ପାରିବାରିକ ହିଂସାର କରୁଣ ପରିଣତି : ବୋହୂ ହାତରେ ଶ୍ୱଶୁରଙ୍କ ପ୍ରାଣଗଲା

ବୋତଲରେ ଭୁସି ସ୍ୱାମୀଙ୍କ ପ୍ରାଣ ନେଲା ସ୍ତ୍ରୀ

ବାରିପଦା : ଘରୋଇ କଳିର କରୁଣ ପରିଣତି ଦେଖିବାକୁ ମିଳିଛି ବାରିପଦା ଟାଉନ ଥାନା ଅଞ୍ଚଳରେ। ପୌର ପରିଷଦ ୧୬ ନମ୍ବର ୱାର୍ଡ କ‌ାଳୀମନ୍ଦିର ସାହିରେ ଘରୋଇ କଳିକୁ ନେଇ ବୋହୂ ହାତରେ ଶ୍ବଶୁରଙ୍କ ପ୍ରାଣ ଯାଇଛି। ଗୁରୁବାର ସକାଳେ ଘଟିଥିବା ଏହି ଘଟଣାରେ ଶ୍ବଶୁର ବିଜୟ କୁମାର ଆଇଚ୍‌(୭୮)ଙ୍କୁ ହତ୍ୟା ଅଭିଯୋଗରେ ବୋହୂ ଜୟନ୍ତୀ ଭୂୟାଁ (୪୦)ଙ୍କୁ ପୁଲିସ ଗିରଫ କରିଛି।

ଅଭିଯୁକ୍ତ ମହିଳାଙ୍କ ସ୍ବାମୀ ଦେବରାଜ ଆଇଚ୍‌ଙ୍କ ଅଭିଯୋଗ ଅନୁଯାୟୀ ଆଜି ସକାଳେ ପତ୍ନୀ ଜୟନ୍ତୀ ପ୍ରଥମେ ତାଙ୍କ ସହିତ ଝଗଡ଼ା କରିଥିଲେ। ତାଙ୍କୁ ମାରିବାକୁ ଗୋଡ଼ାଇବାରୁ ସେ ଘରୁ ବାହାରି ପଳାଇଥିଲେ। ପରେ ଶ୍ବଶୁର ବିଜୟଙ୍କ ସହିତ ଜୟନ୍ତୀଙ୍କର ବଚସା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଜୟନ୍ତୀ ଠେଲିଦେବାରୁ କାନ୍ଥରେ ବାଜି ବିଜୟଙ୍କ ମୁଣ୍ଡ ଫାଟିଯାଇଥିଲା। ଗୁରୁତର ଆହତାବସ୍ଥାରେ ବିଜୟ ନିଜ ଝିଅକୁ ଫୋନ୍‌ କରି ଏ ସମ୍ପର୍କରେ ଜଣାଇଥିଲେ। ଭଉଣୀଠାରୁ ଖବର ପାଇ ଦେବରାଜ ଘରକୁ ଆସି ଦେଖିବା ବେଳକୁ ବାପା ସଙ୍କଟାପନ୍ନ ଅବସ୍ଥାରେ ପଡ଼ିଛନ୍ତି। ସଙ୍ଗେ ସଙ୍ଗେ ସେ ବାପାଙ୍କୁ ପିଆର୍‌ଏମ୍‌ ମେଡିକାଲକୁ ନେଇ ଯାଇଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ବୋଲି ପୁଲିସକୁ ଜଣାଇଛନ୍ତି ଦେବରାଜ। ଏ ନେଇ ବାରିପଦା ଟାଉନ୍‌ ଥାନାରେ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଅଭିଯୁକ୍ତ ଜୟନ୍ତୀଙ୍କୁ ଗିରଫ କରି କୋର୍ଟଚାଲଣ କରିଛି।

ବୋତଲରେ ଭୁସି ସ୍ୱାମୀଙ୍କ ପ୍ରାଣ ନେଲା ସ୍ତ୍ରୀ
ପର୍ଜଙ୍ଗ : ପର୍ଜଙ୍ଗ ଥାନା ଆମ୍ବପଳାଶ ଗାଁରେ ଗତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ମଦ୍ୟପ ସ୍ବାମୀକୁ ତାର ସ୍ତ୍ରୀ ବୋତଲରେ ଭୁସି ହତ୍ୟା କରିଥିବା‌ ନେଇ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ, ଆମ୍ବପଳାଶ ଗ୍ରାମର ଦୁଷ୍ମନ୍ତ ସାହୁ (୪୦) ମଧୁବନ ଛକ ନିକଟରେ ଘର କରି ଦୀର୍ଘଦିନ ହେଲା ସେଠାରେ ସପରିବାର ରହୁଥିଲେ। ଘରେ ବିଧବା ବୁଢ଼ୀ ମା, ପତ୍ନୀ ଓ ୧୦, ୧୨ ବର୍ଷର ଦୁଇ ଝିଅ ଅଛନ୍ତି। ଅନେକ ସମୟରେ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାରିବାରିକ ଝଗଡ଼ା ଲାଗି ରହୁଥିଲା। ଗତକାଲି ସନ୍ଧ୍ୟାରେ ମଧ୍ୟ ଦୁଷ୍ମନ୍ତ ମଦ୍ୟପାନ କରି ସ୍ତ୍ରୀ ସହ ଝଗଡ଼ା କରିଥିଲେ। ଏଥିରେ ପତ୍ନୀ ଖୁଲଣା ସାହୁ (୩୫) ଉତ୍ତ୍ୟକ୍ତ ହୋଇ ଏକ କାଚ ବୋତଲ ଉଠାଇ ଦୁଷ୍ମନ୍ତଙ୍କ ତଳିପେଟକୁ ଭୁସି ଦେଇଥିଲେ। ସେ ଗୁରୁତର ଆହତ ହୋଇ ତଳେ ପଡ଼ି ଯାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ଦୁଷ୍ମନ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ପର୍ଜଙ୍ଗ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ଶରୀରକୁ ଆଜି ଗାଁକୁ ଆଣି ଦାହ କରିବା ପାଇଁ ପ୍ରସ୍ତୁତି ଚାଲିଥିବାବେଳେ ଦୁଷ୍ମନ୍ତଙ୍କ ମା ପ୍ରମୋଦା ସାହୁ ବାରଣ କରିଥିଲେ। ତାଙ୍କର ଏକମାତ୍ର ପୁଅକୁ ବୋହୂ ବୋତଲରେ ଭୁସି ମାରି ଦେଇଥିବା‌ ନେଇ ସେ ପର୍ଜଙ୍ଗ ଥାନାରେ ଅଭିଯୋଗ କରିଥିଲେ। କାମାକ୍ଷାନଗର ଏସ୍‌ଡିପିଓ ସୁପ୍ରସନ୍ନ ମଲ୍ଲିକ ସାଇଣ୍ଟିଫିକ୍ ଟିମ୍ ସହ ସେଠାରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ କରାଇଥିଲେ। ପତ୍ନୀ ଖୁଲଣାଙ୍କୁ ପଚରାଉଚୁରା ପାଇଁ ପର୍ଜଙ୍ଗ ଥାନାରେ ଅଟକ ରଖାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର