କରଞ୍ଜିଆ: କରୋନା ଯୋଗୁ ୨ ବର୍ଷ ଧରି ଫିକା ପଡ଼ିଥିବା କରଞ୍ଜିଆର ୧୧୬ ବର୍ଷ ପୁରୁଣା ଐତିହାସିକ ପାଞ୍ଚପୀଢ଼ ଦୋଳ ମେଳଣ କାରୋନା କଟକଣା ହଟିବା ଯୋଗୁ ଏଥର ଆଡ଼ମ୍ବର ସହକାରେ ପାଳନ ହେଉଛି। ସହର ମଧ୍ୟରେ ଥିବା ସାମୁରାଇ ଠାକୁରଙ୍କ ନିମନ୍ତ୍ରଣ ରକ୍ଷା କରି କରଞ୍ଜିଆ, ଯଶିପୁର, ଠାକୁରମୁଣ୍ଡା, ଶୁକୃଳି ଓ ରରୁଆଁ ବ୍ଲକ୍ର ମୋଟ ୧୯ଟି ମନ୍ଦିରର ରାଧାକୃଷ୍ଣ ଶ୍ରୀଜିଉମାନେ ୧୯ଟି ବିମାନାରୂଢ଼ ଆଜି ଭୋର୍ରେ କରଞ୍ଚିଆ ଦୋଳ ମେଳଣ ପଡ଼ିଆରେ ପହଞ୍ଚିଥିଲେ। ପରମ୍ପରା ଅନୁସାରେ ଦୋଳ କମିଟି ସଭାପତି ପାଞ୍ଚପୀଢ଼ ଉପଜିଲ୍ଲାପାଳ ଡ. ରଜନୀକାନ୍ତ ବିଶ୍ୱାଳ ସମସ୍ତ ଜିଉଙ୍କୁ ଦୋଳ ମେଳଣ ପଡ଼ିଆକୁ ପାଛୋଟି ନେଇଥିଲେ। ଶ୍ରୀଜିଉମାନଙ୍କ ଅଗ୍ରଜ ଯଶିପୁର ରଘୁନାଥ ଶ୍ରୀଜିଉ ପହଞ୍ଚିବା ପରେ ମେଳଣ ପଡ଼ିଆରେ ଠାକୁରଙ୍କ ମହାମିଳନ ପର୍ବ ହୋଇଥିଲା।
ଏହି ସମୟରେ ଆତସବାଜି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ମିଳନ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଥିଲା। ପରେ ଦୋଳ କମିଟି ସଭାପତି ଉପଜିଲ୍ଲାପାଳ ଶ୍ରୀ ବିଶ୍ବାଳ ସମସ୍ତ ଜିଉମାନଙ୍କୁ ବନ୍ଦାପନା କରି ନିଜ ସରକାରୀ ବାସଭବନକୁ ଭୋଗ ଖାଇବା ପାଇଁ ନିମନ୍ତ୍ରଣ କରିଥିଲେ। ଭୋଗ ଖାଇବା ପରେ ଶ୍ରୀଜିଉମାନେ ଗ୍ରାମ ପରିକ୍ରମାରେ ବାହାରିଛନ୍ତି। ପରିକ୍ରମା ପରେ ଶ୍ରୀଜିଉମାନେ ମେଳଣ ପଡ଼ିଆକୁ ପ୍ରତ୍ୟାବର୍ତନ କରିବେ ଏବଂ ହୋଲି ଖେଳି ମନ୍ଦିରକୁ ବାହୁଡ଼ିବାର କାର୍ଯ୍ୟକ୍ରମ ରହିଛି। ଦୋଳ ମେଳଣ ପାଇଁ ପାଇଁ ପାଞ୍ଚପୀଢ଼ ଅଞ୍ଚଳ ଉତ୍ସବମୁଖର ହୋଇଉଠିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/0669d53b-3ff1-4669-9dfd-6c40a50ca5b4.jpg)