ଚିଲିକାରେ ଡଲଫିନ୍ ଗଣନା ସରିଲା : ଏକାଧିକ ଟିମ୍‌ ସୂଚନା ନ ପାଇ ଫେରିଲେ, ସାତପଡ଼ାରେ ସଂଖ୍ୟା କମିବା ଆଶଙ୍କା

ଚନ୍ଦ୍ରଭାଗା ଉପକୂଳରେ ମାଳ ମାଳ ଡଲ୍‌ଫିନ୍‌, ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼

ବ୍ରହ୍ମଗିରି/ବାଲୁଗାଁ : ଚିଲିକାରେ ଆଜି ଡଲଫିନ୍ ଗଣନା ଶେଷ ହୋଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଡଲଫିନ୍ ଗଣନା ମଧ୍ୟ୍ୟାହ୍ନ ୧୨ଟାରେ ଶେଷ ହୋଇଛି। ତେବେ ସନ୍ଧ୍ୟାସୁଦ୍ଧା ଚିଲିକାର ଡଲଫିନ୍‌ ସଂଖ୍ୟା ଜଣାପଡ଼ିବ ବୋଲି ପୂର୍ବରୁ କୁହାଯାଉଥିଲେ ମଧ୍ୟ ଆଜି କିନ୍ତୁ ବନବିଭାଗ ଏ ନେଇ ଚୁପ୍‌ ରହିଛି। ଡଲଫିନ୍‌ ଗଣନା କରିବାକୁ ଯାଇଥିବା ଏକାଧିକ ଟିମ୍‌ ନଜରରେ କୌଣସି ଡଲଫିନ୍‌ ପଡ଼ି ନ ଥିବାବେଳେ ଡଲଫିନ୍‌ ଅଭୟାରଣ୍ୟ କୁହାଯାଉଥିବା ସାତପଡା ଇଲାକାରେ ଏମାନଙ୍କ ସଂଖ୍ୟା କମିଥିବା ଅତ୍ୟନ୍ତ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି।

ପୃଥିବୀର ବିରଳ ଇରାୱାଡି ପ୍ରଜାତିର ଡଲଫିନ୍ ଚିଲିକାରେ ଦେଖା ଯାଇଥାନ୍ତି। ଗତ କିଛି ବର୍ଷ ହେଲା ଏମାନଙ୍କ ସଂଖ୍ୟା କମିବା ପରେ ସବୁ ସ୍ତରରେ ଚିନ୍ତା ପ୍ରକଟ ହୋଇଛି। ଗତ ୪ ବର୍ଷ ହେଲା ବନ ବିଭାଗ ଡଲଫିନ୍ ଗଣନା ଦାୟିତ୍ବ ସହିତ ଏମାନଙ୍କ ସୁରକ୍ଷା କରି ଆସୁଛି। ମାତ୍ର ଦୁଇ ବର୍ଷ ହେଲା ପାଗ ଖରାପ ଯୋଗୁ ଡଲଫିନ୍ ଗଣନା ନେଇ ସମସ୍ୟା ଦେଖାଦେଇଥିଲା। ଆଜି ଚିଲିକା ବନ୍ୟ ପ୍ରାଣୀ ଉପଖଣ୍ଡର ୫ଟି ରେଞ୍ଜ୍‌ ଯଥା ବାଲୁଗାଁ, ରମ୍ଭା, ଚିଲିକା ନୂଆପଡ଼ା, ସାତପଡ଼ା ଓ ଟାଙ୍ଗୀ ରେଞ୍ଜ୍‌ ଅଞ୍ଚଳରେ ଥିବା ଚିଲିକାରେ ଏହି ଡଲଫିନ୍‌ ଗଣନା ଆରମ୍ଭ ହୋଇଥିଲା। ମୋଟ ୧୮ଟି ଟିମ୍ ଏହି ଗଣନା କାମରେ ଲାଗିଥିଲେ। ବନ ବିଭାଗ, ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ, ଓୟୁଏଟିର ବିଶେଷଜ୍ଞଙ୍କ ସମେତ କିଛି ସ୍ବେଚ୍ଛାସେବୀ ଏଥିରେ ସାମିଲ ଥିଲେ। ବାଲୁଗାଁ ପଟୁ ୧୦ଟି ଟିମ୍‌ରେ ୮୬ ଜଣ ଗଣନାକାରୀ ସାମିଲ ହୋଇଥିଲେ। ସାତପଡା ପଟୁ ୮ଟି ଟିମ୍‌ରେ ୪୬ଜଣ ମଧ୍ୟ ଏହି ଡଲଫିନ୍‌ ଗଣନାରେ ସାମିଲ ହୋଇଥିଲେ। ମୋଟ ୧୩୨ଜଣ ଗଣନାକାରୀ ଆଜିର ଏହି ଡଲଫିନ୍ ଗଣନାରେ ସାମିଲ ହୋଇଥିଲେ। ଗ୍ଲୋବାଲ ପୋଜିସନିଙ୍ଗ ସିଷ୍ଟମ୍‌(ଜିପିଏସ୍‌) ଓ ଲାଇନ ଟ୍ରାନ୍‌ଜିଟ୍‌ ମେଥଡ୍‌(ଏଲଟିଏସ୍‌) ଏବଂ ବାଇନାକୁଲାର ଯୋଗେ ଏହି ଗଣନା କରାଯାଇଥିଲା।

ସାତପଡ଼ା ରେଞ୍ଜର ମହିଷାନାଳି, ଚଉବରନାଳି ଓ ରତାମାଟି ଘାଟଠାରୁ ଏକ କିଲୋମିଟର ମଧ୍ୟରେ ଅଞ୍ଚଳକୁ ଡଲଫିନ୍ ଅଭୟାରଣ୍ୟ କୁହାଯାଇଥାଏ। କିନ୍ତୁ ଏହି ସବୁ ଚ୍ୟାନେଲ୍‌ରେ ଖୁବ୍‌ କମ୍‌ ସଂଖ୍ୟାରେ ଡଲଫିନ୍ ନଜରକୁ ଆସିଥିବା ସୂଚନା ମିଳିଛି। ଅନ୍ୟପଟେ ଅରଖକୁଦା ଚ୍ୟାନେଲ, ବରୁଣେଇ ଚ୍ୟାନେଲ, ବୋରକୁଦି ଚ୍ୟାନେଲ, ସିଡୁଆ ଚ୍ୟାନେଲରେ ଡଲଫିନ୍ ଦେଖା ଯାଇ ନ ଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଅପରପକ୍ଷେ ଡ. ଦେବେନ୍ଦ୍ର ସୋଲାଙ୍କିଙ୍କ ନେତୃତ୍ବରେ ଯାଇଥିବା ୫ଟି ଟିମ୍‌ ଚଢ଼େଇଗୁହା, କାଳିଜାଈ ଓ କଳିଯୁଗେଶ୍ବର ପାହାଡ଼ ନିକଟବର୍ତ୍ତୀ ଚିଲିକାରେ ୬ ଘଣ୍ଟା ପଇଁତରା ମାରିଥିଲେ ମଧ୍ୟ ଗୋଟିଏ ବି ଡଲ୍‌ଫିନ୍‌ ସମ୍ପର୍କରେ ସୂଚନା ପାଇ ନ ଥିବା ଜଣାଯାଇଛି। ଗତବର୍ଷ ଡଲଫିନ୍ ଗଣନା ସଠିକ ହୋଇ ନ ଥିବା ବେଳେ ବନ ବିଭାଗ କେବଳ ଆନୁମାନିକ ଭାବେ ଡଲ୍‌ଫିନ୍‌ ସଂଖ୍ୟା ୧୫୦ ହେବ ବୋଲି କହୁଛି। ଏପରିକି ଏଥର ମଧ୍ୟ ଡଲ୍‌ଫିନ୍‌ ସଂଖ୍ୟା କେତେ ସେ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଚିଲିକା ଡିଏଫ୍‌ଓ ଆଲୋକରଞ୍ଜନ ହୋତା ଡଲ୍‌ଫିନ୍‌ ସଂଖ୍ୟା ଶତାଧିକ ହେବ ବୋଲି କହିଛନ୍ତି। କିନ୍ତୁ ପକ୍ଷୀଗଣନା ଯେଉଁ ଦିନ ହୋଇଥିଲା, ସେହିଦିନ ଚିଲିକାର ପକ୍ଷୀ ସଂଖ୍ୟା କେତେ ଚିଲିକା ବନ୍ୟପ୍ରାଣୀ ଉପଖଣ୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା। ମାତ୍ର ଡଲ୍‌ଫିନ୍‌ କ୍ଷେତ୍ରରେ ସୂଚନା ଭୁବନେଶ୍ବରସ୍ଥିତ ବନବିଭାଗର ମୁଖ୍ୟାଳୟରୁ ପ୍ରଦାନ କରାଯିବ ବୋଲି ଶ୍ରୀ ହୋତା କହିବା ପରେ ଡଲ୍‌ଫିନ୍‌ ସଂଖ୍ୟା ନେଇ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଡଲଫିନ୍ ଅଭୟାରଣ୍ୟ କୁହାଯାଉଥିବା ସାତପଡ଼ା ଇଲାକାରେ ଡଲଫିନ୍ ସଂଖ୍ୟା କମିଲେ ଏହା ଚିନ୍ତାର କାରଣ ହେବ ବୋଲି କୁହାଯାଉଛି।

ଚନ୍ଦ୍ରଭାଗା ଉପକୂଳରେ ମାଳ ମାଳ ଡଲ୍‌ଫିନ୍‌, ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ଼
କୋଣାର୍କ : ଆଜି ଅପରାହ୍ନରେ ହଠାତ୍‌ ଚନ୍ଦ୍ରଭାଗା ଉପକୂଳରେ ବହୁ ସଂଖ୍ୟାରେ ଡଲ୍‌ଫିନ୍‌ ଦେଖିବାକୁ ମିଳିଥିଲା। କୁଶଭଦ୍ରା ନଦୀ ମୁହାଣରୁ ଅଳ୍ପ ଦୂରରେ ସମୁଦ୍ର ମଧ୍ୟରେ ଡଲ୍‌ଫିନ୍‌ଗୁଡ଼ିକ ଖେଳୁଥିବା ସୂଚନା ମିଳିବା ପରେ ସେଠାରେ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା। ଇକୋ ରିଟ୍ରିଟ୍‌ ଅନୁଷ୍ଠିତ ହେଉଥିବା ସ୍ଥାନଠାରୁ ଚନ୍ଦ୍ରଭାଗା ପର୍ଯ୍ୟନ୍ତ ସମୁଦ୍ରର ବିଭିନ୍ନ ସ୍ଥାନରେ ଏହି ଡଲ୍‌ଫିନ୍‌ଗୁଡ଼ିକ ଦେଖିବାକୁ ମିଳିଥିଲା। ଦୀର୍ଘ ବର୍ଷ ବ୍ୟବଧାନରେ ହଠାତ୍‌ ଚନ୍ଦ୍ରଭାଗାରେ ମାଳ ମାଳ ଡଲ୍‌ଫିନଙ୍କ ଆବିର୍ଭାବ ଜଳବାୟୁ ପରିବର୍ତନର ସୂଚନା ହୋଇପାରେ ବୋଲି ସ୍ଥାନୀୟ ମତ୍ସ୍ୟଜୀବୀ ପ୍ରକାଶ କରିଛନ୍ତି। ପୂର୍ବରୁ ଏହି ସ୍ଥାନରେ କେବେକେବେ ଗଭୀର ସମୁଦ୍ରରେ ଡଲ୍‌ଫିନ୍‌ ଚଳପ୍ରଚଳ ହେବାର ନଜୀର ରହିଛି। କିନ୍ତୁ ବେଳାଭୂମିର ଏତେ ନିକଟରେ ପୂର୍ବରୁ କେବେ ଡଲ୍‌ଫିନ୍‌ ଦେଖା ଦେଇ ନଥିଲେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ଅନ୍ୟପକ୍ଷରେ ଯଦି ଡଲ୍‌ଫିନଙ୍କ ଆଗମନ ଏଭଳି ଭାବେ ଲାଗି ରହେ ତେବେ କୋଣାର୍କ ଓ ଚନ୍ଦ୍ରଭାଗାରେ ପରିବେଶ ପର୍ଯ୍ୟଟନ ଓ ବେଳାଭୂମି ପର୍ଯ୍ୟଟନ ପାଇଁ ଏହା ଅପୂର୍ବ ସୁଯୋଗ ଆଣିଦେବ ବୋଲି ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର