ବେଲଗାମ ହେଲାଣି ଦେଶୀ, ନକଲି ବିଦେଶୀ ମଦ ବେପାର

ରାଉରକେଲା : ଇସ୍ପାତ ସହରରେ ଏବେ ଦେଶୀ, ବିଦେଶୀ ମଦ ବିକ୍ରି ସୀମା ଟପିଲାଣି। ବର୍ତ୍ତମାନ ଉଭୟ ଦେଶୀ ଓ ବିଦେଶୀ ମଦର ଚୋରାଚାଲାଣ, ଅନୈତିକ ବିକ୍ରି ଢ଼େର୍‌ ବଢ଼ିଛି। ଏମିତିକି ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ ପାଇଁ ବିକ୍ରିଯୋଗ୍ୟ ବିଦେଶୀ ମଦ ସହରରେ ମିଳୁଥିବାର ନଜିର ରହିଛି। ସହରର ବିଭିନ୍ନ ବସ୍ତି ସମେତ ଢ଼ାବା, ହୋଟେଲ୍‌ରେ ଖୋଲାଖୋଲି ବିକ୍ରି ହେଉଛି। ଏମିତିକି ଗତକାଲି ଗାନ୍ଧୀ ଜୟନ୍ତୀ ଅବସରରେ କେତେକ ଖୁଚୁରା ବେପାରୀ ମଦ ବିକ୍ରି କରୁଥିବା ଦେଖିବାକୁ ମିଳିଥିଲା। ସ୍ଥାନୀୟ ପୁଲିସର ଅବହେଳା ଯୋଗୁଁ ଅନୈତିକ ମଦ ବେପାର କ୍ରମଶଃ ବଢ଼ିବାରେ ଲାଗିଛି ସିନା କମିବାର ନାଁନେଉନି।

ସହରରେ ଯେଉଁ ସବୁ ନକଲି ବିଦେଶୀ ମଦ ମିଳୁଛି, ସେଥିମଧ୍ୟରୁ ଅଧା ଝାଡ଼ଖଣ୍ଡରୁ ଆସୁଥିବାବେଳେ ବାକି ସବୁ ସହର ଉପକଣ୍ଠ ବନ୍ଧମୁଣ୍ଡା, ସାରନଗରୀ ଆଦି ଅଞ୍ଚଳରେ ତିଆରି ହେଉଛି। ଜିଲ୍ଲା ଭିତରେ ନକଲି ବିଦେଶୀ ମଦ ତିଆରି ପାଇଁ ଏକାଧିକ ମଦ ମାଫିଆ ସକ୍ରିୟ ହୋଇଯାଇଛନ୍ତି। ଏହାସହ ଚୋରାରେ ଝାଡ଼ଖଣ୍ଡରୁ ମଧ୍ୟ ମଦ ଆଣୁଥିବା ଜଣାପଡ଼ିଛି। ପ୍ରଥମେ ଝାଡ଼ଖଣ୍ଡର ମଦ କାରଖାନାରେ ବେନିୟମଭାବେ ନିମ୍ନ ମାନର ବିଦେଶୀ ମଦ ତିଆରି କରାଯାଉଛି। ଉକ୍ତ ନିମ୍ନମାନର ମଦକୁ ଏଠାକାର ମଦ ମାଫିଆ ବୋତଲ ପ୍ରତି ୧୦୦/୧୫୦ ଟଙ୍କାରେ କିଣୁଛନ୍ତି। ଉକ୍ତ ମଦକୁ ପ୍ରଥମେ ଝାଡ଼ଖଣ୍ଡ ସୀମାନ୍ତ ତଥା ଓଡ଼ିଶା ସୀମାରୁ ମାତ୍ର ୬/୭ କିଲୋମିଟର ଦୂରରେ ଥିବା ପୁଷୈତା ଓ ଆଖପାଖ ଅଞ୍ଚଳରେ ଗଚ୍ଛିତ ରଖାଯାଉଛି। ପରବର୍ତ୍ତୀ ସମୟରେ ସେଠାରୁ କାର୍‌, ପିକଅପ୍‌ ଯୋଗେ ଅଣାଯାଉଛି। ମାଫିଆମାନେ ମୁଖ୍ୟତଃ ତିନୋଟି ରାସ୍ତାରେ ସହର ଭିତରକୁ ମଦ ଆଣୁଛନ୍ତି।

TheJournal.ie

ବୀରମିତ୍ରପୁର ଚେକ୍‌ ଗେଟ୍‌, ଝାଡ଼ଖଣ୍ଡ-ଜରୈକେଲା-ବିଶ୍ରା ରାସ୍ତା ଓ ଝାଡ଼ଖଣ୍ଡ-ଜରୈକେଲା-ଏନ୍‌ଆଇଟି ପାଖ ରାସ୍ତା ଦେଇ ମଦ ଚାଲାଣ ନିତିଦିନିଆ ହେଲାଣି। ବେପାରୀ ଝାଡ଼ଖଣ୍ଡ ସିମଡେଗାରୁ ମଦ ଲୋଡ୍‌ କରି ଜରେକୈଲାରେ ପହଞ୍ଚୁଛନ୍ତି। ସେଠାରୁ ବିଶ୍ରା-ଭାଲୁଲତା ରାସ୍ତାରେ ନଯାଇ ବିଭିନ୍ନ ଗାଁ ରାସ୍ତା ଦେଇ ଏନ୍‌ଆଇଟି ପାଖରେ ପହଞ୍ଚୁଛନ୍ତି। ସେଠାରୁ ସିଧାସଳଖ ଗୋଦାମକୁ ଯାଉଛନ୍ତି। ଏଭଳି ଢ଼ଙ୍ଗରେ ସହର ଭିତରକୁ ମାସିକ ପ୍ରାୟ ୭/୮ ହଜାର ଲିଟର ଦେଶୀ ମଦ/ନକଲି ବିଦେଶୀ ମଦ ଚୋରାଚାଲାଣ ହେଉଥିବା ଆକଳନ କରାଯାଉଛି। ଧରାପଡ଼ିଯିବା ଆଶଙ୍କାରେ ମାଫିଆମାନେ ମଦ ଗୋଦାମକୁ ଗ୍ରାମାଞ୍ଚଳକୁ ସ୍ଥାନାନ୍ତର କରିଦେଇଛନ୍ତି। ଅବଶ୍ୟ, ପୂର୍ବରୁ ବେଦବ୍ୟାସ, ଜଲଦା, ଲୁଙ୍ଗେଇ ଅଞ୍ଚଳରେ ଏହି ଗୋଦାମ ରହିଥିଲା। ତେବେ ବିଗତ ଦିନରେ ଚଢ଼ଉ ହେବାରୁ ଗୋଦାମକୁ ସ୍ଥାନାନ୍ତର କରିଦିଆଯାଇଛି। ବର୍ତ୍ତମାନ ଏମାନେ ବିରକେରା, ଖଇରବନ୍ଧ ଆଖପାଖ ଅଞ୍ଚଳରେ ମତ ଲୁଚାଇ ରଖୁଥିବା ଜଣାପଡ଼ିଛି।

ଫ୍ୟାକ୍ଟ୍ରିରୁ ନିମ୍ନମାନର ମଦକୁ ବୋତଲ ପିଛା ପ୍ରାୟ ୧୦୦/୧୫୦ ଟଙ୍କାରେ କିଣାଯାଉଛି। ଉକ୍ତ ଏକ ବୋତଲ ନିମ୍ନମାନର ମଦକୁ ୫ଟି ନିବ୍‌, ଅର୍ଥାତ୍‌ ପ୍ରାୟ ୯ଶହ ମିଲିଲିଟର୍‌ରେ ପରିଣତ କରାଯାଉଛି। ଏଥିରେ ପାଣି, ନିଶା ପାଇଁ ସ୍ପିରିଟ୍‌ ଓ ରଙ୍ଗ ପାଇଁ କାରାମେଲ୍‌ ମିଶ୍ରଣ କରୁଛନ୍ତି। ବୋତଲରେ ନକଲି ମଦକୁ ଭର୍ତ୍ତି କରିବାପରେ ବିଭିନ୍ନ ବ୍ରାଣ୍ଡ୍‌ର ଅବିକଳ ନକଲ ଥିବା ଠିପି, ଷ୍ଟିକ୍‌ର, ଲେବଲ ମଧ୍ୟ ଲଗାଯାଉଛି। ଏହି ନକଲି ଠିପି, ଲେବଲ୍‌, ଷ୍ଟିକ୍‌ର ଆଦି କୋଲକାତାରୁ ଆମଦାନୀ ହେଉଥିବାବେଳେ ବୋତଲଗୁଡ଼ିକୁ ବୁଲା ବୋତଲ ଗୋଟାଳି, କବାଡ଼ିବାଲାଙ୍କଠାରୁ କିଣାଯାଉଛି। ଏମାନଙ୍କ ଟାର୍ଗେଟ୍‌ରେ ବିଭିନ୍ନ ଢ଼ାବା, ବସ୍ତି, ଗ୍ରାମବାସୀ ରହିଛନ୍ତି। ସହର ଭିତରେ ଥିବା ବିଭିନ୍ନ ଛୋଟଛୋଟ ଢ଼ାବା, ବିଜୁ ଏକ୍ସପ୍ରେସ୍‌ ୱେ ରାସ୍ତା କଡ଼ ଢ଼ାବା, ସହରର ବିଭିନ୍ନ ବସ୍ତିକୁ ଏମାନେ ଯୋଗାଉଛନ୍ତି।

ସମ୍ବନ୍ଧିତ ଖବର