ମହାପ୍ରଭୁଙ୍କୁ ଗୋଟିଏ ଦିନରେ କୋଟିଏ ଦାନ, ଦାନ କଲା କଳିଙ୍ଗ କମର୍ସିଆଲ୍‌ କର୍ପୋରେସନ୍‌ ଲିମିଟେଡ୍‌

ସାର୍ବଜନୀନ ହେଉନି ଦାନ ପରିମାଣ

ପୁରୀ : ମହାପ୍ରଭୁଙ୍କ ପାଣ୍ଠି ଟଙ୍କାକୁ ଘ‌ରୋଇ ବ୍ୟାଙ୍କରେ ରଖିବାକୁ ନେଇ ସମଗ୍ର ରାଜ୍ୟରେ ତୁମ୍ବିତୋଫାନ ଚାଲିଥିବା ବେଳେ ଜଣେ ଭକ୍ତ ଜଗନ୍ନାଥ ମହାପ୍ରଭୁଙ୍କୁ କୋଟିଏ ଟଙ୍କା ଦାନ କରି ଚର୍ଚ୍ଚାକୁ ଆସିଛନ୍ତି। ଗୋଟିଏ ଦିନରେ ଏତେ ପରିମାଣ‌‌ରେ ଦାନ ମିଳିବା ପ୍ରଥମ ଘଟଣା ବୋଲି କୁହାଯାଉଛି।

କଳିଙ୍ଗ କମର୍ସିଆଲ୍‌ କର୍ପୋରେସନ୍‌ ଲିମିଟେଡ୍‌ ନାମକ ଭୁବନେଶ୍ବରର ଏକ ସଂସ୍ଥା ଗତକାଲି ଶ୍ରୀମନ୍ଦିର ପ୍ରଶାସନକୁ ଏହି ଦାନ ଅର୍ଥ ଚେକ୍‌ ଆକାରରେ ପ୍ରଦାନ କରିଛନ୍ତି। ଉପରୋକ୍ତ ସଂସ୍ଥା ୫୦ ଲକ୍ଷ ଟଙ୍କା ଲେଖାଏଁ ଦୁଇଟି ଷ୍ଟେଟ ବ୍ୟାଙ୍କ ଚେକ୍‌ ଶ୍ରୀମନ୍ଦିର ପ୍ରଶାସନକୁ ପ୍ରଦାନ କରିଛନ୍ତି। ତେବେ ଶ୍ରୀମନ୍ଦିର ପ୍ରଶାସନ ସଂପୃକ୍ତ ସଂସ୍ଥା‌ ଓ ଦାନର କାରଣ ସଂପର୍କରେ ସବିଶେଷ ତଥ୍ୟ ସାର୍ବଜନୀନ କରିନାହିଁ। ଭକ୍ତଙ୍କ ଏ ଦାନକୁ ନେଇ ତାଙ୍କୁ ବିଭିନ୍ନ ସଂଗଠନ ପକ୍ଷରୁ ସାଧୁବାଦ ଦିଆଯାଇଛି। ତେବେ ଏଭଳି ଦାନ ଆସିବା ପ‌ରେ ଏହାକୁ ‌ ନେଇ ଭିନ୍ନ ମତ ମଧ୍ୟ ପ୍ରକାଶ ପାଇଛି। ଭକ୍ତ ମୁକ୍ତ ହସ୍ତରେ ଦାନ କରୁଛନ୍ତି। ଦଶନ୍ଧି ଦଶନ୍ଧି ଧରି ମହାପ୍ରଭୁଙ୍କ ଦାନରେ ମିଳିଥିବା ଟଙ୍କାକୁ ଶ୍ରୀମନ୍ଦିର ପ୍ରଶାସନ ସମ୍ଭାଳି ରଖି ପାରୁନଥିବା ଅଭିଯୋଗ ହୋଇଛି।

ଭକ୍ତମାନେ ଦାନ କରିଥିବା ଟଙ୍କାକୁ ଏବେ ଅନ୍ଧକାର ଭିତରକୁ ଠେଲି ଦିଆଯାଇଛି। ୟେସ୍ ବ୍ୟାଙ୍କରେ ଜମା ଥିବା ୫୪୫ କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ସନ୍ଦେହ ମଧ୍ୟ ଉପୁଜିଛି। ଭକ୍ତଙ୍କ ଟଙ୍କାକୁ ପ୍ରଶାସନ ସଠିକ୍ ବିନିଯୋଗ ମଧ୍ୟ କରୁନାହିଁ। ଦାନ ପରେ ଏବେ ଆଉ ଏକ ବଡ ପ୍ରଶ୍ନ ଉଠିଛି। ଏହା ପ୍ରଥମ ଦାନ ନୁହେଁ, ଏହା ପୂର୍ବରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ଦାନ ଚେକ ଆକାରେ ଆସିଛି। ମାତ୍ର ଏହାକୁ ସାର୍ବଜନୀନ କରାଯାଇନାହିଁ। ଶ୍ରୀମନ୍ଦିର ପ୍ରଶାସନ ହୁଣ୍ଡିରେ ମିଳୁଥିବା ଦାନ ଅର୍ଥ, ସୁନା ରୁପାକୁ ପ୍ରତିଦିନ ସାର୍ବଜନୀନ କରୁଥିବା ବେଳେ ଚେକ୍ ଓ ଅନ୍ୟ ଉପାୟରେ ଶ୍ରୀମନ୍ଦିରକୁ ସିଧାସଳଖ ମିଳିଥିବା ଦାନ ଅର୍ଥକୁ ସାର୍ବଜନୀନ କରୁନାହିଁ। କିଏ କେତେ ଟଙ୍କା ଦେଉଛନ୍ତି ଦାତାଙ୍କ ନାମ ତାଲିକା ରହୁନାହିଁ। ଫଳରେ ଦାନକୁ ନେଇ ସ୍ବଚ୍ଛତା ରହୁନାହିଁ। ଦୈନିକ ନ ହେଲେ ବି ଅତିକମରେ ମାସକୁ ଥ‌ରେ ମହାପ୍ରଭୁଙ୍କ ଚେକ ଓ ଅନ୍ୟ ଉପାୟରେ ମିଳୁଥିବା ଦାନ ଅର୍ଥକୁ ସାର୍ବଜନୀନ କରିବାକୁ ମତ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଦାନ କରୁଥିବା ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୃତଜ୍ଞତା ପତ୍ର ଓ ଭେଟି ଦିଆଗଲେ ଭକ୍ତଙ୍କ ଉତ୍ସାହ ବଢ଼ିବ ବୋଲି ପ୍ରସ୍ତାବ ମଧ୍ୟ ଦିଆଯାଇଛି।

ସମ୍ବନ୍ଧିତ ଖବର