ଜାଲରେ ଛନ୍ଦି ହୋଇ ଡଲ୍‌ଫିନ୍‌ ମଲା

ବ୍ରହ୍ମଗିରି : ଚିଲିକାରେ ବିରଳ ଇରାଓ୍ଵାଡି ପ୍ରଜାତିର ଡଲଫିନ ଉପରେ ବେଆଇନ ଚିଙ୍ଗୁଡ଼ି ଘେରି ପୁଣି ଥରେ ବିପଦ ହୋଇଛି। ଆଜି ଏକ ଡଲ୍‌ଫିନ ବେଆଇନ ଚିଙ୍ଗୁଡି ଘେରିରେ ଛନ୍ଦି ହୋଇ ମରିଛି । ବନ ବିଭାଗ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପରେ ଏହାକୁ ରେଞ୍ଜ କାର୍ଯ୍ୟାଳୟ ଭିତରେ ପୋତି ଦେଇଛି । ଖବର ନେବାରେ ଜଣାପଡିଛି, ଆଜି ଅପରାହ୍ନରେ ଏକ ଡଲଫିନ ଜାଲରେ ଛନ୍ଦି ହୋଇ ମରିଥିବା କିଛି ମତ୍ସ୍ୟଜୀବୀ ଜାଣିବାକୁ ପାଇଥିଲେ । ଡଲଫିନ ମୃତଦେହ ଦେଖି ତୁରନ୍ତ ବନ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ସାତପଡା ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚ ମୃତଦେହକୁ ଉଦ୍ଧାର କରି ରେଞ୍ଜ କାର୍ଯ୍ୟାଳୟକୁ ଆଣିଥିଲେ । ଶବ ବ୍ୟବଚ୍ଛେଦ କରାଯାଇଛି। ବ୍ୟବଚ୍ଛେଦ ପରେ ମୃତଦେହକୁ ରେଞ୍ଜ କାର୍ଯ୍ୟାଳୟରେ ପୋତି ଦିଆଯାଇଛି। ଏହା ଇରାଓ୍ଵାଡି ପ୍ରଜାତିର ଡଲଫିନ୍‌ ହୋଇଥିବା ବେଳେ ଏହାର ଲମ୍ବ ଏକ ମିଟର ଓ ଗୋଲେଇ ୫୦ ସେ.ମି । ଏହା ଏକ ଛୁଆ ଡଲଫିନ ବୋଲି ସାତପଡା ରେଞ୍ଜ ଅଧିକାରୀ ଗଙ୍ଗାଧର ସାହୁ କହିଛନ୍ତି । ପୂର୍ବରୁ ବେଆଇନ ଚିଙ୍ଗୁଡି ଘେରିର ଖନ୍ଦାରେ ଡଲଫିନ୍‌ ମରିବା ଘଟଣାର ଅନେକ ନଜିର ରହିଛି । ଆଜି ମୃତ ଡଲଫିନ ଚିଲିକାର ମଗରମୁଖ ଚ୍ୟାନେଲରୁ ଉଦ୍ଧାର ହୋଇଥିବା ରେଞ୍ଜ ଅଧିକାରୀ କହିଛନ୍ତି ।

ସମ୍ବନ୍ଧିତ ଖବର