ପେଣ୍ଠ ବେଳାଭୂମିରୁ ୩ ମୃତ ଡଲ୍‌ଫିନ ଉଦ୍ଧାର, ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

ରାଜନଗର : ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ପେଣ୍ଠ ବେଳାଭୂମି ନିକଟରେ ଆଜି ତିନିଟି ମୃତ ଡଲ୍‌ଫିନ ଉଦ୍ଧାର କରାଯାଇଛି। ଦେହରେ କ୍ଷତ ଚିହ୍ନ ରହିଥିବାରୁ ଟ୍ରଲର୍‌ ମାଡ଼ରେ ଏହି ଡଲଫିନ୍‌ଗୁଡ଼ିକ ପ୍ରାଣ ହରାଇଥିବା ସନ୍ଦେହ କରାଯାଉଛି।

ଏହି ଡଲଫିନଗୁଡ଼ିକ ଇରାୱାଡି ପ୍ରଜାତିର ବୋଲି ଜଣାପଡ଼ିଛି। ଗୋଟିଏ ଡଲଫିନର ଓଜନ ୯୦ କେଜି ହୋଇଥିବା ବେଳେ ଅନ୍ୟ ଦୁଇଟିର ଓଜନ ଯଥାକ୍ରମେ ୪୦ ଓ ୨୦ କେଜି। ଟ୍ରଲର୍‌ ମାଡ଼ରେ ମା’ ଡଲଫିନର ମୃତ୍ୟୁ ପରେ ପେଟରେ ଥିବା ଶାବକ ୯୦ ପ୍ରତିଶତ ବାହାରକୁ ବାହାରି ଆସି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି। ସେଠାରେ ପଡ଼ିଥିବା ଅନ୍ୟ ଏକ ମୃତ ଡଲଫିନ ଦେହରେ କ୍ଷତ ଚିହ୍ନ ରହିଛି। ଟ୍ରଲର ମାଡ଼ରେ ପ୍ରାଣ ହରାଇବା ପରେ ଏମାନଙ୍କ ମୃତଦେହ ଜୁଆରରେ ଭାସି ଆସି ପେଣ୍ଠ ବେଳାଭୂମିରେ ଲାଗିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ ଯେ ବିରଳ ଅଲିଭ୍‌ରିଡ୍‌ଲେ କଇଁଛଙ୍କ ପ୍ରଜନନ ୠତୁ ପାଇଁ ନଭେମ୍ବର ୧ରୁ ମେ ୩୧ ତାରିଖ ଯାଏ ମାଛ ଧରା ଓ  ଟ୍ରଲର ଚଳାଚଳ ଉପରେ କଟକଣା ଲାଗୁ କରାଯାଇଛି। ଏହାବାଦ୍‌  ବର୍ଷକ ବାର ମାସ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ମାଛ ଧରା ଓ ଟ୍ରଲର ଚଳାଚଳ ଉପରେ କଟକଣା ରହିଛି। କଟକଣା ସତ୍ତ୍ୱେ ଶହ ଶହ ଟ୍ରଲର ବେଧଡ଼କ ଭାବେ ନିଷିଦ୍ଧାଞ୍ଚଳରେ ପଶି ମାଛ ମାରୁଛନ୍ତି। ଟ୍ରଲର ମାଡ଼ରେ ହଜାର ହଜାର ସଂଖ୍ୟାରେ କଇଁଛ ମରୁଥିବା ବେଳେ ଏବେ  ବିରଳ ପ୍ରଜାତିର ଡଲଫିନ ମରିବା ଉଦ୍‌ବେଗର ବିଷୟ ହୋଇଛି।

ଉଲ୍ଲେଖଯୋଗ୍ୟ ଯେ ଗହୀରମଥାରେ ପାଞ୍ଚ ପ୍ରଜାତିର ଡଲଫିନ ଅଛନ୍ତି। ୨୦୧୨ ମସିହାରେ ପ୍ରଥମ ଥର ପାଇଁ ଡଲଫିନ ଗଣନା କରାଯାଇଥିଲା। ରାଜ୍ୟର ଅନ୍ୟ ଅଞ୍ଚଳଠାରୁ ଗହୀରମଥାରେ ଅଧିକ ଡଲଫିନ ଦେଖିବାକୁ ମିଳିଥିଲା। ଏହା ପରଠାରୁ ଭିତରକନିକାରେ ଆଉ ଡଲ୍‌ଫିନ ଗଣନା କରାଯାଇ ନାହିଁ।

ସମ୍ବନ୍ଧିତ ଖବର