ଦାଣ୍ଡରେ ଗଡ଼ିଲା ବର୍ଷା-ଅନୁଭବ ବିବାଦ, ବର୍ଷା ଆଣିଲେ ଘରୋଇ ହିଂସା ଓ ନିର୍ଯାତନା ଅଭିଯୋଗ

ଅନୁଭବଙ୍କ ପକ୍ଷରୁ ଦିଲ୍ଲୀରେ ବିବାହ ବିଚ୍ଛେଦ ମାମଲା
ଅନୁଭବଙ୍କୁ ନେଇ ଅକଳରେ ପଡ଼ିଗଲା ବିଜେଡି
ବୋହୂ ନିର୍ଯାତନା ମାମଲାରେ ରଘୁ ହରାଇଥିଲେ ମନ୍ତ୍ରୀ ପଦ

କଟକ : ଓଲିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି। କେନ୍ଦ୍ରାପଡା ସାଂସଦ ତଥା ଅଭିନେତା ଅନୁଭବଙ୍କ ବିରୋଧରେ ପତ୍ନୀ ବର୍ଷା ନାରୀ ନିର୍ଯାତନା ଭଳି ସଂଗିନ ଅଭିଯୋଗ ଆଣିବା ସହିତ ଭରଣପୋଷଣ ଏବଂ କ୍ଷତିପୂରଣ ବାବଦକୁ ୧୫ କୋଟିରୁ ଅଧିକ ଟଙ୍କା ଦାବି କରି କଟକ ଏସଡିଜେଏମ୍ ଅଦାଲତର ଦ୍ବାରସ୍ଥ ହୋଇଛନ୍ତି। ଘରୋଇ ହିଂସାରୁ ଆରମ୍ଭ କରି ମହିଳାଙ୍କ ସୁରକ୍ଷା ଆଇନ-୨୦୦୫ର ଧାରା ୧୨, ୧୭, ୧୮, ୧୯, ୨୦, ୨୨ ଓ ୨୩ ଅନୁଯାୟୀ ବର୍ଷାଙ୍କ ଦରଖାସ୍ତ ଉପରେ ମାମଲା ରୁଜୁ ହୋଇଛି। ଅଗଷ୍ଟ ୭ ତାରିଖରେ ଏହି ମାମଲା ରୁଜୁ ହୋଇଥିବା ବିଳମ୍ବରେ ଜଣାପଡ଼ିଛି। ତେବେ
ସେପ୍ଟେମ୍ବର ୭ ତାରିଖରେ ପରବର୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ ହୋଇଛି।

ଅନ୍ୟପଟେ ଅନୁଭବ ଏ ସଂକ୍ରାନ୍ତରେ କୌଣସି ନୋଟିସ୍ ପାଇ ନାହାନ୍ତି, ନୋଟିସ ମିଳିଲେ ଯାହା କିଛି କହି ପାରିବେ ବୋଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏ ସଂପର୍କରେ ଅଧିକ କିଛି କହିବାକୁ ମନା କରି ଦେଇଛନ୍ତି। ସେହିଭଳି ବର୍ଷା ମଧ୍ୟ ବ୍ୟକ୍ତିଗତ ବ୍ୟାପାର‌ ଦର୍ଶାଇ ଅଧିକ କିଛି କହିବାକୁ ମନା କରିଛନ୍ତି। ହେଲେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଅନୁଭବ ବି ଦିଲ୍ଲୀର ଏକ କୋର୍ଟରେ ବର୍ଷାଙ୍କୁ ଛାଡ଼ପତ୍ର ଦେବାକୁ ମାମଲା ରୁଜୁ କରି ଥିବା ବେଳେ ତାହାର ଶୁଣାଣି ପାଇଁ ଅକ୍ଟୋବର ୧୦ ତାରିଖ ଧାର୍ଯ୍ୟ ହୋଇଛି। ପରସ୍ପର ସହମତିରେ ବିବାହ ବିଚ୍ଛେଦ ପାଇଁ ବର୍ଷା ରାଜି ନ‌ ହେବା ପରେ ଅନୁଭବଙ୍କ ପକ୍ଷରୁ ଏହି ମାମଲା ରୁଜୁ ହୋଇଛି।

ଅନୁଭବଙ୍କ ବିରୋଧରେ ବର୍ଷା ଆଣିଥିବା ଅଭିଯୋଗ ଏବେ ବିରୋଧୀଙ୍କୁ ସରକାରଙ୍କ ବିରୋଧରେ ଘେରିବା ଲାଗି ସୁଯୋଗ ଦେଇଛି। ବିଶେଷକରି କେନ୍ଦ୍ରାପଡ଼ା ଭଳି ରାଜନୈତିକ ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀରୁ ସାଂସଦ ଭାବେ ଅନୁଭବ ଜିତିଥିବା ପରିପ୍ରେକ୍ଷୀରେ ବିରୋଧୀ ଏହି ପ୍ରସଙ୍ଗରେ ସରକାରଙ୍କୁ ଅକଳରେ ପକାଇବା ପାଇଁ ଭରପୂର ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଯେହେତୁ ବର୍ଷା ସୋନି ନିର୍ଯାତନା ମାମଲାରେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ମନ୍ତ୍ରିମଣ୍ଡଳରୁ ବିଦା କରିଥିଲେ ତା ନୁହେଁ, ବରଂ ତାଙ୍କୁ ଜେଲ୍ ହାଜତକୁ ପଠାଇଥିଲେ, ଏ ମାମଲାରେ ଅନୁରୂପ ଶୈଳୀରେ ବିରୋଧୀ କାର୍ଯ୍ୟାନୁଷ୍ଠାନ ଦାବି କରି ସରକାରଙ୍କ ଉପରେ ଚାପ ପକାଇଲେଣି। ମହିଳା ସୁରକ୍ଷା ବିଜେଡିର ପ୍ରମୁଖ ସ୍ଲୋଗାନ ହୋଇଥିବା ପରିପ୍ରେକ୍ଷୀରେ ଅନୁଭବ ଏଭଳି ପରିସ୍ଥିତି ସୃଷ୍ଟି କରି ଦଳ ଓ ସରକାରଙ୍କ ପାଇଁ ପୁଣି ଥରେ ସମସ୍ୟା ଟାଣି ଆଣିଛନ୍ତି।

ଉଲ୍ଲେଖଥାଉକି, ବର୍ଷାଙ୍କ ପକ୍ଷରୁ ଦାୟର ପିଟିସନରେ ନିଜ ବାହାଘର ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ସେ କିଭଳି ନିର୍ଯାତନାର ସାମ୍ନା କରିଛନ୍ତି, ତାହାର ସବିଶେଷ ତଥ୍ୟ ଦିଆଯାଇଛି। ପିଟିସନ ଅନୁଯାୟୀ ୨୦୧୪, ଫେବ୍ରୁଆରି ୮ରେ ଅନୁଭବଙ୍କ ସହିତ ବର୍ଷାଙ୍କର ବୈଦିକ ରୀତିରେ ବିବାହ ହୋଇଥିଲା। ଏହାର ୬ ବର୍ଷ ପୂର୍ବରୁ ଅନୁଭବ ତାଙ୍କୁ ଭଲ ପାଇବା ସହିତ ବାହାଘର ପାଇଁ ବାଧ୍ୟ କରି ଆସୁଥିଲେ। ଅନୁଭବଙ୍କୁ ଜଣେ ମହିଳା ଆସକ୍ତ ଏବଂ ରାକ୍ଷସ ଭାବେ ବର୍ଷା ବର୍ଣ୍ଣନା କରି ଉଲ୍ଲେଖ କରିଛନ୍ତି ଯେ ସେ ବିବାହ ନ କଲେ ଆତ୍ମହତ୍ୟା ଉଦ୍ୟମ, ହାତ, ଗୋଡ଼, ଛାତି ଛୁରୀରେ କାଟିବା ଭଳି ପରିସ୍ଥିତି ସୃଷ୍ଟି କରୁଥିଲେ। ପରେ ପରିବାର ସହମତିରେ ସେମାନଙ୍କ ବିବାହ ହୋଇଥିଲେ ବି ଅନୁଭବଙ୍କୁ ୫୦ ଲକ୍ଷ ଟଙ୍କାର ସାମଗ୍ରୀ, ୨ ହଜାର ବରଯାତ୍ରୀଙ୍କୁ ରୁପା ଟଙ୍କା ଇତ୍ୟାଦି ତାଙ୍କ ପରିବାର ପକ୍ଷରୁ ଦିଆଯାଇଥିଲା। ୨୦୧୯ ଡିସେମ୍ବର ପର୍ଯ୍ୟନ୍ତ ସେମାନେ ସ୍ବାମୀ-ସ୍ତ୍ରୀ ଭାବେ ରହି ଆସିଥିଲେ। କିନ୍ତୁ ଅଭିନେତ୍ରୀ ଭାବେ ସେ ୨୦ ଲକ୍ଷ ଟଙ୍କା ଗୋଟିଏ ଫିଲ୍ମରେ ପାଇବାକୁ ଥିବା ବେଳେ ଅନୁଭବଙ୍କ ସହ ଅଭିନୟ କରୁଥିବା ଫିଲ୍ମରେ ସେ ତାଙ୍କୁ ଟଙ୍କାଟିଏ ବି ନଦେଇ ଓଲଟା ନିର୍ଯାତନା ଦେଉଥିଲେ। ନିଜ ସହ ବାହାରକୁ ନେଉ ନଥିଲେ। ଅନ୍ୟ ଯୁବତୀଙ୍କ ସହ ସଂପର୍କ ରଖୁଥିବା ବେଳେ ତାଙ୍କ ପରିବାର ଲୋକ ବି ତାହାକୁ ସମର୍ଥନ କରୁଥିଲେ।

କେବଳ ସେତିକି ନୁହେଁ ଅନୁଭବ ନିୟମିତ ମଦ ପିଇ ହିତାହିତ ଜ୍ଞାନ ଭୁଲି ଯାଉଥିଲେ। ଅନୁଭବ ରାତି ସାରା ମଦ ପିଉଥିବା ବେଳେ ବର୍ଷା ବେଡରେ ପଡି କାନ୍ଦିକାନ୍ଦି ରାତି ବିତାଉ ଥିଲେ। ରାତିରେ ମଦ ପିଇ ଅନେକ ସମୟରେ ଅନୁଭବ ଫେରୁଥିବା ବେଳେ ବର୍ଷା ତାଙ୍କ ଖାଇବା ପାଇଁ ଅପେକ୍ଷା କରି ହତାଶ ହେଉଥିଲେ। ଓଲଟା ଅନୁଭବ ତାଙ୍କୁ ଅସାମାଜିକ ଭଳି ବ୍ୟବହାର କରୁଥିଲେ। ମାଡ଼ ମାରି ଘରୁ ବାହାର କରି ଦେଉଥିଲେ। ପରିବାରର ସମ୍ମାନକୁ ଜଗି ବର୍ଷା ସବୁ ବେଳେ ଚୁପ ରହି ଆସୁଥିଲେ। ବର୍ଷାଙ୍କ ମା ଓ ଦୁଇ ଭଉଣୀଙ୍କ ବୁଝାସୁଝା ପରେ ଅନେକ ଥର ଅନୁଭବ ମଦ ପିଇବା ଛାଡି ଦେବେ ବୋଲି କହୁଥିଲେ ବି ତାହା ହେଉ ନଥିଲା।

ଗଲା ମାର୍ଚ୍ଚ ୮ ତାରିଖରେ ସେମାନେ ଏକାଠି ଦିଲ୍ଲୀ ଯିବାର ଯୋଜନା ଥିଲେ ବି ହଠାତ ଅନୁଭବ ତାଙ୍କୁ ଏକୁଟିଆ ଘରେ ଛାଡି ପରିବାର ସହ ଦିଲ୍ଲୀ ପଳାଇଥିଲେ। ସେ ମେ ୨୫ ତାରିଖ ପର୍ଯ୍ୟନ୍ତ ଶାଶୂ ଘରେ ଏକୁଟିଆ ଥିବା ବେଳେ ତାଙ୍କ ପାଇଁ ଅନୁଭବ କୌଣସି ପ୍ରକାର ବ୍ୟବସ୍ଥା ବି କରି ନଥିଲେ। ମେ ୨୫ରେ ଅନୁଭବ ପରିବାର ସହ କଟକ ଆସିଥିବା ବେଳେ ଘରେ ପଶି ତାଙ୍କ ଉପରେ ବାଘ ଭଳି ଗର୍ଜନ କରିଥିଲେ। ତାଙ୍କ ପରିବାର ଲୋକ କିନ୍ତୁ ଅନୁଭବଙ୍କୁ କୌଣସି ପ୍ରକାର ବାଧା ଦେଇ ନଥିଲେ। ଦିଲ୍ଲୀରେ ଥିବା ବେଳେ ଅନୁଭବ ତାଙ୍କୁ ଫୋନ ଓ ହ୍ବାଟସଆପ୍ ମେସେଜରେ ବିଭିନ୍ନ ଧମକ ଦେଉଥିଲେ। ଗଲା ଜୁନ ୭ ତାରିଖ ରାତି ୧୦ଟାରେ ଅନୁଭବ ଓ ତାଙ୍କ ବାପା ତାଙ୍କୁ ୨ ଘଣ୍ଟା କାଳ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ। ଜୁନ ୧୧ ତାରିଖରେ ତାଙ୍କୁ ସହମତିରେ ଡାଇଭର୍ସ ନେଇ ଯିବାକୁ କହି ଧମକ ଦେଇଥିଲେ। ଏଭଳି ସ୍ଥିତିରେ ସେ ନ୍ୟାୟ ପାଇଁ ଅଦାଲତଙ୍କ ଦ୍ବାରସ୍ଥ ହେବାକୁ ବାଧ୍ୟ ହେଲେ ବୋଲି ବର୍ଷା ଦର୍ଶାଇଛନ୍ତି। ତାଙ୍କର ହୋଇଥିବା ଶାରୀରିକ, ମାନସିକ, ଆର୍ଥିକ କ୍ଷତିପୂରଣ ଭରଣା ପାଇଁ ଘରେ ରହିବାକୁ ଅଧିକାର ଦେବା, ନଚେତ ଘରଭଡା ବାବଦରେ ମାସକୁ ୨୦ ହଜାର ଟଙ୍କା ଦେବା, ମାସିକ ଖର୍ଚ୍ଚ ତୁଲାଇବାକୁ ପ୍ରତିମାସରେ ୫୦ ହଜାର ଟଙ୍କା ଦେବା, ମେଡିକାଲ ଖର୍ଚ୍ଚ ବାବଦକୁ ୨ କୋଟି ଟଙ୍କା ଏବଂ ତାଙ୍କର ଆୟର ବାଟ ବନ୍ଦ କରି ଦେଇଥିବାରୁ ୧୩ କୋଟି ଟଙ୍କା ଦେବା ପାଇଁ ଅନୁଭବଙ୍କୁ ନିର୍ଦ୍ଦେଶ ଦେବା ପାଇଁ ବର୍ଷା ଅଦାଲରେ ନିବେଦନ କରିଛନ୍ତି। ବର୍ଷାଙ୍କ ପକ୍ଷରୁ ଓକିଲ ଆର.କେ.ରଥ ଏହି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର