ଡଲ୍‌ଫିନ୍‌ ଗଣନା ରିପୋର୍ଟ: ଓଡ଼ିଶାରେ ୭୨୬; ଭିତରକନିକାରେ ୫୪୦

ରାଜନଗର : ବନ ବିଭାଗ ପକ୍ଷରୁ ଡିସେମ୍ବର ମାସରେ ଓଡ଼ିଶା ଉପକୂଳରେ ହୋଇଥିବା ଡଲଫିନ୍‌ ଗଣନା ରିପୋର୍ଟ ବୁଧବାର ଦିନ ପ୍ରକାଶ ପାଇଛି। ଓଡ଼ିଶାରେ ମୋଟ ୭୨୬ ଡଲଫିନ୍‌ ଚିହ୍ନଟ ହୋଇଥିବାବେଳେ ସେଥିମଧ୍ୟରୁ ଭିତରକନିକାରେ ୫୪୦, ଚିଲିକାରେ ୧୬୭, ପୁରୀରେ ୧୫ ଓ ଭଦ୍ରକରେ ୪ଟି ଡଲଫିନ୍‌ ଚିହ୍ନଟ ହୋଇଛନ୍ତି। ମୋଟ୍‌ ୬ ପ୍ରଜାତିର ଡଲଫିନ୍‌ ଦେଖାଦେଇଚଇ। ସେଥିମଧ୍ୟରୁ କେବଳ ଭିତରକନିକାରେ କେବଳ ୫ ପ୍ରଜାତିର ଡଲଫିନ୍‌ ଦେଖିବାକୁ ମିଳିଛି।

ରାଜ୍ୟ ବନପ୍ରାଣୀ ମୁଖ୍ୟାଳୟ ରିପୋର୍ଟ ଅନୁଯାୟୀ, ଭିତରକନିକା‌ରେ ଇରାୱାଡି ଜାତୀୟ ଡଲଫିନ୍‌ ୪୫ଟି, ବଟଲ୍‌ନୋଜ୍‌ ୧୩୫, ହମ୍ପବ୍ୟାକ୍‌ ୩୩୨, ଷ୍ଟ୍ରିପେଡ୍‌ ୧୩ ଓ ସ୍ପିନର ପ୍ରଜାତିର ୧୫ଟି ଡଲଫିନ୍‌ ଚିହ୍ନଟ କରାଯାଇଛି। ସ୍ପିନର, ଷ୍ଟ୍ରିପେଡ୍‌ ଓ ହମ୍ପବ୍ୟାକ୍‌ ପ୍ରଜାତିର ଡଲଫିନ୍‌ କେବଳ ଭିତରକନିକାରେ ହିଁ ଦେଖିବାକୁ ମିଳିଛି। ପୂର୍ବରୁ ଏତେ ସଂଖ୍ୟକ ଡଲଫିନ୍‌ ଓଡ଼ିଶାରେ ଦେଖିବାକୁ ମିଳି ନ ଥିଲା।

ବିଶ୍ୱପ୍ରସିଦ୍ଧ ଭିତରକନିକା ବିରଳ ବଉଳାକୁମ୍ଭୀର ଓ ଗହୀରମଥା ବିରଳ ଅଲିଭରିଡଲେ କଇଁଛଙ୍କ ଅନ୍ତୁଡିଶାଳ ଭାବେ ପରିଚିତ ଥିଲା। ଏବେ ଭିତରକନିକା ପରିଚୟରେ ଆଉ ଏକ ନୂଆ ଫର୍ଦ୍ଦ ଯୋଡି ହେବାକୁ ଯାଉଛି। ଓଡିଶାରେ ସବୁଠୁ ଅଧିକ ପ୍ରଜାତିର ଡଲଫିନ ଗହୀରମଥା ଓ ଭିତରକନିକାରେ ଦେଖିବାକୁ ମିଳିଛି। କେବଳ ସବୁଠୁ ଅଧିକ ପ୍ରଜାତିର ନୁହେଁ, ଅଧିକ ସଂଖ୍ୟାରେ ଡଲଫିନ ଶାବକଙ୍କୁ ଦେଖିବାକୁ ମିଳିଥିବାରୁ ଗହୀରମଥା ଡଲଫିନଙ୍କ ଅନ୍ତୁଡିଶାଳ ପାଲଟିଛି କହିଲେ ଭୁଲ ହେବନାହିଁ। ଗତ ଡି‌ସେମ୍ବର ୯ରୁ ୧୧ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନର ନଦୀ ଓ ଗହୀରମଥାର ସାମୁଦ୍ରିକ ଅଭୟାରଣ୍ୟ ଅଂଚଳରେ ଡଲଫିନ ଗଣନା କରାଯାଇଥିଲା। ଡିଏଫଓ ଡ. ଯଜ୍ଞଦତ୍ତ ପତି, ପଶ୍ଚିମବଙ୍ଗର ପୂର୍ବତନ ପିସିସିଏଫ ଏନ.ଭି. ରାଜଶେଖର ପ୍ରମୁଖଙ୍କ ନେତୃତ୍ୱରେ ୯ଟି ଦଳ ଡଲଫିନଙ୍କ ଗଣନା କରିଥିଲେ।

ସମ୍ବନ୍ଧିତ ଖବର