ବ୍ରହ୍ମଗିରି: ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ ଡାଟାବୟ ଚିଲିକାରେ ଉଭାନ ହୋଇଗଲାଣି। ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ଲଗା ଯାଇଥିବା ଡାଟାବୟ ଉଭାନ ହେବା ଘଟଣା ଚିନ୍ତାର ବିଷୟ ହୋଇଛି। ପ୍ରାକୃତିକ ବିପର୍ଯ୍ୟୟର ସୂଚନା ସହିତ ଅନ୍ତଃସ୍ରୋତକୁ ମାପିପାରୁ ଥିବା ଭଳି ଏହି ଯନ୍ତ୍ର ଏବେ ଚିଲିକାରେ କୁଆଡେ ଉଭାନ ହୋଇଯାଇଛି। ଖବର ଅନୁଯାୟୀ ଚିଲିକାରେ କ୍ରମାଗତ ଭାବରେ ଡଲଫିନ୍ କମିବା ପରେ ୨୦୧୧ ମସିହାରେ ଡାଟାବୟ ସ୍ଥାପନ ପାଇଁ ସରକାରୀସ୍ତରରେ ନିଷ୍ପତ୍ତି ହୋଇଥିଲା। କେବଳ ଯେ ଏହା ଡଲଫିନ୍ର ଗତିବିଧିକୁ ନୀରିକ୍ଷଣ କରିବା ତା’ନୁହେଁ ବରଂ ଏହା ୨୩ ବିଷୟ ଉପରେ ସୂଚନା ପ୍ରଦାନ କରିବ। ସେଥିପାଇଁ ଜାପାନ ଜ୍ଞାନ କୌଶଳରେ ନିର୍ମାଣ କରାଯାଇଥିବା ଡାଟାବୟ ଅଣାଯାଇ ଚିଲିକାରେ ସ୍ଥାପନ କରାଯାଇଥିଲା। ୨୫ ମିଟର ପାଣି ଭିତରେ ଏହାର ସ୍ବତନ୍ତ୍ର ଯନ୍ତ୍ର ବୁଡ଼ି ରହିବା ସହିତ ଚିଲିକାର ପାଣିରେ ଭାସି ରହିବ।
ଆଉ ସିଧା ସଳଖ ପାଖରେ ସ୍ବଂୟଚାଳିତ ଉପାୟରେ ବରକୂଳ, କଲିକତା, ଚେନ୍ନାଇସ୍ଥିତ ପାଣିପାଗ କେନ୍ଦ୍ରକୁ ସୂଚନା ପ୍ରଦାନ କରିବ। ଯେଉଁ ସୂଚନା ମଧ୍ୟରେ ପ୍ରତି ୧୫ ମିନିଟ୍ରେ ସମୁଦ୍ରରୁ କେତେ ସ୍ରୋତ ଚିଲିକା ଭିତରକୁ ପ୍ରବେଶ କରୁଛି ଆଉ କେତେ ସମୁଦ୍ର ଭିତରକୁ ଯାଉଛି। ଚିଲିକାରୁ ସମୁଦ୍ରକୁ ଡଲଫିନ୍ କେତେ ଯାଉଛନ୍ତି ପୁଣି ଆସୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଅର୍ଥାତ ଲଘୁଚାପର ସ୍ଥିତି ଏହାର ଗତି ସମ୍ପର୍କରେ ସୂଚନା ଦେଇଥାଏ। ଏହିଭଳି ଭାବରେ ୨୩ ବିଷୟରେ ଡାଟାବୟ ସୂଚନା ସ୍ବଂୟଚାଳିତ ଭାବରେ ପାଣିପାଗ କେନ୍ଦ୍ରଗୁଡ଼ିକୁ ପ୍ରେରଣ କରିଥାଏ। ଏହା ସ୍ବଂୟଚାଳିତ ଭାବରେ ସୌରଶକ୍ତିରୁ ଶକ୍ତି ପାଇ ଚାଲିଥାଏ। ଚିଲିକାର ମୁହାଣ ଇଲାକା ସହିତ ୧୦ଟି ସ୍ଥାନରେ ଡାଟାବୟ ଲଗାଯାଇଥିଲା।
ଏହି ଯନ୍ତ୍ର ଦ୍ବାରା ଡଲ୍ଫିନ୍ ଚିଲିକା ବାହାରକୁ ଯାଉଥିବା ଜଣାପଡ଼ିଥିଲା। ପୁଣି ଚିଲିକା ମୁହାଣ ଇଲାକାରେ ପ୍ରବଳ ସ୍ରୋତ ସହିତ ପାଣିର ଆଭ୍ୟନ୍ତରୀଣ କ୍ଷେତ୍ରରେ କରେଣ୍ଟ ଉପୁଜୁଥିବା ଜଣାପଡ଼ିଥିଲା। ଗୋଟିଏ ଡାଟାବୟର ଦାମ ପ୍ରାୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣାପଡ଼ିଛି। ଏହା ଚିଲିକାରେ ଦୁଇବର୍ଷ ଧରି କାମ କରିବା ପରେ ଏବେ ଏହା ସାତପଡ଼ା ଚିଲିକା କୂଳ ସହିତ ଅନ୍ୟ କୂଳ ଇଲାକାରେ କୁଆଡ଼େ ଉଭାନ ହୋଇଯାଇଛି। ବିଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଥିବା ଲକ୍ଷ ଲକ୍ଷ ଟଙ୍କାର ଅତ୍ୟାବଶକୀୟ ଯନ୍ତ୍ର ନଷ୍ଟ ହେବା ସାଧାରଣରେ ଚିନ୍ତାର ବିଷୟ ହୋଇଛି। କେଉଁ ପରିସ୍ଥିତିରେ ଓ କିପରି ଡାଟାବୟ ଉଭାନ ହେଲା ତାହା ଏବେ ଅନୁସନ୍ଧାନ ସାପେକ୍ଷ ହୋଇଛି। ଅନ୍ୟପଟେ ଚିଲିକାରେ ଗୋଟିଏ ପରେ ଗୋଟିଏ ପ୍ରାକୃତିକ ମୁହାଣ ମେଲି ସାରିଲାଣି। ସମୂଦ୍ରରୁ ପ୍ରବଳ ବେଗରେ ସ୍ରୋତ ଚିଲିକା ଭିତରକୁ ପ୍ରବେଶ କରୁଛି। ଡାଟାବୟ ଉଭାନ ହୋଇଥିବାରୁ ସ୍ରୋତ କେତେ ପରିମାଣର ଆସୁଛି ତାହା ସଠିକ ଆକଳନ କରିବା କଷ୍ଟକର ହୋଇ ପଡ଼ୁଛି। ଡଲ୍ଫିନ୍ ସଂଖ୍ୟାକୁ ନେଇ ସବୁବେଳେ ଚିନ୍ତା ପ୍ରକଟ ହେଉଥିବା ବେଳେ ଡାଟାବୟ ଯାହାକି ଏମାନଙ୍କ ଗତିବିଧି ଉପରେ ସୂଚନା ପ୍ରଦାନ କରୁଥିଲା ତାହା ଏବେ ଉଭାନ ହୋଇ ପଡ଼ିଛି। ଯେଉଁ ଉଦ୍ଦ୍ୟେଶ ନେଇ ଏହାର ସ୍ଥାପନ କରାଯାଇଥିଲା ଏବେ ଉଭାନ ହୋଇଯାଇଛି। ଚିଲିକାରେ ପ୍ରତ୍ୟେକ ଦିନ ଶହଶହ ପର୍ଯ୍ୟଟକ ବୁଲିଥାନ୍ତି। ମୁହାଣ ନିକଟକୁ ଯାଇଥାନ୍ତି। ଡାଟାବୟ ସୂଚନା ଗୁରୁତ୍ବପୂର୍ଣ୍ଣ ରହିଥାଏ।
ଅନ୍ୟପଟେ ଚିଲିକାରେ ଏବେ ୬ଟି ପ୍ରାକୃତିକ ମୁହାଣ ଖୋଲି ସାରିଲାଣି। ଫଳରେ ଉପକୂଳ ଜନବସତିକୁ ଭୟ ସବୁବେଳେ ଘାରିଛି। ମତ୍ସ୍ୟଜୀବୀ ମଧ୍ୟ ପ୍ରତ୍ୟେକ ଦିନ ମାଛ ଧରିବାକୁ ଚିଲିକାର ମୁହାଣ ନିକଟକୁ ଯାଉଛନ୍ତି। ଯଦି ଡାଟାବୟ ସଠିକ ଭାବରେ କାମରେ ଲାଗିଥାନ୍ତା ତେବେ ଏହାର ସୁଫଳ ମଧ୍ୟ ମତ୍ସ୍ୟଜୀବୀ ପାଇ ପାରିଥାନ୍ତେ। କିନ୍ତୁ ଏସବୁ ସମ୍ଭବ ହୋଇପାରୁ ନାହିଁ।