ବୁଡ଼ିଯିବ ଘରୋଇ ବସ୍ ବ୍ୟବସାୟ: ଗ୍ୟାରେଜ୍‌ରେ ପଡ଼ିଛି ୪୦% ବସ୍‌

ଚାଲୁଥିବା ୬୦% ବସ୍‌ ଯାତ୍ରୀ ଅଭାବରୁ ସଙ୍କଟରେ

କଟକ : କରୋନା ମାଡ଼ରେ ବିପର୍ଯ୍ୟସ୍ତ ଘରୋଇ ବସ୍ ଶିଳ୍ପ ଏବେ ବୁଡ଼ିଯିବା ସ୍ଥିତିରେ। କଟକଣା କୋହଳ ହୋଇଛି ସତ, ମୋଟ୍‌ ବସ୍‌ ସଂଖ୍ୟାର ୬୦ ପ୍ରତିଶତ ଏବେ ରାସ୍ତାରେ ଗଡୁଛି। ୪୦ ପ୍ରତିଶତ ବସ୍‌ ଗ୍ୟାରେଜ୍‌ରେ ପଡ଼ିରହିଛି। ସେହିସବୁ ବସ୍‌ର ମାଲିକମାନେ ଅର୍ଥ ସଙ୍କଟରୁ ବସ୍‌କୁ ଚଳାଇବା ସ୍ଥିତିରେ ନାହାନ୍ତି। ଅନ୍ୟପଟେ ଚାଲୁଥିବା ବସ୍‌ ବି ଯାତ୍ରୀ ଅଭାବ ସମସ୍ୟାର ସମ୍ମୁଖୀନ ହେଉଥିବାରୁ ମାଲିକମାନେ ବସ୍‌ ଚଳାଇବାକୁ ସାହସ କୁଳାଇ ପାରୁନାହାନ୍ତି। ରାଜ୍ୟରେ ପାଖାପାଖି ୧୪ ହଜାର ଘ‌ରୋଇ ବସ୍‌ ରହିଥିବାବେଳେ ସେଥିରୁ ୬୦ ପ୍ରତିଶତ ବସ୍‌ ତ ‌ଏବେ ଚାଲୁଛି, ଅନ୍ୟପଟେ ଯାତ୍ରୀ ଅଭାବରୁ ସେଥିରୁ ଅଧିକାଂଶ ବସ୍ ବି ଏବେ ଦିନେ ଛଡ଼ା ‌ଦିନେ ରାସ୍ତାକୁ ଓହ୍ଲାଉଛନ୍ତି। ସରକାର ଆଗାମୀ ଦିନରେ ଏ ନେଇ କୌଣସି ବ୍ୟବସ୍ଥା ନ କଲେ ପାଖ‌ାପାଖି ୫୦ ପ୍ରତିଶତ ଘରୋଇ ବସ୍ ବନ୍ଦ ହେବା ଆଶଙ୍କାକୁ ଏଡାଇ ହେବ ନାହିଁ ବୋଲି ରାଜ୍ୟ ବସ୍ ମାଲିକ ସଂଘର ସାଧାରଣ ସଂପାଦକ ଦେବେନ୍ଦ୍ର ସାହୁ କହିଛନ୍ତି।

୨୦୨୦ ମାର୍ଚରୁ କରୋନା କଟକଣା ଲାଗିବା ପରେ ସେ ବର୍ଷ ପାଖାପାଖି ୮ ମାସ ବସ୍ ‌ସେବା ବନ୍ଦ ରହିଥିଲା। କଟକଣା କୋହଳ ହେବାପରେ ମାତ୍ର ୪ ମାସ ବସ୍‌ ସେବା ଚାଲିବାପରେ ପୁଣି ୨୦୨୧ ଏପ୍ରିଲରୁ ବସ୍‌ ସେବା ବନ୍ଦ ରହିଥିଲା। ଏବେ ଦୁଇ ମାସ ହେବ ବସ୍‌ ଗଡୁଛି। ଏହି ଦୁଇ ବର୍ଷ ଭିତରେ ଯାତ୍ରୀ ପରିବହନ ସହିତ ଜଡ଼ିତ ଥିବା ବସ୍‌ ଶିଳ୍ପ କ୍ଷତିଗ୍ରସ୍ତ ହୋଇଥିଲା। ବସ୍‌ ମାଲିକମାନେ ପ୍ରଭାବିତ ହୋଇଥିଲେ। ରାଜ୍ୟ‌ରେ ପାଖାପାଖି ୫୬ ହଜାରରୁ ଅଧିକ କର୍ମଚାରୀ ଏହାଦ୍ବାରା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥିଲେ। କିସ୍ତି, ବୀମାରେ କୌଣସି ରିହାତି ନଥିଲା। ବସ୍‌ ଘରେ ରଖି ମାଲିକମାନେ ଟିକସ ବି ଦେଉଥିଲେ। ଟିକସ ଛାଡ଼ କରିବା ଓ ବସ ମାଲିମାନଙ୍କୁ ବସ୍‌ ମରାମତି ପାଇଁ ଏକ ଲକ୍ଷ ଟଙ୍କାର ସହାୟତା ଦେବାକୁ ବସ ମାଲିକ ସଂଘ ସରକାରଙ୍କ ନିକଟ‌ରେ ଦାବି କରିଥିଲା। ବିନା ସୁଧରେ ଏହି ଏକ ଲକ୍ଷ ଟଙ୍କାର ସହାୟତା ଦିଆଗଲେ ବସ ମାଲିକମାନେ ବସ୍ ସଜାଡି ପାରିବେ ବୋଲି ସଂଘ ଦାବି କରିଥିଲା। ସଂଘର ଦାବିକୁ ସରକାର ମାନିଥିଲେ। ଏ ନେଇ ପ୍ରସ୍ତାବ ମଧ୍ୟ ଗୃହୀତ ହୋଇଥିଲା।

Sambad

‌ତେବେ ଇତି ମଧ୍ୟରେ ତିନି ମାସ ବିତିଯାଇଥିଲେ ବି ଏ ସୁବିଧା ମିଳି ପାରିନାହିଁ। ‌ବସ ମାଲିକମାନେ ସରକାରଙ୍କ ଏ ପ୍ରୋତ୍ସାହନ ରାଶି ବର୍ଷକ ଭିତରେ ଶୁଝିବାକୁ ରାଜିଥିଲେ ବି ସରକାର ଏ ନେଇ ନିଷ୍ପତ୍ତି ନେଇନାହାନ୍ତି। ସରକାର ଗାଡ଼ି ସଜାଡିବାକୁ ଏକ ଲକ୍ଷ ଟଙ୍କା ଦେଇ ନଥିବାରୁ ୪୦ ପ୍ରତିଶତ ବସ୍‌ ମାଲିକ ଗାଡି ସଜାଡ଼ି ପାରୁନଥିବା ସଂପାଦକ ଶ୍ରୀ ସାହୁ କହିଛନ୍ତି। ଆସନ୍ତା ୨୬ ତାରିଖରେ ଏ ନେଇ ପରବର୍ତ୍ତୀ ବୈଠକ ଅଛି। ବୈଠକ ପରେ ଏ ନେଇ ସ୍ପଷ୍ଟ ହେବ ବୋଲି ଶ୍ରୀ ସାହୁ କହିଛନ୍ତି।

ଅନ୍ୟପକ୍ଷରେ, ରାଜ୍ୟ‌‌ ସରକାରଙ୍କ ଭଡ଼ା ବୃଦ୍ଧି ନିଷ୍ପତ୍ତି ବର୍ତ୍ତମାନ ସମସ୍ୟାର ସମାଧାନ ନୁହେଁ ବୋଲି ବସ୍‌ ମାଲିକ ସଂଘ ମତ ଦେଇଛି। ବୃଦ୍ଧି ହେଲେ ବି ଯାତ୍ରୀ ଅଧିକ ଭଡ଼ା ଦେବାକୁ ପ୍ରସ୍ତୁତ ନୁ‌ହନ୍ତି। ଭଡ଼ା ଯାହା ଥିଲା ତାହା ରଖି ବସ୍‌ ମାଲିକମାନଙ୍କୁ ସବସିଡ୍‌ ବା ରିହାତିରେ ଡିଜେଲ ପ୍ରଦାନ କରାଗଲେ ଯାଇ ଏହି ବସ୍‌ ଶିଳ୍ପ ତିଷ୍ଠି ପାରିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଅନ୍ୟ ପଡୋଶୀ ରାଜ୍ୟ ତୁଳନାରେ ଓଡ଼ିଶା‌ରେ ଡିଜେଲ୍‌ ଦର ଅଧିକ ଥିବାରୁ ଏହାର ପ୍ରଭାବ ସିଧାସଳଖ ବସ୍‌ ଶିଳ୍ପ ଉପରେ ପଡୁଛି। ଭଡ଼ା ଅଧିକ ଥିବାରୁ କିଛି ବସ୍‌ ପଡୋଶୀ ରାଜ୍ୟରେ ଡିଜେଲ ଭରୁଛନ୍ତି। ଓଡ଼ିଶାରେ ଡିଜେଲ ଦର ୧୦୩ ଟଙ୍କା ଥିବାବେଳେ ପଶ୍ଚିମବଙ୍ଗରେ ଡିଜେଲ ଲିଟର ପିଛା ୯୮ ଟଙ୍କା, ଛତିଶଗଡ଼ରେ ୯୮ ଟଙ୍କା ଓ ଝାଡ଼ଖଣ୍ଡରେ ୯୯ଟଙ୍କା ରହିଛି।

ସମ୍ବନ୍ଧିତ ଖବର