ଚିଲିକାତଟରୁ ଡଲଫିନ୍ ଶବ ଉଦ୍ଧାର

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ରମ୍ଭା ନିକଟ ସାବୁଳିଆ ଚାମୁଣ୍ଡା ସାହିସ୍ଥିତ ଚିଲିକା ତଟରୁ ଆଜି ‘ଇରୱାଡ଼ି’ ପ୍ରଜାତିର ଏକ ଡଲଫିନ୍‌ର ଶବ ମିଳିଛି। ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ବିଭାଗ ଶବଟିକୁ ଉଦ୍ଧାର କରିଛନ୍ତି। ମୃତ ଡଲଫିନ୍‌ର ଲମ୍ବ ୬ଫୁଟ ୩ ଇଞ୍ଚ ହୋଇଥିବା ବେଳେ ଏହାର ଓଜନ ପ୍ରାୟ ଦେଢ଼ କ୍ବିଣ୍ଟାଲ୍‌ରୁ ଅଧିକ ହେବ ବୋଲି ଜଣାପଡ଼ିଛି।

ଡଲଫିନ୍‌ର ଶବକୁ ସ୍ଥାନୀୟବାସିନ୍ଦା ଦେଖି ବନ ବିଭାଗକୁ ସୂଚନା ଦେଇଥିଲେ। ତେବେ ଡଲଫିନ୍‌ଟିର ମୃତ୍ୟୁ କେମିତି ହେଲା, ତାହା ଏଯାଏ ସ୍ପଷ୍ଟ ହୋଇପାରିନି। ଶବକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ତଦନ୍ତ ଜାରି ରହିଥିବା ନେଇ ରମ୍ଭା ବନ୍ୟପ୍ରାଣୀ ଓ ବନାଞ୍ଚଳ ଅଧିକାରୀ ନୃସିଂହ ଚରଣ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର