ଝାରସୁଗୁଡ଼ା: ବିଗତ ଦୁଇ ଦଶନ୍ଧିରେ ଦ୍ରୁତ ଶିଳ୍ପାୟନ ସାଙ୍ଗକୁ ଖଣିଖାଦାନ ସଂଖ୍ୟାରେ ବୃଦ୍ଧି ଯୋଗୁ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ରହିଥିବା ପ୍ରାକୃତିକ ଜୈବ ବିବିଧତା, ପାହାଡ଼, ଜଙ୍ଗଲ ଆଦି ଧ୍ବଂସ ହୋଇସାରିଲାଣି। ଶିଳ୍ପାନୁଷ୍ଠାନ ସଂଖ୍ୟାରେ ବୃଦ୍ଧି ହେଉଥିବାବେଳେ ସ୍ଥାନୀୟ ଅଞ୍ଚଳର ବେକାର ସମସ୍ୟା ଦୂରୀକରଣ, ଲୋକଙ୍କ ଜୀବନଧାରଣ ମାନରେ ପରିବର୍ତ୍ତନ, ଉତ୍ତମ ଶିକ୍ଷା, ସ୍ବାସ୍ଥ୍ୟ ଆଦି ଉଭୟ ଜିଲ୍ଲାବାସୀ ଆଜିଯାଏ ପାଇପାରୁନଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। କିନ୍ତୁ ଏହାରି ଭିତରେ ଶିଳ୍ପାନୁଷ୍ଠାନଗୁଡ଼ିକ ପରପିଢ଼ିଙ୍କ ପାଇଁ ମାଳମାଳ ବେଆଇନ୍‌ କୃତ୍ରିମ ପାହାଡ଼ ସୃଷ୍ଟି କରି ସାରିଲେଣି। କେଉଁଠି ରାଜରାସ୍ତା କଡ଼ରେ ତ ଆଉ କେଉଁଠି ନଦୀ ଭିତରେ ଏହି ପାହାଡ଼ ତିଆରି ହୋଇଛି। ବିଷାକ୍ତ ପାଉଁଶରେ ତିଆରି ଏହି ପାହାଡ଼ ଜଳ, ସ୍ଥଳ ଓ ବାୟୁକୁ ପ୍ରଦୂଷିତ କରୁଥିବା ‌ବେଳେ ଏହା ହିଁ ଉଭୟ ଜିଲ୍ଲାକୁ କମ୍ପାନିଙ୍କ ଦାନ ବୋଲି ଏବେ ଲୋକେ କହିବାକୁ ଲାଗିଲେଣି।

Advertisment

ବିଜୁ ଏକ୍ସପ୍ରେସ୍‌-ୱେରେ ସମ୍ବଲପୁରରୁ ଝାରସୁଗୁଡ଼ା ଯିବା ରାସ୍ତାକଡ଼ରେ ଲପଙ୍ଗାଠାରୁ ବୃନ୍ଦାମାଲ ମଧ୍ୟରେ ଏଭଳି ୧୦ରୁ ଅଧିକ ପାହାଡ଼ ଦେଖିବାକୁ ମିଳୁଛି। ସେହିଭଳି ଭେଡେନ୍‌ ନଦୀ ମଧ୍ୟରେ, ହୀରାକୁଦ ଜଳଭଣ୍ଡାରର ପଛୁଆ ପାଣି ମାଡ଼ୁଥିବା ଅଞ୍ଚଳରେ ବି ଏଭଳି ପାହାଡ଼ ରହିଛି। ସେପଟେ ଝାରସୁଗୁଡ଼ା ବ୍ଲକ୍‌ ଓ ଲଖନପୁର ବ୍ଲକ୍‌ରେ ବି ଏଭଳି ପାହାଡ଼ ସଂଖ୍ୟା ୧୦ରୁ କମ୍‌ ନୁହେଁ। ଶିଳ୍ପାନୁଷ୍ଠାନଗୁଡ଼ିକ ସେମାନଙ୍କର ପାଉଁଶ ପରିଚାଳନା ବ୍ୟବସ୍ଥାରେ ସୁଧାର ଆଣୁନଥିବାରୁ ଅତିରିକ୍ତ ପାଉଁଶ ସେମାନଙ୍କ ପାଇଁ ବୋଝ ପାଲଟିଯାଉଛି। ଫଳରେ ସେମାନେ ମନଇଚ୍ଛା କେଉଁଠି ରାସ୍ତାକଡ଼ରେ ତ’ ଆଉ କେଉଁଠି ଖାଲି ଜମିରେ ପାଉଁଶ ଫିଙ୍ଗି ଦେଉଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନିୟମାନୁସାରେ, କମ୍ପାନିମାନେ ଲୋ’ ଲ୍ୟାଣ୍ଡ ଫିଲିଂ ନାମରେ ସର୍ବାଧିକ ୨ ଫୁଟ୍‌ ଉଚ୍ଚର ପାଉଁଶ ପୋତି ପାରିବେ। କିନ୍ତୁ ଝାରସୁଗୁଡ଼ା ଓ ସମ୍ବଲପୁର ଜିଲ୍ଲାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ନାକ ତଳେ ଶିଳ୍ପାନୁଷ୍ଠାନଗୁଡ଼ିକ ଖାଲି ଜାଗା କିଣି ସେଠାରେ ପାଉଁଶ ପୋତି ପୋତି ପାହାଡ଼ ସଦୃଶ କରି ଦେଲେଣି।

୪୯ ନଂ ଜାତୀୟ ରାଜପଥର ଝାରସୁଗୁଡ଼ାରୁ କୋଲାବିରା ରାସ୍ତାରେ ଅନେକ ଜଙ୍ଗଲ ମଧ୍ୟ ପଦା କରି ସେଠାରେ ଏଭଳି ପାହାଡ଼ ସୃଷ୍ଟି କରାଯାଇଥିବା ଚିତ୍ର ସାମ୍ନାକୁ ଆସୁଛି। ତେବେ ଏହା ଯେଭଳି ଭାବେ ପାଉଁଶ ପାହାଡ଼ ଭଳି ପ୍ରତୀୟମାନ ନ ହେବ ଓ ପାଉଁଶ ନ ଉଡ଼ିବ ସେଥିପାଇଁ ଏଥିରେ ମାଟିର ଆସ୍ତରଣ ମଧ୍ୟ ଦିଆଯାଉଛି। କିନ୍ତୁ ବର୍ଷାଦିନେ ଏହି ପାହାଡ଼ଗୁଡ଼ିକରୁ ପାଉଁଶ ସ୍ଲରି ବୋହି ନଦୀନାଳକୁ ପ୍ରଦୂଷିତ କରୁଛି। ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ ହେଉଛି, ଏହି ପାଉଁଶ ପାହାଡ଼ଗୁଡ଼ିକ ରାସ୍ତାରୁ ଜଳଜଳ ହୋଇ ‌ଦେଖା ଯାଉଥିଲେ ମଧ୍ୟ ଅଦ୍ୟାବଧି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସଂପୃକ୍ତ କଂପାନିଙ୍କ ବିରୋଧରେ‌ କୌଣସି ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ କି ଉକ୍ତ ପାହାଡ଼ ହଟାଇବା ନେଇ କୌଣସି ପଦକ୍ଷେପ ନିଆଯାଇନାହିଁ। ଏ ସଂପର୍କରେ ଏସ୍‌ପିସିବିର ଆଞ୍ଚଳିକ ଅଧିକାରୀ ହିରଣ୍ୟ ନାୟକଙ୍କୁ ଯୋଗାଯୋଗ କରାଯାଇ‌ଥିଲେ ହେଁ ସେ ଫୋନ୍‌ ଗ୍ରହଣ କରିନଥିଲେ।