ବିକ୍ରି ହେଉଛି ରକ୍ତ!

ରକ୍ତଭଣ୍ଡାର ପକ୍ଷରୁ ଅସ୍ୱୀକାର:ଦଲାଲ ଆଡ଼କୁ ଉଠୁଛି ଅଙ୍ଗୁଳି

ତଦନ୍ତ କରିବେ ସିଡିଏମ୍‌ଓ
ବଲାଙ୍ଗୀର: ସୋନପୁର ଜିଲ୍ଲା ତରଭା ବ୍ଲକ କମ୍‌ସରା ପଞ୍ଚାୟତ ବଡ଼ଝୁର ଗାଁର ଶ୍ରୀଧର ନାଏକ। ୫୫ ବର୍ଷୀୟ ଶ୍ରୀଧରଙ୍କ ପେଟରେ ଟ୍ୟୁମର ହୋଇଛି। ତେଣୁ ସେ ଅସୁସ୍ଥ ହୋଇଛନ୍ତି। ଗତ ମଙ୍ଗଳବାର ଶ୍ରୀଧରଙ୍କୁ ଧରି ସ୍ତ୍ରୀ ଲଙ୍କେଶ୍ୱରୀ ଆସିଥିଲେ ବଲାଙ୍ଗୀର ମୁଖ୍ୟ ଡାକ୍ତରଖାନାକୁ। ଭର୍ତ୍ତି କରିଥିଲେ। ଡାକ୍ତର କହିଥିଲେ ଅସ୍ତ୍ରୋପଚାର କରାଯିବ। ତେଣୁ ଶ୍ରୀଧରଙ୍କୁ ରକ୍ତ ଦିଆଯିବା ଦରକାର। ମଙ୍ଗଳବାରଠାରୁ ଏ୧ବି ପୋଜେଟିଭ୍‌ ଗ୍ରୁପ୍‌ର ରକ୍ତ ନେବା ପାଇଁ ଲଙ୍କେଶ୍ୱରୀ ଧାଇଁଥିଲେ ରକ୍ତଭଣ୍ଡାରକୁ। ସେହି ଗ୍ରୁପର ରକ୍ତ ନଥିବାରୁ ମଙ୍ଗଳବାର ଓ ବୁଧୁବାର ନିରାଶ ହୋଇ ଫେରି ଆସିଥିଲେ ଅସୁସ୍ଥ ଶ୍ରୀଧରଙ୍କ ପତ୍ନୀ। ଓଲଟି ତାଙ୍କୁ ଗାଳିଗୁଲଜ କରାଯାଇଥିଲା। ରକ୍ତ ନାହିଁ, ଘରୁ ଆଣି ଦେବୁ କି ବୋଲି କହି ଲଙ୍କେଶ୍ୱରୀଙ୍କୁ ଯିବା ପାଇଁ କୁହାଯାଇଥିଲା। ଏପଟେ ଲଙ୍କେଶ୍ୱରୀଙ୍କର କେହି ନାହାନ୍ତି ଯେ, ତାଙ୍କ ପାଇଁ ରକ୍ତ ବଦଳ କରିବ କି ଆବଶ୍ୟକ ଗ୍ରୁପର ରକ୍ତ ଦେବ।

ଗୁରୁବାର ଦିନ ରକ୍ତ ଭଣ୍ଡାରର ଜଣେ କର୍ମଚାରୀ ଜଣେ ରକ୍ତଦାତାଙ୍କୁ ଡକାଇ ଏ୧ବି ପୋଜେଟିଭ୍‌ ଗ୍ରୁପ୍‌ର ରକ୍ତ ସଂଗ୍ରହ କରାଯାଇଥିଲା। ହେଲେ ଲଙ୍କେଶ୍ୱରୀଙ୍କ ଅଭିଯୋଗ ଅନୁସାରେ, ଗୁରୁବାର ସେ ସ୍ୱାମୀଙ୍କ ପାଇଁ ରକ୍ତ ନେବା ପାଇଁ ରକ୍ତଭଣ୍ଡାର ସାମ୍ନାରେ ଅପେକ୍ଷା କରିଥିବା ବେଳେ ଜଣେ ଆସି ତାଙ୍କଠାରୁ ୧୫ ଶହ ଟଙ୍କା ଦାବି କରିଥିଲେ। କିଛି ଦିନ ହେଲା ସେ ନିରାଶ ହୋଇ ଫେରୁଥିବା ବେଳେ ଟଙ୍କା ଦେଲେ ତାଙ୍କୁ ରକ୍ତ ମିଳିଯିବ ବୋଲି କହିଥିଲେ। ୧୫ଶହ ନୁହେଁ, ୧୨ ଶହ ଦେବାକୁ ରାଜି ହୋଇଥିଲେ। ଯୁବକ ଜଣଙ୍କ ଲଙ୍କେଶ୍ୱରୀଙ୍କଠାରୁ ଟଙ୍କା ନେବା ପରେ ରକ୍ତ ମିଳି ଯାଇଥିଲା। ଗୁରୁବାର ଶ୍ରୀଧରଙ୍କୁ ରକ୍ତ ଚଢ଼ାଯାଇଥିଲା। ଅସ୍ତ୍ରୋପଚାର ପୂର୍ବରୁ ଅଧିକ ରକ୍ତ ଆବଶ୍ୟକ କରୁଥିବା ବେଳେ ସ୍ୱେଚ୍ଛାସେବୀ ସୁରଜିତ ଦାସ ଲଙ୍କେଶ୍ୱରୀ ଓ ଶ୍ରୀଧରଙ୍କ ସହ ଯୋଗାଯୋଗରେ ଆସିଥିଲେ। କଥା ହେବା ବେଳେ ରକ୍ତ ବଦଳରେ ତାଙ୍କଠାରୁ ୧୨ଶହ ଟଙ୍କା ନିଆଯାଇଥିବା ଜାଣିବା ପରେ ଶ୍ରୀ ଦାସ ପ୍ରତିବାଦ କରିଥିଲେ। ‘ସମ୍ବାଦ’ ନଜରକୁ ଏହି ଖବର ଆସିବା ପରେ ଆରମ୍ଭ ହୋଇଥିଲା ତନାଘନା। ଅନ୍ୟପଟେ ଯୁବ ସ୍ୱେଚ୍ଛାସେବୀ ସୁରଜିତ ଅସୁସ୍ଥ ଶ୍ରୀଧରଙ୍କ ପାଇଁ ଆବଶ୍ୟକ ହେଉଥିବା ରକ୍ତ ଦିଆଯିବା ପାଇଁ ବ୍ୟବସ୍ଥା କରାଇଥିଲେ।

ଏଭଳି ଅଭିଯୋଗ ନୂଆ ନୁହେଁ, ପୂର୍ବରୁ ବି ଏଭଳି ଅଭିଯୋଗ ରହି ଆସିଛି। କେତେଜଣ କର୍ମଚାରୀଙ୍କ ଭୂମିକା ସନ୍ଦେହଜନକ ଥିବା ବେଳେ ଜଣେ ମୁଖିଆ ବାବୁ ତ ସବୁ ସୀମା ପାରି କରିଦେଲେଣି। ତେବେ ଅସହାୟ ଲଙ୍କେଶ୍ୱରୀଙ୍କଠାରୁ ୧୨ ଶହ ଟଙ୍କା ନେଲା କିଏ? ଶୁକ୍ରବାର ଏହି ମାମଲା ଉପରେ ପରଦା ପକାଇବାକୁ ଚେଷ୍ଟା କରାଯାଇଛି। କେହି କିଛି ଜାଣି ନାହାନ୍ତି। ରକ୍ତଭଣ୍ଡାର ନୁହେଁ, ବାହାର ଲୋକ ଟଙ୍କା ନେଇଥିବା କୈଫିୟତ ଦିଆଯାଉଛି। କେବେ ହେଲେ ବି କୌଣସି କର୍ମଚାରୀ ଟଙ୍କାଟିଏ ନେଇ ନାହାନ୍ତି ବୋଲି ଛାତି ପିଟି କହୁଛନ୍ତି। ଓଲଟି ଶ୍ରୀଧରଙ୍କ ପାଇଁ ରକ୍ତଭଣ୍ଡାର କର୍ମଚାରୀମାନେ ସ୍ୱେଚ୍ଛା ରକ୍ତଦାତା ଯୋଗାଡ଼ କରି ଶ୍ରୀଧରଙ୍କ ପାଇଁ ରକ୍ତ ଦେଇଥିବା କହୁଛନ୍ତି। ତେବେ ପ୍ରଶ୍ନ ଉଠୁଛି ଯେ, ତିନି ଦିନ ହେଲା ନିର୍ଦ୍ଦିଷ୍ଟ ଗ୍ରୁପର ରକ୍ତ ପାଇଁ ଧାଉଁଥିବା ଲଙ୍କେଶ୍ୱରୀ ଗୁରୁବାର ରକ୍ତ ପାଇଯିବେ ବୋଲି ବାହାର ଲୋକ ଜାଣିଲେ କେମିତି?

ଲଙ୍କେଶ୍ୱରୀ ଟଙ୍କା ଦେବା ପରେ ହିଁ ତାଙ୍କ ହାତକୁ ରକ୍ତ ପେକେଟ ବଢ଼େଇ ଦିଆଗଲା। ଘଟଣାକୁ ଘୋଡ଼ାଇବାକୁ ଚେଷ୍ଟା କଲେ ବି ରକ୍ତ ବିକ୍ରି ପ୍ରସଙ୍ଗ ପାଇଁ ବେଶ୍‌ ବିବାଦୀୟ ହୋଇଛି ରକ୍ତଭଣ୍ଡାର। ଦଲାଲ ବି ଏଠାରେ ସକ୍ରିୟ ଥିବା ଅଭିଯୋଗ ହେଉଛି। ଦଲାଲ ସହିତ ରକ୍ତଭଣ୍ଡାର କର୍ମଚାରୀଙ୍କ ସହମତି ବି ରହିଛି। ତେଣୁ ଏଭଳି ଟଙ୍କା କାରବାର ହେଉଥିବା ଚର୍ଚ୍ଚା ହେଉଛି। ରକ୍ତ ନାଁରେ ବେପାର କରୁଥିବା ବାବୁମାନଙ୍କୁ ଧରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ଦାବି ହେଉଛି। ଏ ସଂପର୍କରେ ସିଡିଏମ୍‌ଓ ଡା.ସୁଜ୍ଞାନେନ୍ଦ୍ର ମିଶ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଏଭଳି ଅଭିଯୋଗ ପାଇ ନଥିଲେ। ଶନିବାର ଏସଂପର୍କରେ ପଚରା ଉଚୁରା କରିବା ସହ ଟଙ୍କା ଦେଇଥିବା ଲଙ୍କେଶ୍ୱରୀଙ୍କୁ ଡାକି ଅନୁସନ୍ଧାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର