ବ୍ରହ୍ମଗିରି : ଚିଲିକାରେ ଡଲ୍‌ଫିନ୍‌ ଗଣନାର ଗୁରୁବାର ଦ୍ବିତୀୟ ଦିନରେ ସକାଳ ୬ଟାରୁ ଗଣନାକାରୀ ଦଳ ଏକା ସାଙ୍ଗରେ ବାଲୁଗାଁ ଓ ସାତପଡ଼ା ଘାଟରୁ ଚିଲିକା ଭିତରକୁ ଯାଇଥିଲେ। ବାଲୁଗାଁ ଘାଟରୁ ୧୦ଟି ଟିମ୍‌ ଓ ସାତପଡ଼ା ଘାଟରୁ ୮ଟି ଟିମ୍‌ ଚିଲିକା ଭିତରକୁ ଯାଇ ଗଣନା କରି ଅପରାହ୍ନ ଦୁଇଟା ସୁଦ୍ଧା କୂଳକୁ ଫେରିଛି। ଆଜି ବନ ବିଭାଗ କର୍ମଚାରୀ ଓ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ(ସିଡିଏ)ର କର୍ମଚାରୀ ଗଣନା କରିଛନ୍ତି।

Advertisment

ଡଲ୍‌ଫିନ୍‌ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଅଞ୍ଚଳରେ ଆଜି ଡଲ୍‌ଫିନ୍‌ ସଂଖ୍ୟା ୬୦ ଭିତରେ ରହିଛି। ୩ଟି ଚ୍ୟାନେଲ୍‌ ବା ନାଳୀରେ ଗଣନାକାରୀମାନେ ଡଲ୍‌ଫିନ୍‌ ଦେଖିବାକୁ ପାଇନାହାନ୍ତି। ସେହିଭଳି ବାଲୁଗାଁ ପଟୁ ଗଣନା କରୁଥିବା ୧୦ଟି ଟିମ୍‌ ଆଜି ୩୦ଟି ଡଲ୍‌ଫିନ୍‌ ଦେଖିଥିବା ବିଶ୍ବସ୍ତସୂତ୍ରରୁ ଜଣାପଡ଼ିଛି।

ଗତକାଲି ଗଣନାକାରୀ ଦେଖିଥିବା ଡଲ୍‌ଫିନ୍‌ଙ୍କ ସଂଖ୍ୟା ଶହେ ତଳେ ରହିଥିବା ବେଳେ ଗୁରୁବାର ମଧ୍ୟ ସମାନ ଅବସ୍ଥା ରହିଛି। ଆଜି ପୁଣି ଡଲ୍‌ଫିନ୍‌ ଗଣନା କରାଯିବ। ୨ ଦିନର ଗଣନାରେ ସଂଖ୍ୟା ଶହେ ଉପରକୁ ଯାଉ ନ ଥିବାରୁ ଏବେ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଅନେକ ଆଲୋଚନା ଚାଲିଥିବା ସୂଚନା ମିଳିଛି।