ବ୍ରହ୍ମଗିରି: ନୀଳାମ୍ବୁ ଚିଲିକା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ଅର୍ନ୍ତଜାତୀୟ ପର୍ଯ୍ୟଟନସ୍ଥଳୀର ସ୍ବତନ୍ତ୍ର ମାନ୍ୟତା ପାଇଛି। ୟୁନେସ୍କୋ ଚିଲିକାକୁ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେଇଛି। ପରିବେଶ ଓ ପ୍ରକୃତି ପାଇଁ ଚିଲିକା ପର୍ଯ୍ୟଟକଙ୍କ ପାଇଁ ଯେତିକି ପ୍ରସିଦ୍ଧି ଲାଭ କରିଛି ସେତିକି ବିରଳ ଇରାୱାଡି ପ୍ରଜାତିର ଡଲ୍‌ଫିନ୍‌ ପାଇଁ ମଧ୍ୟ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ତେବେ ଡଲ୍‌ଫିନ୍‌ମାନଙ୍କ ପାଇଁ ନିଆଯାଇଥିବା ଅଭୟାରଣ୍ୟ ପ୍ରସ୍ତାବ ଆଜି ମଧ୍ୟ କୋମାରେ ରହିଛି। ଗୋଟିଏ ପରେ ଗୋଟିଏ ଡଲଫିନ୍‌ଙ୍କ ଜୀବନ ଯିବାରେ ଲାଗିଛି।

Advertisment

ଚିଲିକାରେ ଡଲ୍‌ଫିନ୍ ଦେଖିବାକୁ ପର୍ଯ୍ୟଟକମାନେ ସାଧାରଣତଃ ମୋଟରଚାଳିତ ଡଙ୍ଗାରେ ଯାଇଥାନ୍ତି। ଏହା ଡିଜେଲ ଓ କିରୋସିନ୍‌ରେ ଚାଲିଥାଏ। ଚିଲିକା ପାଣିରେ କିରୋସିନ୍‌ ଓ ଡିଜେଲ ପଡ଼ି ପ୍ରଦୂଷିତ ହେବାରେ ଲାଗିଛି। ଡଲ୍‌ଫିନ୍‌ଠାରୁ ୫୦ ମିଟର ଦୂରରେ ରହି ମୋଟର ବନ୍ଦ କରି ପର୍ଯ୍ୟଟକ ଦେଖିବା ପାଇଁ କଡ଼ା ନିର୍ଦ୍ଦେଶ ରହିଛି। କିନ୍ତୁ ଅତି ପାଖରୁ ଡଲ୍‌ଫିନ୍‌ ପର୍ଯ୍ୟଟକଙ୍କୁ ଦେଖାଉ ଥିବାରୁ ସେମାନଙ୍କ ଜୀବନ ପ୍ରତି ଘାତକ ସାଜୁଛି। ଅନ୍ୟପଟେ ଚିଲିକାରେ ବେଆଇନ ଭାବରେ ହେଉଥିବା ଚିଙ୍ଗୁଡ଼ି ଚାଷ ପାଇଁ ରାସାୟନିକ ସାର ପ୍ରୟୋଗ କରାଯିବାରୁ ପାଣି ଦୂଷିତ ହେଉଛି। ଚିଲିକାରେ ମାଛ ଧରିବାକୁ ଆଲିମ ଜାଲକୁ ନିଷିଦ୍ଧ କରାଯାଇଛି। କିନ୍ତୁ ଏହି ଜାଲ ଚିଲିକାରେ ମାଛ ଧରିବାକୁ ଆଜି ମଧ୍ୟ ପଡ଼ୁଛି। ଯାହାକି ଜାଲରେ ପଡ଼ି ଅନେକ ସମୟରେ ଡଲ୍‌ଫିନ୍‌ଙ୍କ ଜୀବନ ଯାଉଛି।

ଗତ ୧୭ ବର୍ଷ ଧରି ଡଲଫିନ୍ ଗଣନାରେ ଏମାନଙ୍କ ସଂଖ୍ୟା ୧୭୦ ଟପି ନାହିଁ। ସରକାର ଡଲ୍‌ଫିନ୍‌ ସୁରକ୍ଷା ପାଇଁ ଜାପାନସ୍ଥିତ ଟୋକିଓ ୟୁନିଭର୍ସିଟି ସହିତ ଚୁକ୍ତି କରି ଗବେଷଣା କରିଥିଲେ। ଏମାନଙ୍କ ଗତିବିଧି ଅନୁଧ୍ୟାନ ପାଇଁ ୨୦୧୧ରେ ଚିଲିକାରେ ୧୦ଟି ଡାଟାବୟ ଯନ୍ତ୍ର ଲାଗିଥିଲା। ଚିଲିକା ବାହାରକୁ ଡଲ୍‌ଫିନ୍ ପଳାଉଥିବା ଏହି ଯନ୍ତ୍ର ମଧ୍ୟ ସୂଚନା ଦେଇଥିଲା। ଚିଲିକା ଉନ୍ନୟନ କର୍ତ୍ତୃପକ୍ଷ ଡଲଫିନ୍ ଗଣନା ଦାୟିତ୍ବରେ ରହିଥିଲେ। କିନ୍ତୁ କ୍ରମାଗତ ଭାବରେ ସଂଖ୍ୟା କମିବାରୁ ୨୦୧୪ ପରଠାରୁ ବନ ବିଭାଗ ଏମାନଙ୍କ ଗଣନା ଓ ସୁରକ୍ଷା ଦାୟିତ୍ବ ତୁଲାଇ ଆସୁଛି। ତଥାପି ଏମାନଙ୍କ ସଂଖ୍ୟା ବୃଦ୍ଧି ପାଉନାହିଁ। ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର ଭାବରେ ଡଲ୍‌ଫିନ୍‌ ସ୍କ୍ବାଡ୍‌ ରହିଛନ୍ତି। କିନ୍ତୁ ଡଲଫିନ୍ ମରୁଛନ୍ତି। ଚିଲିକାର ସାତପଡ଼ା ଅଞ୍ଚରେ ସବୁଠାରୁ ଅଧିକ ଡଲ୍‌ଫିନ୍‌ ଦେଖିବାକୁ ମିଳିଥାନ୍ତି। ଏହି ଇଲାକାକୁ ଡଲଫିନ୍ ଅଭୟାରଣ୍ୟ ପାଇଁ ବାରମ୍ବାର ଦାବି ହୋଇ ଆସୁଛି। ଆଜି ସୁଦ୍ଧା ଏହି ପ୍ରସ୍ତାବ ଉପରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଡଲଫିନ୍ ସ୍ବତନ୍ତ୍ର ସ୍ଥାନ ରଖିଥିବା ବେଳେ ଏହାର ସୁରକ୍ଷା ଜରୁରି ହୋଇପଡ଼ିଛି।