ବ୍ରହ୍ମଗିରି : ଚିଲିକାରେ ଚଳିତ ବର୍ଷ ଡଲ୍ଫିନ୍ଙ୍କ ସଂଖ୍ୟା ବୃଦ୍ଧି ପାଇ ୧୬୨ରେ ପହଞ୍ଚିଛି। ଗତବର୍ଷ ତୁଳନାରେ ଡଲଫିନ୍ ସଂଖ୍ୟା ୩୯ ବଢ଼ିଥିବାବେଳେ ଏହା ଡଲଫିନ୍ ଗଣନା ହେବା ପରେ ଚିଲିକାରେ ସର୍ବକାଳୀନ ରେକର୍ଡ ବୋଲି ଜଣାପଡ଼ିଛି। ସାତପଡ଼ା ସମେତ ଚିଲିକାର ସବୁ ଭାଗରେ ଡଲ୍ଫିନ୍ଗୁଡ଼ିକୁ ଏହି ଗଣନାରେ ସାମିଲ କରାଯାଇଥିଲା। ଚଳିତ ବର୍ଷ ଡଲ୍ଫିନ୍ ସଂଖ୍ୟା ବୃଦ୍ଧି ଉତ୍ସାହଜନକ ବୋଲି ବାଲୁଗାଁ ଡିଏଫ୍ଓ ବିକାଶ ରଞ୍ଜନ ଦାଶ ପ୍ରକାଶ କରିଛନ୍ତି।
ଚିଲିକାରେ ଡଲଫିନ୍ ଗଣନା ଦାୟିତ୍ୱ ୨୦୧୩ରୁ ବନ ବିଭାଗ ହାତକୁ ନେଇଛି। ପ୍ରତି ବର୍ଷ ଗଣନାରେ ଡଲଫିନ୍ ସଂଖ୍ୟା ୫ରୁ ୭ ମଧ୍ୟରେ ହ୍ରାସ କିମ୍ବା ବୃଦ୍ଧି ହୋଇଥାଏ। କିନ୍ତୁ ଚଳିତ ବର୍ଷ ଏତେ ସଂଖ୍ୟାରେ ଡଲଫିନ୍ ଚିଲିକାରେ ବଢ଼ିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନାଯୋଗ୍ୟ, ଚିଲିକାରେ ଗତ ମାସ ୧୯ ତାରିଖରେ ଡଲ୍ଫିନ୍ ଗଣନା ହୋଇଥିଲା। ଏଥିରେ ସମଗ୍ର ଚିଲିକାକୁ ୪ ଭାଗରେ ବିଭକ୍ତ କରାଯାଇଥିଲା । ଉତ୍ତର, ଦକ୍ଷିଣ, କେନ୍ଦ୍ର ଓ ବାହାର ଚିଲିକା ଭାଗ କରାଯାଇ ଏହି ଗଣନା ହୋଇଥିଲା। ୫ଟି ରେଞ୍ଜରେ ଏହି ଗଣନା ହୋଇଥିଲା। ସାତପଡ଼ା, ଚିଲିକା ନୂଆପଡ଼ା, ଟାଙ୍ଗୀ, ବାଲୁଗାଁ ଓ ରମ୍ଭା ରେଞ୍ଜରେ ଏହି ଗଣନା ହୋଇଥିଲା। ଗଣନାରେ ମୋଟ ୧୮ଟି ଟିମ୍ରେ ୯୦ ଜଣ ଗଣନାକାରୀ ସାମିଲ ହୋଇଥିଲେ। ବନ ବିଭାଗ ଓ ସିଡିଏ ସହିତ ପରିବେଶବିତ, ଡଲଫିନ୍ ବିଶେଷଜ୍ଞମାନଙ୍କୁ ମଧ୍ୟ ସାମିଲ କରାଯାଇଥିଲା। ଆଜିର ଏହି ଗଣନା ରିପୋର୍ଟକୁ ନେଇ ବନ୍ୟପ୍ରାଣୀ ପ୍ରେମୀ ଓ ପରିବେଶବିତ୍ ଖୁସି ହୋଇଥିବାବେଳେ ଚିଲିକାରେ କେଉଁ ସେକ୍ଟରରେ କେତେ ଡଲଫିନ୍ ରହିଛନ୍ତି ତାହା ଜଣାପଡ଼ିନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/BRAHMAGIRI-dolphin.jpg)