ଅନ୍ୟ ପାଇଁ ସମର୍ପିତ: ସାରା ଭାରତବର୍ଷରେ ଖୁସି ବାଣ୍ଟିଲା ଦାନ ଉତ୍ସବ

ଭୁବନେଶ୍ବର: ପାର୍ବଣର ମାହୋଲ ଦଶହରାରେ ଲୋକଙ୍କ ଉତ୍ସାହ ଓ ଉଦ୍ଦୀପନାକୁ ଦ୍ବିଗୁଣିତ କରିଛି ଦାନ ଉତ୍ସବ। ସାରା ଭାରତରେ ୨୦୦୯ରୁ ଆରମ୍ଭ ହୋଇଥିବା ଏହି ପର୍ବକୁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ସାଧାରଣ ମଣିଷ ବିଭିନ୍ନ ଉପାୟରେ ବିଭିନ୍ନ ବର୍ଗରେ ଉତ୍ସାହର ସହିତ ପାଳନ କରିଆସୁଛନ୍ତି । ଅକ୍ଟୋବର ୨ରୁ ୮ ତାରିଖ ପର୍ଯ୍ୟନ୍ତ ଏଥିପାଇଁ କେବଳ ଭୁବନେଶ୍ବର ନୁହେଁ, ପ୍ରତି ଜିଲ୍ଲାରେ ଏପରିକି ସାରା ଭାରତବର୍ଷର କୋଣଅନୁକୋଣରେ ଅଭିନବ ଢଙ୍ଗରେ ପାଳନ କରୁଛନ୍ତି ସଭିଏଁ ।

ଭୁବନେଶ୍ବରସ୍ଥିତ ବକୁଳ ଫାଉଣ୍ଡେସନର ୩୦୦ ସ୍ବେଚ୍ଛାସେବୀ ଭୁବନେଶ୍ବରର ୫୦ରୁ ଅଧିକ ବସ୍ତି ଅଞ୍ଚଳରେ ପିଲାଙ୍କ ସହ ଖେଳ, ନାଚଗୀତ, ହସ୍ତଶିଳ୍ପ କାରିଗରି ଆଦି ବିଭିନ୍ନ ଉପାୟରେ ଛୋଟ ଛୋଟ ପିଲାଙ୍କ ମଧ୍ୟରେ ଖୁସି ବାଣ୍ଟିଥିଲେ । ସବୁଠୁ ଆକର୍ଷଣୀୟ ଦୃଶ୍ୟ ଥିଲା ଗୋଟିଏ ପଟେ ନାଲକୋର ଅବସରପ୍ରାପ୍ତ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଅମୀୟ ଓ ପଟ୍ଟନାୟକ ଓ ଅନ୍ୟପଟେ ୧୩ ବର୍ଷୀୟ ନିଖାର ସୋମାନି। ଛୋଟପିଲାଙ୍କ ସହ ନିଜେ ଶିଶୁ ସାଜି ବଲ୍ ଖେଳୁଥିବା ଦୃଶ୍ୟ ସମସ୍ତଙ୍କୁ ଆହୁରି ଅଧିକ ଉତ୍ସାହିତ କରିଥିଲା । ଓଡ଼ିଆ ସିନେ ଜଗତର ଲୋକପ୍ରିୟ ଅଭିନେତ୍ରୀ ପ୍ରିୟା ଚୌଧୁରୀ ମଧ୍ୟ ଏହି ଉତ୍ସବରେ ଯୋଡ଼ି ହୋଇ ଛୋଟଛୋଟ ପିଲାଙ୍କୁ କାହାଣୀ ଶୁଣାଇ ଖୁବ୍ ଉତ୍ସାହିତ କରିଥିଲେ । କେବଳ ଏତିକି ନୁହେଁ ଯେଉଁ ପିଲାମାନେ ବକୁଳ ଲାଇବ୍ରେରିରେ ଆସି ୧୦ଟି ଲେଖାଏଁ ବହି ପଢିବେ ସେମାନଙ୍କୁ ବକୁଳ ପକ୍ଷରୁ ପୁରସ୍କୁତ କରାଯିବ। ଏହାଦ୍ବାରା ପିଲାଙ୍କର ବହି ପଢିବା ପ୍ରତି ଆଗ୍ରହ ସୃଷ୍ଟି ହେବ ବୋଲି କହିଛନ୍ତି ବକୁଳ ପ୍ରତିଷ୍ଠାତା ସୁଜିତ ମହାପାତ୍ର ।

କଳାହାଣ୍ଡି ଜିଲ୍ଲା ଭାନୁପୁରବାସୀ ଜଗଦୀଶ ପ୍ରଧାନ, ତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଦାନ ଉତ୍ସବ ପରମ୍ପରାରେ ସାମିଲ କରି ୪୦ଟି ପରିବାର ମୁହଁରେ ହସ ଫୁଟାଇଛନ୍ତି । ଆଖପାଖ ଅଞ୍ଚଳରେ ତମ୍ବୁ ତଳେ ଜୀବନ ବିତାଉଥିବା ୫୦ ଜଣ ଜିପ୍ସି ସମ୍ପ୍ରଦାୟ ଛୁଆଙ୍କ ପାଇଁ ଖାଦ୍ୟ ଓ ପାନୀୟର ବ୍ୟବସ୍ଥା କରିଥିଲେ ଜଗଦୀଶ ପ୍ରଧାନଙ୍କ ସାନ ଝିଅ । ଯାହାଙ୍କ ଏହି ପ୍ରୟାସ ସମସ୍ତଙ୍କ ପାଇଁ ଆଜି ଉଦାହରଣ ପାଲଟିଛି । ଶ୍ରୀ ଜଗଦୀଶ ଓ ତାଙ୍କ ଝିଅଙ୍କ କହିବା ଅନୁସାରେ ଏହା କୌଣସି ଦାନ ନୁହେଁ, ଛୋଟ ଛୋଟ ପିଲାଙ୍କ ସହ ଯୋଡ଼ି ହେବା, ସେମାନଙ୍କ ସାମ୍ପ୍ରତିକ ସମସ୍ୟା, ସେମାନଙ୍କର ସ୍ବପ୍ନ ଓ ଆକାଂକ୍ଷା ସଂପର୍କରେ ଜାଣିବାର ଏହା କେବଳ ମାତ୍ର ପ୍ରୟାସ । ଜଗତୀଶଙ୍କ କିଛି ବନ୍ଧୁ ଓ ଗାଁର ଯୁବକମାନେ ଏକ ହୋଇ ସମସ୍ତ ପରିବାରକୁ ବସବାସ ପାଇଁ ଉଚିତ୍ ଘର, ପିଲାଙ୍କର ଶିକ୍ଷା ପାଇଁ ଅଣ୍ଟା ଭିଡ଼ିଛନ୍ତି । ଏଥିସହ କେବଳ ଧାତୁ କାମ କରି ପରିବାର ପ୍ରତିପୋଷଣ କରୁଥିବା ପ୍ରାୟ ୪୦ଟି ଜିପ୍ସି ସମ୍ପ୍ରଦାୟ ପରବାର କିଭଳି ଅଧିକ କାମ କରି ଭଲ ଦିପଇସା ରୋଜଗାର କରିପାରିବେ ସେଥିପାଇଁ ମଧ୍ୟ ପ୍ରୟାସ ଆରମ୍ଭ କରିଛନ୍ତି।

ସେହିପରି ପୁରୀରେ ରକ୍ତଦାନ କରି ଦାନ ଉତ୍ସବ ପାଳନ କରିଛି ମିଶନ ଓଡ଼ିଶା। ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ଅନୁଷ୍ଠିତ ଏହି ଶିବିରରେ ଅତିରିକ୍ତ ଜିଲ୍ଲାପାଳ କୈଳାଶ ଚନ୍ଦ୍ର ନାୟକ ଯୋଗ ଦେଇ ୩୩ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟ ସଂଯୋଜନାରେ ଝଣ୍ଡୁ ଫାର୍ମାସୀ ସହଯୋଗରେ ୬୫ ଜଣଙ୍କର ମାଗଣା ବୋନ୍ ମିନେରାଲ ଡେନସିଟି ମଧ୍ୟ ଟେଷ୍ଟ କରାଯାଇଥିଲା । ପ୍ରତିବର୍ଷ ପୁରୀ ସହରରେ ଦାନ ଉତ୍ସବ ଏଭଳି ଅଭିନବ ଢଙ୍ଗରେ ପାଳନ କରାଯାଉଥିବା ବେଳେ ଆଗକୁ ମଧ୍ୟ ଏହା ଜାରି ରହିବ ବୋଲି କହିଛନ୍ତି ମିଶନ ଓଡ଼ିଶା ସମ୍ପାଦକ ମଧୁସୂଦନ ମିଶ୍ର ।

ଜଣଙ୍କ ପରେ ଜଣେ ଦାନ ଉତ୍ସବ ପରିବାରର ସଦସ୍ୟ ହୋଇ ଯୋଡ଼ି ହେବା ସହିତ ଖୁସି ବାଣ୍ଟିବାରେ ବ୍ୟସ୍ତ। ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ାର ନାଗରିକ ମଞ୍ଚ ହାଟର ପ୍ରୟାସ ସମସ୍ତଙ୍କ ପାଇଁ ପ୍ରେରଣାଦାୟୀ । ଆଦିବାସୀ ସମ୍ପ୍ରଦାୟର ୨୦୦ ବୟସ୍କଙ୍କୁ ନିମନ୍ତ୍ରଣ କରି ପ୍ରତ୍ୟେକଙ୍କୁ ନୂତନ ବସ୍ତ୍ର ଉପହାର ଦିଆଯାଇଥିଲା । ସମସ୍ତଙ୍କ ପାଇଁ ଅନ୍ନପ୍ରସାଦର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କେବଳ ଏତିକି ନୁହେଁ, ବ୍ୟବହାର ଉପଯୋଗୀ କିଛି ପୁରୁଣା ବସ୍ତ୍ର ମଧ୍ୟ ଏକତ୍ରିତ କରି ରଖାଯାଇଥିଲା । ଆବଶ୍ୟକତା ରଖୁଥିବା ବ୍ୟକ୍ତି ଯିବା ସମୟରେ ନିଜ ଇଚ୍ଛା ମୁତାବକ ସାଙ୍ଗରେ ନେଇ ଯାଇଥିଲେ, ଯାହା ସେମାନଙ୍କ ମୁହଁରେ ହସ ଫୁଟାଇବାକୁ ନାଗରିକ ହାଟ ମଞ୍ଚ ପକ୍ଷରୁ ଏକ ଛୋଟ ପ୍ରୟାସ କରାଯାଇଥିଲା ।

ଲୋକଙ୍କ ଉଦ୍ଦେଶ୍ୟରେ ପାଠାଗାର ପ୍ରତିଷ୍ଠା କରିବା ସହଜ କଥା ନୁହେଁ । କିନ୍ତୁ ଚଳିତ ଦାନ ଉତ୍ସବ ଉପଲକ୍ଷେ ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାପାଳ ଓ କୋଟ୍ଟମରେ ୨ଟି ଲାଇବ୍ରେରି ପ୍ରତିଷ୍ଠା ପାଇଁ ପ୍ରୟାସ ଆରମ୍ଭ କରିଛି ବିଶ୍ବ ଓଡ଼ିଶା। ଲୋକଙ୍କ ପାଖରୁ ପୁରୁଣା ଓ ଲାଇବ୍ରେରୀ ଉପଯୋଗୀ ବହି ଓ ଅନ୍ୟାନ୍ୟ ଅଧ୍ୟୟନ ସାମଗ୍ରୀ ସଂଗ୍ରହ କରାଯାଉଛି । ଏଥିସହ ପାଠାଗାର ପାଇଁ ଆବଶ୍ୟକ ଉପକରଣ ଯଥା ଟେବଲ, ଚେୟାର, ଆଲମିରା, କାରପେଟ୍ ପଙ୍ଖା ଆଦି ମଧ୍ୟ ଯୋଗାଡ଼ କରାଯାଉଛି । ଆଉ ଏହି ଲାଇବ୍ରେରି ପ୍ରତିଷ୍ଠା ପାଇଁ ଓଡ଼ିଶା ବୁକ୍ ଟ୍ରଷ୍ଟ ସହାୟତାର ହାତ ବଢାଇଛି । ପାଠାଗାର ପାଇଁ ଆବଶ୍ୟକୀୟ ସାମଗ୍ରୀ ଗୁଡ଼ିକୁ ମୁଖ୍ୟତଃ ଢେଙ୍କାନାଳ ଜିଲ୍ଲାର ସ୍କୁଲ, ସଂସ୍ଥା, ଶିଳ୍ପାନୁଷ୍ଠାନର କର୍ମଚାରୀ ପ୍ରଦାନ କରୁଛନ୍ତି । ଗଁଦିଆର ରାମଚନ୍ଦ୍ରପୁର ପ୍ରାଥମିକ ବିଦ୍ୟାଳୟରେ ଗରିବ ଛାତ୍ରଛାତ୍ରୀଙ୍କ ଜେଜେବାବାଓ ମାଆମାନଙ୍କୁ ଇନର ହ୍ବିଲ କ୍ଲବ୍ ପକ୍ଷରୁ ନୂତନ ବସ୍ତ୍ର ଯଥା ଲୁଗାପଟା, ପୋଷାକପତ୍ର ଆଦି ବଣ୍ଟନ କରାଯାଇଥିଲା । ଡିପିଏସ, ଦିଲ୍ଲୀ ପବ୍ଲିକ୍ ସ୍କୁଲ ଢେଙ୍କାନାଳ ପକ୍ଷରୁ ଦାନ ଉତ୍ସବ ପାଳନ କରାଯିବା ସହ ସମସ୍ତ କର୍ମଚାରୀଙ୍କ ସହଭାଗିତା ପାଇଁ ପ୍ରଶଂସା କରାଯିବା ସହ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।

ସାରା ଭାରତବର୍ଷ ଦାନ ଉତ୍ସବ ପାଳନ କରୁଥିବା ଦେଖି ନିଜକୁ ବ୍ୟତିବ୍ୟସ୍ତ ମନେ କରୁଥିବା ରାଉରକେଲାର ପ୍ରଦୀପ ନିଜକୁ ଦାନ ଉତ୍ସବରେ ସାମିଲ ନକରି ରହି ପାରିନଥିଲେ ।ଦାନ ଉତ୍ସବ ଉପଲକ୍ଷେ ଗ୍ରୀନ ଆଣ୍ଡ କ୍ଲିନ୍ ଅଭିଯାନ ଆରମ୍ଭ କରିଥିଲେ। ଢେଙ୍କାନାଳର ସିଆରିୟାରେ ଶହେଟି ଫଳ ଗଛ ଲଗାଇବା ସହ ସହରର ବିଭିନ୍ନ ସର୍ବସାଧାରଣ ସ୍ଥାନରେ ସଫେଇ କରିଥିଲେ । କେବଳ ଏତିକି ନୁହେଁ, ଜଣେ ଡେଙ୍ଗୁ ରୋଗୀଙ୍କୁ ରକ୍ତ ପ୍ରଦାନ କରି ଦାନ ଉତ୍ସବରେ ସାମିଲ ହୋଇଥିବାରୁ ଖୁବ୍ ଖୁସି ଅନୁଭବ କରିଥିଲେ ।

ଯାଜପୁର, କେନ୍ଦୁଝର ଓ ଢେଙ୍କାନାଳ ସୀମାନ୍ତ ମାଓ ଅଞ୍ଚଳ କଣ୍ଡାର ଉପତ୍ୟାକାରେ ବି ଦାନ ଉତ୍ସବ ପାଳନ କରାଯାଇଛି । ୨୦୦୯ରେ ୩ ବନଅଧିକାରୀଙ୍କୁ ମାଓହତ୍ୟା ପରେ ଏହି ଅଞ୍ଚଳ ସତେ ଯେମିତି ନିରବି ଯାଇଥିଲା। ରେଡ୍ ଜୋନ୍ ଅଞ୍ଚଳ ଘୋଷଣା ପରେ ଏଠାରୁ ଲୋକଙ୍କ ଯିବାଆସିବା ବନ୍ଦ ହୋଇଯାଇଥିଲା । ହେଲେ ସଂସ୍କାର ପବ୍ଲିକ୍ ସ୍କୁଲର ଛାତ୍ରଛାତ୍ରୀ ଓ ଷ୍ଟାଫ୍ ସେଠାରେ ଯାଇ ଲୋକଙ୍କ ମୁହଁରେ ହସ ଫୁଟାଇଥିଲେ । ଛୋଟଛୋଟ ପିଲାଙ୍କ ପାଇଁ ଶିକ୍ଷା ଉପକରଣ ଯଥା ସ୍କୁଲ ବ୍ୟାଗ୍, ପେନସିଲ, ରବର, କଟର, ପେନ୍, ପାଣି ବୋତଲ, ଖାଦ୍ୟ ସାମଗ୍ରୀ ଆଦିକୁ କୁନି କୁନି ଛାତ୍ରଛାତ୍ରୀମାନେ ବଣ୍ଟନ କରିଥିଲେ । କେବଳ ଏତିକି ନୁହେଁ, ମହିଳାଙ୍କ ପାଇଁ ନୂତନ ବସ୍ତ୍ର ଆଦି ମଧ୍ୟ ସଂସ୍କାର ଜୟ ଅଫ୍ ଗିଭିଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ବଣ୍ଟନ କରାଯାଇଥିଲା ।

ସେହିପରି ବ୍ୟକ୍ତିଗତ ସ୍ତରରେ ଦାନ ଉତ୍ସବରେ ଅନନ୍ୟ ଉଦାହରଣ ପାଲଟିଛନ୍ତି ଅବସରପ୍ରାପ୍ତ ଆର୍ମୀ ଅଫିସର ତଥା ପ୍ରଫେସର ମଳୟ ପତି। ଉପାନ୍ତ ଅଞ୍ଚଳରେ ଏକ ସିବିଏସଇ ସ୍କୁଲ ପ୍ରତିଷ୍ଠା କରିଥିବା ବେଳେ ସ୍କୁଲର ସମସ୍ତ ତଳ ଶ୍ରେଣୀର କର୍ମଚାରୀଙ୍କୁ ୭୫୦ ଟଙ୍କାର ଏକ କୁପନ୍ ପ୍ରଦାନ କରିଥିଲେ । ଯେଉଁ କୁପନରେ କର୍ମଚାରୀମାନେ ନିଜପାଇଁ ନୁହେଁ ବରଂ ପରିବାରରେ ଥିବା ଛୋଟପିଲା ଓ ମହିଳାଙ୍କ ପାଇଁ ଆବଶ୍ୟକୀୟ ଜିନିଷ ଯଥା ପିଲାଙ୍କ ଡ୍ରେସ୍, ଶାଢି, ଚୁଡି ଆଦି ମୌଳିକ ଆବଶ୍ୟକତା ରଖୁଥିବା ସାମଗ୍ରୀ ସବୁ କିଣିଥିଲେ । ଆଉ ଏସବୁ କିଣାକିଣି ପାଇଁ ସମସ୍ତ କର୍ମଚାରୀଙ୍କୁ ଗାଡ଼ିର ସହାୟତା ମଧ୍ୟ ଯୋଗାଇ ଦେଇଥିଲେ ଶ୍ରୀ ପତି ।

 

ସମ୍ବନ୍ଧିତ ଖବର