ରାୟଗଡ଼ା: ୧୧ମାସ ପରେ ଆଜି ଖୋଲିଲା ରାୟଗଡ଼ାର ଅଧିଷ୍ଠାତ୍ରୀ ଦେବୀ ମା’ ମଝିଘରିଆଣୀ ମନ୍ଦିରର ଦାନହୁଣ୍ଡି। ଗଣତି ପରେ ହୁଣ୍ଡିରୁ ୬୩ ଲକ୍ଷ ୯୭ ହଜାର ୫୫୦ ନଗଦ ଟଙ୍କା ସହ ୨୪ ଗ୍ରାମ ସୁନା ଓ ୩ କେଜି ୪ ଶହ ଗ୍ରାମର ରୂପା ଅଳଙ୍କାର ସଂଗ୍ରହ ହୋଇଛି। ଅଚଳ ୫୦୦ ଟଙ୍କିଆ ୨୩ଟି ନୋଟ୍ ଏବଂ ୧ ହଜାର ଟଙ୍କିଆ ୩ଟି ନୋଟ୍ ମିଳିଥିବା ନେଇ ସୂଚନା ଦେଇଛନ୍ତି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା।
କୋଭିଡ଼୍ କଟକଣା ପାଇଁ ମନ୍ଦିର ମାର୍ଚ୍ଚ ମାସରୁ ବନ୍ଦ ରହିଥିବାରୁ ଏତେ ଦିନ ବ୍ୟବଧାନରେ ହୁଣ୍ଡି ଖୋଲାଯାଇଛି। ୨୦୧୯ ସେପ୍ଟେମ୍ବର ୨୫ ତାରିଖରେ ଶେଷଥର ପାଇଁ ଦାନହୁଣ୍ଡି ଖୋଲିଥିଲା। ସେହି ସମୟରେ ହୁଣ୍ଡିରୁ ୫୪ ଲକ୍ଷ ୫୧ ହଜାର ୨୯୪ ନଗଦ ଟଙ୍କା ସହ ୪୫ ଗ୍ରାମ ୭୦୦ ମିଲିଗ୍ରାମ ସୁନା ଓ ୧ କେଜି ୮୭୦ ଗ୍ରାମର ରୂପା ଅଳଙ୍କାର, ଗୋଟିଏ ଯୁକ୍ତରାଷ୍ଟ୍ର ଆମେରିକାର ଡଲାର ସହ ସିଙ୍ଗାପୁରର ୧୦ଟି ଡଲାର ଟଙ୍କା ପ୍ରାପ୍ତ ହୋଇଥିବା ବେଳେ ୪୩ ଖଣ୍ଡ ୫୦୦ ଟଙ୍କା ଓ ୨୭ ଖଣ୍ଡ ପୁରୁଣା ୧ହଜାର ଟଙ୍କା ମିଳିଥିଲା।
ପ୍ରତ୍ୟେକ ବର୍ଷ ୪ ମାସ ବ୍ୟବଧାନରେ ମନ୍ଦିର ଦାନହୁଣ୍ଡିକୁ ଖୋଲାଯାଉଛି। ଆଜି ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକା, ଅତିରିକ୍ତ ତହସିଲଦାର ସୁନୀଲ ଖରାଙ୍କ ତତ୍ତ୍ବାବଧାନରେ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ସମସ୍ତ ଦାନହୁଣ୍ଡିକୁ ଖୋଲଯାଇଥିଲା। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ମନ୍ଦିର ମୁଖ୍ୟ ଫାଟକରେ ଟଙ୍କା ଗଣତି କାର୍ଯ୍ୟରେ ନିୟୋଜିତ ହୋଇଥିବା ମନ୍ଦିର ପରିଚାଳନା କମିଟିର ସଦସ୍ୟ, ଭେଙ୍କେଟେଶ୍ୱର କଲ୍ୟାଣ ମଣ୍ଡପର ସ୍ୱେଚ୍ଛାସେବୀ, ସଭ୍ୟ/ସଭ୍ୟା, ଜେମ୍ସ କୋଚିଙ୍ଗ ସେଣ୍ଟରର ଛାତ୍ରଛାତ୍ରୀ, ଉତ୍କଳ ଗ୍ରାମୀଣ ବ୍ୟାଙ୍କର କର୍ମଚାରୀଙ୍କୁ ଥର୍ମାଲ ସ୍କ୍ରିନିଂ କରାଯିବା ସହ ହାତରେ ସାନିଟାଇଜର ଦିଆଯାଇ ମନ୍ଦିର ପ୍ରାଙ୍ଗଣକୁ ଛଡାଯାଇଥିଲା।