ଚିଲିକା ମୁହାଣରେ ପୁଣି ମୃତ ଡଲ୍‌ଫିନ୍‌

ବ୍ରହ୍ମଗିରି : ଚିଲିକାରେ ବିରଳ ପ୍ରଜାତିର ଏକ ଇରାୱାଡି ଡଲ୍‌ଫିନ୍‌ର ମୃତ୍ୟୁକୁ ମାସେ ନ ପୂରୁଣୁ ପୁଣି ଆଜି ଏକ ଡଲ୍‌ଫିନ୍‌ ଶବକୁ ସାତପଡ଼ା ବନ ବିଭାଗ କର୍ମଚାରୀ ଜବତ କରିଛନ୍ତି। ଆଜି ଅପରାହ୍ନରେ ଚିଲିକାର ଚଡ଼ଚଡ଼ି ଓ ଲୁଣାପାଣି ମୁହାଣ ମଧ୍ୟବର୍ତୀ ସ୍ଥାନରେ ଏକ ବିରାଟ ଡଲଫିନ୍‌ ଶବ ପଡ଼ିଥିବା ସ୍ଥାନୀୟ ମତ୍ସ୍ୟଜୀବୀ ଦେଖି ସାତପଡା ରେଞ୍ଜକୁ ଖବର ଦେଇଥିଲେ। ସନ୍ଧ୍ୟାରେ ସାତପଡ଼ାରୁ ବନ ବିଭାଗର ଟିମ୍‌ ପହଞ୍ଚି ଶବକୁ ଜବତ କରିଛି। ମୃତ ଡଲ୍‌ଫିନ୍‌ଟିର ଲମ୍ବ ୭ ଫୁଟ ହୋଇଥିବାବେଳେ ଏହାର ଓଜନ ଦେଢ କ୍ବିଣ୍ଟାଲ ହେବ। ଏ ନେଇ ସାତପଡା ରେଞ୍ଜ ଅଧିକାରୀ ମାନସ ମହାପାତ୍ର କହିଛନ୍ତି ମୃତ ଡଲ୍‌ଫିନ୍‌ଟି ବଟଲ୍‌ ନୋଜ୍‌ ପ୍ରଜାତିର। ଆସନ୍ତାକାଲି ଏହାକୁ ବ୍ୟବଚ୍ଛେଦ କରାଯାଇ ପୋତାଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତ ମାସ ୨୬ ତାରିଖରେ ଚିଲିକାର ଫେରି ଚ୍ୟାନେଲ୍‌ରେ ଏକ ମୃତ ଡଲଫିନ୍‌କୁ ସାତପଡା ବନ ବିଭାଗ ଜବତ କରିଥିଲା। ଗତ ବର୍ଷ ଡଲ୍‌ଫିନ ଗଣନାବେଳେ ବନ ବିଭାଗ ଗୋଟିଏ ହେଲେ ଡଲ୍‌ଫିନ ଦେଖିବାକୁ ପାଇ ନ ଥିଲା। ତେଣୁ ଅଳ୍ପ କିଛି ଦିନ ବ୍ୟବଧାନରେ ଗୋଟିଏ ଇରାୱାଡି ଓ ଗୋଟିଏ ବଟଲ୍‌ନୋଜ ପ୍ରଜାତିର ଡଲଫିନ୍‌ ଶବ ମିଳିବା ଘଟଣା ବନ୍ୟ ପ୍ରାଣୀ ବିଶେଷଜ୍ଞଙ୍କ ଚିନ୍ତା ବଢାଇ ଦେଇଛି।

ସମ୍ବନ୍ଧିତ ଖବର