ରାଉରକେଲା: ଗାଈଗୋରୁ ଚିହ୍ନଟ ଓ ଟ୍ରାକ୍‌ କରିବାକୁ ରେଡିଓ ଫ୍ରିକୁଏନ୍‌ସି ଆଇଡେଣ୍ଟିଫିକେସନ(ଆର୍‌ଏଫ୍‌ଆଇଡି) ଟେକ୍ନୋଲୋଜି ବ୍ୟବହାର କରାଯାଇଥାଏ। ଏହାଦ୍ବାରା ବୁଲାପଶୁଙ୍କର ସବିଶେଷ ତଥ୍ୟ ରେକର୍ଡ କଏଦ୍‌ ସମ୍ଭବ। ଏମିତିକି ପୋଷ୍ୟ ଗାଈଗୋରୁଙ୍କୁ ଖୋଲାରେ ଛାଡ଼ି ଦେଉଥିବା ମାଲିକଙ୍କ ବିଷୟରେ ମଧ୍ୟ ଜଣାପଡ଼ିବାସହ ଅଭ୍ୟାଗତ ଅବହେଳାକରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ। ତେବେ ସ୍ମାର୍ଟସିଟି ରାଉରକେଲାରେ ଏହି ଟେକ୍ନୋଲୋଜି କାର୍ଯ୍ୟକ୍ଷମ ହୋଇପାରୁନି। ଅବଶ୍ୟ, ଅତୀତରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ପକ୍ଷରୁ ଆର୍‌ଏଫ୍‌ଆଇଡି ବ୍ୟବହାର କରିବାକୁ ଏକାଧିକବାର ପ୍ରୟାସ କରାଯାଇଥିଲା; କିନ୍ତୁ ସବୁ ବିଫଳ ହୋଇଥିଲା। ଏଯାଏ ଆର୍‌ଏମ୍‌ସି ପକ୍ଷରୁ ଆର୍‌ଏଫ୍‌ଆଇଡି ଟ୍ୟାଗ୍‌ କାର୍ଯ୍ୟକାରୀ ହୋଇପାରୁନଥିବାରୁ ରାସ୍ତା ଉପରେ ବୁଲୁଥିବା ଗାଈଗୋରୁ ଉପରେ ଅଙ୍କୁଶ ଲଗାଯାଇପାରୁନାହିଁ। ଏମିତିକି ସନ୍ଧ୍ୟା ହେଲେ ଗାଈଗୋରୁ ଖୋଲା ଛାଡ଼ି ଦେଉଥିବା ମାଲିକଙ୍କ ପ୍ରକୃତ ମାଲିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବି ସମ୍ଭବ ହେଉନି।
Advertisment
ଉଭୟ ଆର୍‌ଏମ୍‌ସି ଓ ଆର୍‌ଏସ୍‌ପି ଅଞ୍ଚଳରେ ୨ ଶହରୁ ଅଧିକ ଖଟାଲ ରହିଛି। କିନ୍ତୁ ଖଟାଲ ମାଲିକଙ୍କ କ୍ରମାଗତ ଅବହେଳା ଯୋଗୁଁ ରାସ୍ତାଉପରେ ବୁଲୁଛନ୍ତି ଗାଈଗୋରୁ। ବିଶେଷକରି ସନ୍ଧ୍ୟା ହେବାମାତ୍ରେ ସହରର ରିଂ ରୋଡ୍‌ ସମେତ ବିଭିନ୍ନ ଛୋଟବଡ଼ ରାସ୍ତାରେ ଏମାନଙ୍କ ଉପସ୍ଥିତି ପରିଲକ୍ଷିତ ହୁଏ। ଅପରପକ୍ଷରେ ବାଲୁଘାଟସ୍ଥ କାଞ୍ଜିଆହୁଦା ବି ପ୍ରକୃତ ଉଦ୍ଦେଶ୍ୟ‌ ପୂରଣ କରିପାରୁନି। ଆର୍‌ଏମ୍‌ସି ପକ୍ଷରୁ ନିୟମିତଭାବେ ବୁଲାଗାଈଗୋରୁଙ୍କ ଉଦ୍ଧାର କରାଯାଉନି। କେବଳ ଗାଈଗୋରୁ ନୁହେଁ; ବରଂ ବୁଲାକୁକୁରଙ୍କ ପ୍ରାଦୁର୍ଭାବ ବି ସୀମା ଟପିଲାଣି। ବୁଲାକୁକୁରଙ୍କ ପାଇଁ ଉଦ୍ଦିଷ୍ଟ ଏନିମଲ ବାର୍ଥ କଣ୍ଟ୍ରୋଲ୍‌(ଏବିସି) ଯୋଜନା ଏବେ ବାଟବଣା। ପାନପୋଷ ଛକଠାରୁ ଆରମ୍ଭକରି ଆର୍‌ଏସ୍‌ପି ପ୍ରଶାସନିକ ଭବନ ସମ୍ମୁଖସ୍ଥ ରିଂ ରୋଡ୍‌, ଷ୍ଟେସନ ରୋଡ୍‌, ବିର୍ସା ଛକ, ସେକ୍ଟର-୨ ଛକ, ଛେଣ୍ଡ୍‌ ବିଏସ୍‌ଏନଏଲ ଛକ, କଳିଙ୍ଗବିହାର, ବାସନ୍ତୀକଲୋନି, ଉଦିତନଗର ଛକ ଆଦି ବିଭିନ୍ନ ସ୍ଥାନରେ ବୁଲା କୁକୁର ଉତ୍ପାତ କରୁଛନ୍ତି। ଯାନବାହନରେ ଗମନାଗମନ କରୁଥିବା ଯାତ୍ରୀଙ୍କୁ ଦୌଡ଼ାଇ ଆକ୍ରମଣ କରୁଥିବାର ବି ନଜିର ରହିଛି। ଆର୍‌ଏମ୍‌ସି କର୍ତ୍ତୃପକ୍ଷ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।