ଭୁବନେଶ୍ବର : ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଅନେକ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଦାନ ଦିଆଯାଇଛି। ୟର୍ନେଷ୍ଟ ଆଣ୍ଡ୍ ୟଙ୍ଗ୍ ପକ୍ଷରୁ ମିତ୍ରଭାନୁ ଚୌଧୁରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ୫୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ରାଜ୍ୟ ଦୁର୍ନୀତି ନିବାରଣ ବିଭାଗର କର୍ମଚାରୀମାନେ ୧୪,୩୫,୫୮୦ ଟଙ୍କା ପ୍ରଦାନ କରିଛନ୍ତି। ବିଭାଗ ପକ୍ଷରୁ ଏହାର ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଚେକ୍ ପ୍ରଦାନ କରିଛନ୍ତି। ଟିଟିଲାଗଡ଼ର ଓମ୍ ଭ୍ୟାଲି ସ୍କୁଲ୍ ପକ୍ଷରୁ ୫ ଲକ୍ଷ ଟଙ୍କା, ବିଏସ୍ଏନ୍ଏଲ୍ ପେନ୍ସନର୍ସ ୱେଲ୍ଫେୟାର ଆସୋସିଏସନ୍ ପକ୍ଷରୁ ୨ ଲକ୍ଷ ଟଙ୍କା, ଭୁବନେଶ୍ବର ରୋଟାରି କ୍ଲବ୍ ପକ୍ଷରୁ ୧.୫ ଲକ୍ଷ ଟଙ୍କା, ବେଙ୍ଗାଲୁରୁର ଯୁବ ଶିଳ୍ପପତି ଅଂଶୁମାନ ମହାପାତ୍ର ୧ ଲକ୍ଷ ଟଙ୍କା, ରାଜ୍ୟ ପର୍ଯ୍ୟଟନ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ନିର୍ଦ୍ଦେଶକ ନିର୍ମଳ ଚନ୍ଦ୍ର ମିଶ୍ର ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ୧ ଲକ୍ଷ ଟଙ୍କା, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୧ ଲକ୍ଷ ଟଙ୍କା ଓ ଆପିକଲ୍ର କର୍ମଚାରୀଙ୍କ ପକ୍ଷରୁ ୪୯,୦୬୯ ଟଙ୍କା ପ୍ରଦାନ କରାଯାଇଛି। ଏହା ସହ ବ୍ରାଜିଲ୍ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅଶୋକ ଦାସ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ୩୧,୮୨୪ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ସମୁଦାୟ ୧୦ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କ ପକ୍ଷରୁ ୭୬,୬୬,୪୭୩ ଟଙ୍କା ପ୍ରଦାନ କରାଯାଇଛି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp