ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ନୀତି : ଆଜି ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ

ପୁରୀ :‌ ଶ୍ରୀମନ୍ଦିରରେ ଆସନ୍ତାକାଲି ଦୋଳପୂର୍ଣ୍ଣିମା ନୀତି ଅନୁଷ୍ଠିତ ହେବ। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସ୍ଥିର ହୋଇଛି। ଆସନ୍ତାକାଲି ମହାପ୍ରଭୁ ରାଜାଧିରାଜ ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ସକାଳ ୮ଟାରୁ ୯ଟା ୩୦ ଭିତରେ ରାଜାଧିରାଜ ବେଶ ସଂପନ୍ନ ହୋଇ ମହାପ୍ରଭୁ ଦର୍ଶନ ଦେବେ। ରାତି ୧୦ଟା ୩୫ ପର୍ଯ୍ୟନ୍ତ ଦର୍ଶନ ଦେଇ ସାରିବା ପରେ ରାଜାଧିରାଜ ବେଶ ମଇଲମ ସଂପନ୍ନ ହେବ। ରତ୍ନ ସିଂହାସନରେ ମହାପ୍ରଭୁଙ୍କୁ ସୁନା ବେଶରେ ଦର୍ଶନ କରିବାକୁ ଶ୍ରୀମନ୍ଦିରରେ ଭକ୍ତଙ୍କ ଭିଡ଼ ହେବ। ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି।

ନୀତି ନିର୍ଘଣ୍ଟ ମୁତାବକ, ଆସନ୍ତାକାଲି ରାତି ୩ଟାରେ ଦ୍ବାରଫିଟା ହେବ। ପରେ ସାଢ଼େ ୩ଟାରେ ଭିତର ଶୋଧ, ଭୋର ୪ଟାରେ ମଙ୍ଗଳ ଆଳତି, ସାଢ଼େ ୪ଟାରେ ମଇଲମ ଓ ତଡ଼ପ ଲାଗି, ୫ଟା ୧୫ରେ ଅବକାଶ, ୫ଟା ୪୫ରେ ରୋଷହୋମ, ୬ଟା ୧୫ରେ ସୂର୍ଯ୍ୟପୂଜା ଶେଷ ହୋଇ ସାଢ଼େ ୬ଟାରେ ଦ୍ବାରପାଳ ପୂଜା, ମହାପ୍ରଭୁଙ୍କ ସର୍ବାଙ୍ଗ ଓ ନୂଆଲୁଗା ଲାଗି ହେବ। ୭ଟାରୁ ସାଢ଼େ ୭ଟା ଖଇକୋରା ଭୋଗ, ୭ଟା ୪୫ରେ ଭିତର ବେଢ଼ା ଶେଷ ହେବ। ପରେ ସକାଳ ୮ଟାରେ ନାଭିକଟା ମଣ୍ଡପକୁ ଦିଅଁ ବିଜେ କରିବେ।। ୮ଟାରୁ ସାଢ଼େ ୯ଟା ଭିତରେ ରାଜାଧିରାଜ ବେଶ ସରିବା ପରେ ୯ଟା ୪୫ରେ ନାଭିକଟା ମଣ୍ଡପ ନୀତି ଶେଷ ହେବ। ପୂର୍ବାହ୍‌ଣ ୧୦ଟାରେ ବିମାନକୁ ଦିଅଁ ବିଜେ କରିବା ପରେ ବିମାନ ବେଢ଼ା, ଗୋପାଳବଲ୍ଲଭ ଓ ସକାଳଧୂପ, ଭୋଗମଣ୍ଡପ ଶେଷ ହୋଇ ରାତି ୯ଟାରେ ଦୋଳବେଦୀ ନୀତି ସାରି ଠାକୁର ବାହୁଡ଼ା ବିଜେ କରିବେ। ରାତି ୧୦ଟାରେ ବେଢ଼ା ଶେଷ ପରେ ସରସ୍ବତୀ ମନ୍ଦିର ପାଖରେ ଭୋଗ, ବନ୍ଦାପନା, ବିମାନ ସହ ଭିତରକାଠକୁ ଦିଅଁ ବିଜେ, କର୍ପୁର ଆଳତି ଓ ଜଳ ଲାଗି, ଲକ୍ଷ୍ମୀ, ସରସ୍ବତୀ ସିଂହାସନକୁ ବିଜେ ଓ ଦୋଳଗୋବିନ୍ଦ ଦକ୍ଷିଣଘରକୁ ବିଜେ କରିବେ। ରାତି ୧୦ଟା ୩୫ରେ ରାଜାଧିରାଜ ବେଶ ମଇଲମ ଅନୁଷ୍ଠିତ ହେବ। ପରେ ମହାସ୍ନାନ ହୋଇ ଅନ୍ୟାନ୍ୟ ନୀତି ଅନୁଷ୍ଠିତ ହେବ। ରାତି ୩ଟା ୧୫ରୁ ସାଢ଼େ ୩ଟା ଭିତରେ ବଡ଼ସିଂହାର ବେଶ ଓ ଭୋଗ ପରେ ରାତି ୩ଟା ୪୫ରେ ପହୁଡ଼ ନୀତି ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର