ଯୁବ ସ୍ବାଭିମାନ ଦିବସରେ ରକ୍ତ ଦେଲେ, ଗଛ ଲଗାଇଲେ

କରୋନା କଟକଣା ମଧ୍ୟରେ ୩୨୯୭ ୟୁନିଟ ରକ୍ତ ସଂଗ୍ରହ, ୬୦ ହଜାରରୁ ଊର୍ଦ୍ଧ୍ବ ଚାରା ରୋପିତ

ଭୁବନେଶ୍ବର : ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ‘ସମ୍ବାଦ’ର ସମ୍ପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଜନ୍ମଦିନକୁ ସାରା ରାଜ୍ୟରେ ଆଜି ‘ଯୁବ ସ୍ବାଭିମାନ ଦିବସ’ ରୂପେ ପାଳନ କରାଯାଇଛି। କରୋନା ମହାମାରୀ ଯୋଗୁଁ ସାରା ରାଜ୍ୟରେ ରକ୍ତଦାନ ଅଭିଯାନ ବାଧାପ୍ରାପ୍ତ ହୋଇଥିବା ସମୟରେ ରାଜ୍ୟର କୌଣସି ରକ୍ତଭଣ୍ଡାରରେ ଯେପରି ରକ୍ତର ଅଭାବ ନରହେ, ତାହାକୁ ନଜରରେ ରଖି ଆଜି ବିଭିନ୍ନ ସ୍ଥାନରେ ରକ୍ତଦାନ ଶିବିରମାନ ଆୟୋଜନ କରାଯାଇଥିଲା। ଆଜି ଗୋଟିଏ ଦିନରେ ସାରା ରାଜ୍ୟରେ ମୋଟ ୬୩ଟି ଶିବିର ଆୟୋଜିତ ହୋଇଥିବା ବେଳେ ଏଥିରୁ ୩୨୯୭ୟୁନିଟ ରକ୍ତ ସଂଗ୍ରହ ହୋଇଛି। ଗତବର୍ଷ ଏହି କାର୍ଯ୍ୟକ୍ରମରେ ସମାନ ସଂଖ୍ୟକ ଶିବିରରୁ ୨୩୫୩ ୟୁନିଟ ସଂଗୃହୀତ ହୋଇଥିଲା ବେଳେ ଏବର୍ଷ ତାହା ୩୨୯୭କୁ ବୃଦ୍ଧି ପାଇଛି।

‘ସମ୍ବାଦ’ର ୯ଟି ଜୋନ୍‌ରେ ‘ଆମ ଓଡ଼ିଶା’ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସହଯୋଗରେ ୩୦ଟି ଜିଲ୍ଲାରେ ଏହି ୬୩ଟି ଶିବିର ଆୟୋଜନ କରାଯାଇଥିଲା। ଏଥିରେ ରକ୍ତ ଦେବାକୁ ଯୁବପିଢ଼ିଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ଚଳିତବର୍ଷ ସମ୍ବଲପୁର ଜୋନ୍‌ର ଜେଏସ୍‌ଡବ୍ଲ୍ୟୁ – ଭୂଷଣ ପାୱାର ଆଣ୍ଡ ଷ୍ଟିଲ ଲିମିଟେଡ ଶିବିରରୁ ସର୍ବାଧିକ ୨୮୬ ୟୁନିଟ ରକ୍ତ ସଂଗ୍ରହ ହୋଇଛି। ବଲାଙ୍ଗୀର ଜିଲ୍ଲା ସାମ୍ବାଦିକ ଭବନ ଶିବିରରୁ ୨୨୨ ୟୁନିଟ, ବରଗଡ଼ କଲ୍ୟାଣ ମଣ୍ଡପ ଶିବିରରୁ ୨୦୦ ୟୁନିଟ, ସମ୍ବଲପୁରର ଶ୍ୟାମ ମେଟାଲିକ୍ସ ଶିବିରରୁ ୧୬୧ ୟୁନିଟ, କଟକର ଯୋବ୍ରା ପୂଜା ମଣ୍ଡପ ଶିବିରରୁ ୧୦୩ୟୁନିଟ ଓ ପାରାଦୀପ ସ୍ଥିତ ଅଟଳ ବିହାରୀ ବାଜପେୟୀ ଟ୍ରଷ୍ଟ ଶିବିରରୁ ୧୦୨ ୟୁନିଟ ରକ୍ତ ସଂଗ୍ରହ ହୋଇଛି।

ଚଳିତବର୍ଷ ସମ୍ବଲପୁର୍‌ ଜୋନ୍‌ରେ ସର୍ବାଧିକ ୧୯ଟି ଶିବିିରରୁ ୧୪୩୬ୟୁନିଟ ରକ୍ତ ସଂଗ୍ରହ ହୋଇଛି। କଟକ ଜୋନ୍‌ରେ ୮ଟି ଶିବିିରରୁ ୪୮୮ ୟୁନିଟ, ଭୁବନେଶ୍ବର ଜୋନରେ ୫ଟି ଶିବିରରୁ ୨୭୦ ୟୁନିଟ, ଅନୁଗୁଳ ଜୋନ୍‌ରେ ୪ଟି ଶିବିରରୁ ୨୬୭ୟୁନିଟ, ବାଲେଶ୍ବର ଜୋନ୍‌ରେ ୬ଟି ଶିବିରରୁ ୨୦୪ୟୁନିଟ, ବ୍ରହ୍ମପୁର ଜୋନ୍‌ରେ ୫ଟି ଶିବିରରୁ ୧୮୪ୟୁନିଟ୍, ଜୟପୁର ଜୋନ୍‌ରେ ୬ଟି ଶିବିରରୁ ୧୬୪ୟୁନିଟ, ରାଉରକେଲା ଜୋନ୍‌ରେ ୫ଟି ଶିବିରରୁ ୧୫୩ୟୁନିଟ ଏବଂ ଯାଜପୁର ଜୋନରେ ୫ଟି ଶିବିରରୁ ୧୩୧ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି। ଏହାଦ୍ବାରା ରାଜ୍ୟର ସମସ୍ତ ରକ୍ତଭଣ୍ଡାର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେମାନଙ୍କର ଆବଶ୍ୟକୀୟ ପରିମାଣର ରକ୍ତ ସଂଗ୍ରହ କରପାରିଛନ୍ତି। ରାଜ୍ୟ ରକ୍ତ ସଂଚାଳନ ପରିଷଦ ଓ ରାଜ୍ୟର ସମସ୍ତ ରକ୍ତଭଣ୍ଡାରଗୁଡ଼ିକର ସହାୟତାରେ ଶିବିରଗୁଡ଼ିକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ଅନୁଷ୍ଠାରର କର୍ମକର୍ତ୍ତା ଏବଂ ସମ୍ବାଦ ଓ ଆମ ଓଡ଼ିଶାର ସଦସ୍ୟମାନଙ୍କ ଦ୍ବାରା କୋଭିଡ଼୍ ନିୟମ ମାନି ସୂଚାରୂ ରୂପେ ଶିବିର ପରିଚାଳନା କରାଯାଇଥିଲା।

କରୋନା ମହାମାରୀ ସମୟରେ ରକ୍ତଦାନ କାର୍ଯ୍ୟକ୍ରମର ସଫଳତା ପାଇଁ ‘ଆମ ଓଡ଼ିଶା’ ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ ରକ୍ତଦାତା, ସହଯୋଗୀ ଅନୁଷ୍ଠାନ ଓ ସ୍ବେଚ୍ଛାସେବୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।


ବୃକ୍ଷରୋପଣ ଅଭିଯାନ ଶେଷ: ୬୦ ହଜାରରୁ ଊର୍ଦ୍ଧ୍ବ ଚାରା ରୋପିତ
ବାଲେଶ୍ବର : ଯୁବ ସ୍ବାଭିମାନ ଦିବସ ଅବସରରେ ‘ସମ୍ବାଦ-ସାହିତ୍ୟଘର’ ପକ୍ଷରୁ ଆରମ୍ଭ ହୋଇଥିବା ବୃକ୍ଷରୋପଣ ଅଭିଯାନ ବୁଧବାର ଦିନ ଉଦ୍‌ଯାପିତ ହୋଇଯାଇଛି। କଟକ ସହର ଭୁଆଶୁଣୀ ପୀଠରେ ପୂଜାର୍ଚ୍ଚନା ସହିତ କେଏମ୍‌ବିବି କଲେଜ ପରିସରରେ ବୃକ୍ଷରୋପଣ କରାଯାଇ ଏହି ଅଭିଯାନ ଶେଷ ହୋଇଛି।

ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ‘ସମ୍ବାଦ’ର ସଂପାଦକ ତଥା ସାହିତ୍ୟଘରର ପ୍ରତିଷ୍ଠାତା ସୌମ୍ୟରଂଜନ ପଟ୍ଟନାୟକ, ବାର୍ତ୍ତା ବିଭାଗର ମୁଖ୍ୟ ଅରବିନ୍ଦ ଦାସ, ସମ୍ବାଦ-ସାହିତ୍ୟଘରର ରାଜ୍ୟ ସଂଯୋଜିକା ଡ. ଶୁଭଶ୍ରୀ ଲେଙ୍କାଙ୍କ ସମେତ କଟକର ୭୦ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ। ଜୁଲାଇ ମାସ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯାନରେ ରାଜ୍ୟର ୩୧୪ ବ୍ଲକ୍‌ରୁ ୨୫୯ଟି ବ୍ଲକ୍‌ରେ ୩୯୯ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ୬୦ ହଜାର ୧୨୭ରୁ ଅଧିକ ଗଛ ଲଗାଯାଇଛି। ଝାଡ଼ଖଣ୍ଡର ଦୁଇଟି ଶାଖା ବି ଏଥିରେ ସାମିଲ ଅଛି। ଭୁବନେଶ୍ବର ସଂସ୍କରଣରେ ୪୩୯୨, କଟକ ସଂସ୍କରଣରେ ୫୬୦୬, ସମ୍ବଲପୁର ସଂସ୍କରଣରେ ୭୮୨୦, ବାଲେଶ୍ବର ସଂସ୍କରଣରେ ୧୬୪୯୪, ବ୍ରହ୍ମପୁର ସଂସ୍କରଣରେ ୬୦୬୦, ଯାଜପୁର ସଂସ୍କରଣରେ ୫୬୯୯, ଜୟପୁର ସଂସ୍କରଣରେ ୬୪୭୭, ରାଉରକେଲା ସଂସ୍କରଣରେ ୪୪୪୦ ଓ ଅନୁଗୁଳ ସଂସ୍କରଣରେ ୩୦୮୧ଟି ଗଛ ବିଭିନ୍ନ ସ୍ଥାନରେ ଲଗାଯାଇଛି। ଗତ ଜୁଲାଇ ପହିଲାରୁ ବନମହୋତ୍ସବ ଅବସରରେ ଆରମ୍ଭ ହୋଇଥିବା ଏହି ଅଭିଯାନରେ ରାଜ୍ୟର ବିଭିନ୍ନ ସଂଗଠନ ଓ ବନ ବିଭାଗ ସାମିଲ ହୋଇଥିଲେ। ଏହି ସଫଳ ଅଭିଯାନ ପାଇଁ ‘ସମ୍ବାଦ’ର ସଂପାଦକ ଶ୍ରୀ ପଟ୍ଟନାୟକ ଓ ଡ. ଲେଙ୍କା ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର