁରୀ ସାମଲ, କେ-୯ ଡିଏସପି ନିଗମାନନ୍ଦ ବରାଳ, ହ୍ୟାଣ୍ଡଲର୍ ଅଜିତ କୁମାର ବିଶ୍ବାଳ, ସନ୍ତୋଷ କୁମାର ଦାସ, ବାପୁଜୀ ମଲ୍ଲୀକ, ପ୍ରତାପ ଚନ୍ଦ୍ର ମହାଳିକ, ଯୁବରାଜ ପୃଷ୍ଟି, ସହଯୋଗୀ ରଞ୍ଜନ କୁମାର ବେହେରା ଓ ପୁଲିସ ମୁଖ୍ୟାଳୟର ଅନ୍ୟ ବରିଷ୍ଠ ଆପିଏସ୍ ଅଧିକାରୀମାନେ ଉପସ୍ଥିତ ଥିଲେ।
ବେଲଜିଆନ୍ ମାଲିନଏସ୍ କାରନାମା
ବେଲଜିଆନ୍ ମାଲିନଏସ୍ ପ୍ରଜାତିର କୁକୁର ୧୮୦୦ମସିହାରେ ବେଲଜିଅମର ମାଲାଇନ୍ ସହରରେ ପ୍ରଥମେ ଦେଖିବାକୁ ମିଳିଥିଲା। ଏମାନଙ୍କ ଘ୍ରାଣ ଶକ୍ତି ୨୨୫ ମିଲିଅନ୍ ହୋଇଥିବା ବେଳେ ମଣିଷର ମାତ୍ର ୫ ମିଲିଅନ୍ ରହିଛି। ଏମାନଙ୍କ ଜୀବନକାଳ ୧୨ରୁ ୧୪ ବର୍ଷ ହୋଇଥାଏ। ଘଞ୍ଚ ଜଙ୍ଗଲରେ ମାଟିରୁ ଦେଢ଼ ଫୁଟ୍ ତଳେ ପୋତାଯାଇଥିବା ଲ୍ୟାଣ୍ତମାଇନ୍ କିମ୍ବା ଆଇଡିକୁ କୌଶଳକ୍ରମେ ଠାବ କରିପାରିବେ।
ଲାଡେନ ଓ ଅବୁ ବକର୍କୁ ଧରି ହିରୋ
କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲ୍ କଏଦା ମୁଖ୍ୟ ଓସାମା ବିନ୍ ଲାଡେନକୁ ୨୦୧୧ରେ ଧରିବା ଓ ହତ୍ୟା କରିବାରେ ଆମେରିକା ନୌସେନାରେ ଏହି ପ୍ରଜାତିର କୁକୁର ବିଶେଷ ସାହାଯ୍ୟ କରିଥିଲା। ସେହିଭଳି ୨୦୧୯ରେ କୁଖ୍ୟାତ ଆତଙ୍କବାଦୀ ସ˚ଗଠନ ଆଇଏସ୍ଆଇଏସ୍ର ମୁଖ୍ୟ ଅବୁ ବକ୍ର ଅଲ୍-ବାଗଦାଦିର ହତ୍ୟାରେ ଆମେରିକା ସ୍ପେଶାଲ ଫୋର୍ସ ଏହି ପ୍ରଜାତିର କୁକୁର ବ୍ୟବହାର କରିଥିଲା। ସେନାବାହୀନିକୁ ସିରିଆରେ ଏକ ସୁଡ଼ଙ୍ଗରେ ଲୁଚିଥିବା ଅବୁ ବକର୍କୁ ଠାବ କରିଥିଲା ଏହି ପ୍ରଜାତିର କୁକୁର। ସେହି ବର୍ଷ ନଭେମ୍ବରରେ ହ୍ବାଇଟ୍ ହାଉସ୍ ପକ୍ଷରୁ ହିରୋ ଭାବେ ସମ୍ବର୍ଦ୍ଧିତ କରାଯାଇଥିଲା। ସେବେଠାରୁ ଆମେରିକାରେ ବେଲଜିଆନ୍ ମାଲିନଏସ୍ ହିରୋ ଭାବେ ପରିଚିତ ହୋଇଛି।