ଶରୀର ଦାନ କରୁଥିବା ବ୍ୟକ୍ତିର ମୃତ ଦେହକୁ ପରିବହନ କରିବା ଦାୟିତ୍ୱ ସରକାର ନିଜେ ମୁଣ୍ଡାଇବା ଉଚିତ: ବରିଷ୍ଠ ସାମ୍ବାଦିକ ଅଶ୍ବିନୀ ଦର୍ଜୀ

ସମ୍ବଲପୁର : ଲୋକଙ୍କ ମଧ୍ୟରେ ସାମାଜିକ ସଚେତନତା ବୃଦ୍ଧି ପାଇବା ସହ ସଂପୂର୍ଣ୍ଣ ଶରୀର ଦାନ ପାଇଁ ଅନେକ ଆଗ୍ରହ ପ୍ରକାଶ କରୁଛନ୍ତି। ପୂର୍ବରୁ ସଚେତନ ବ୍ୟକ୍ତି ମାନେ ଚକ୍ଷୁ ଦାନ ପାଇଁ ଆଗ୍ରହ ପ୍ରକାଶ କରୁଥିଲେ ଯାହା ଦ୍ବାରା ମୃତ୍ୟୁ ପରେ ତାଙ୍କ ଆଖିରେ ଅନ୍ୟ ମାନେ ଦୁନିଆଁ ଦେଖି ପାରିବେ। ଗତ କେଇ ବର୍ଷ ହେଲା ବହୁ ସଚେତନ ବ୍ୟକ୍ତି, ବୁଦ୍ଧିଜୀବୀ ସଂପୂର୍ଣ୍ଣ ଶରୀର ଦାନ ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ବିଭିନ୍ନ ସ୍ବେଚ୍ଛାସେବୀ ସଂଗଠନ ଏନେଇ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଲୋକଙ୍କୁ ଏଥି ପାଇଁ ପ୍ରେରିତ ମଧ୍ୟ କରୁଛନ୍ତି। ‌ଭିମସାର୍‌ ଭଳି ସରକାରୀ ମେଡିକାଲ୍ କଲେଜ୍‌କୁ ସାଧାରଣତଃ ଏହି ଶରୀର ଦାନ କରାଯାଏ। ମୃତ୍ୟୁ ପରେ ଏହି ମଣିଷ ଶରୀର ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବ୍ୟବହୃତ ହୁଏ।

ତେବେ ଏହି ଶରୀର ଦାନର ଏକ ସମ୍ବେଦନଶୀଳ ଦିଗ ସାମ୍‌ନାକୁ ଆସିଛି। ଏଭଳି ଶରୀର ଦାନ କରୁଥିବା ବ୍ୟକ୍ତିର ପରିବାର ନିଜ ଖର୍ଚ୍ଚରେ ମୃତ ଦେହ ଆଣି ଭିମ୍‌ସାର୍‌ରେ ପହଞ୍ଚାଇବାକୁ ନିୟମ ରହିଛି। ଶରୀର ଦାନ ପାଇଁ ଇଚ୍ଛାପତ୍ର ଦେବାକୁ ଆସୁଥିବା ଲୋକଙ୍କୁ ଭିମ୍‌ସାର୍‌ ତରଫରୁ ଏହା କୁହାଯାଉଛି। ଏନେଇ ଅନୁଶୋଚନା ପ୍ରକାଶ କରିଛନ୍ତି ବରଗଡ଼ର ବରିଷ୍ଠ ସାମ୍ବାଦିକ ଅଶ୍ବିନୀ ଦର୍ଜୀ। କ୍ୟାନ୍‌ସର ବିରୋଧରେ ଲଢ଼ି ବିଜୟ ଲାଭ କରିଥିବା ଶ୍ରୀ ଦର୍ଜୀ ନିଜ ଶରୀର ଦାନ ପାଇଁ ଇଚ୍ଛାପତ୍ର ଦେଇ ସମସ୍ତଙ୍କ ପାଇଁ ପ୍ରେରଣା ସାଜିଛନ୍ତି। ତେବେ ଶ୍ରୀ ଦର୍ଜୀଙ୍କ କହିବା ହେଲା ଶରୀର ଦାନ କରୁଥିବା ବ୍ୟକ୍ତିଙ୍କ ପରିବାରର ଭାବାବେଗକୁ ହୃଦୟଙ୍ଗମ କରି ସେହି ମୃତ ଦେହକୁ ସମ୍ମାନର ସହିତ ସରକାରୀ ଖର୍ଚ୍ଚରେ ସଂପୃକ୍ତ କଲେଜକୁ ପରିବହନ କରାଯିବା ଉଚିତ। କାରଣ ସେ ଯେଉଁ ଦିନ ପଂଜୀକରଣ ପାଇଁ ଯାଇଥିଲେ ସେଦିନ ତାଙ୍କୁ କୁହାଗଲା ଯେ, ମୃତ୍ୟୁ ସୂଚନା ସଂପୃକ୍ତ ମେଡିକାଲ୍‌ କଲେଜ୍‌କୁ ଦେବାର ଦାୟିତ୍ବ ଉକ୍ତ ପରିବାରର ଓ ଦ୍ବିତୀୟରେ ଉକ୍ତ ମୃତ ଶରୀରକୁ ପହଞ୍ଚାଇବା ଦାୟିତ୍ବ ଓ ଖର୍ଚ୍ଚ ମଧ୍ୟ ଉକ୍ତ ପରିବାର ତୁଲାଇବ। ଜଣେ ଗରିବ ପରିବାର କ୍ଷେତ୍ରରେ ଏହା ବୋଝ ଉପରେ ନଳିତା ବିଡ଼ା ସଦୃଶ ହେବ। ଅତି କମ୍‌ରେ ମୃତ ଦେହ ପରିବହନ କରିବା ଦାୟିତ୍ବ ସରକାର ନିଜେ ମୁଣ୍ଡାଇବା ଉଚିତ ବୋଲି ଶ୍ରୀ ଦର୍ଜୀ ମତ ଦେଇଛନ୍ତି। ଏହା ହେଲେ ସମାଜର ସବୁ ଶ୍ରେଣୀର ଲୋକ କ୍ରମେ ଏଥି ପାଇଁ ଆଗ୍ରହୀ ହେବେ ବୋଲି ଶ୍ରୀ ଦର୍ଜୀ ମତ ଦେଇଛନ୍ତି।

ଏ ସଂପର୍କରେ ଭିମସାର୍ ନିର୍ଦ୍ଦେଶକ ପ୍ର. ଲଳିତ ମେହେରଙ୍କୁ ପଚାରିବାରୁ ସେ କହିଲେ ଯେ ସାଧାରଣତଃ ଏଭଳି ଦାନ କରା ଯାଉଥିବା ଶରୀର ଗୁଡ଼ିକ ସ୍ବେଚ୍ଛାସେବୀ ସଂଗଠନ ଗୁଡ଼ିକ ଜରିଆରେ ଆମ ପାଖରେ ପହଞ୍ଚିଥାଏ। ଉକ୍ତ ସଂଗଠନ ଗୁଡ଼ିକ ନିଜ ତରଫରୁ ଏହି ଦାୟିତ୍ବ ନେଇଥାଆନ୍ତି। ‌େ‌ତବେ ଯଦି କେହି ସିଧାସଳଖ ଶରୀର ଦାନ କରୁଥାଆନ୍ତି ଓ ଆର୍ଥିକ କାରଣରୁ ମୃତଦେହ ପହଞ୍ଚାଇବାରେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ତା’ହେଲେ ଆମେ ତାର ବ୍ୟବସ୍ଥା କରିପାରିବୁ। ଏହା ଆଦୌ ଏକ ବଡ଼ କଥା ନୁହେଁ। ସରକାରୀ ଭାବେ କଣ ନିୟମ ରହିଛି ତ‌ାହା ଭିନ୍ନ କଥା, କିନ୍ତୁ ଏହା ଏକ ମାନବୀୟ କାର୍ଯ୍ୟ ହୋଇଥିବାରୁ ଏଥି ପାଇଁ ଏକ ଗାଡ଼ି ବ୍ୟବସ୍ଥା କରି ମୃତ ଦେହ ଆଣିବାରେ ସମସ୍ୟା ନାହିଁ ବୋଲି ପ୍ର. ମେହେର କହିଥିଲେ। ଏଭଳି କୌଣସି ମାମଲା ତାଙ୍କ ଦୃଷ୍ଟିକୁ ଅଣାଗଲେ ସେ ନିଶ୍ଚୟ ପଦକ୍ଷେପ ନେବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର