ଶ୍ରୀମନ୍ଦିର ଖୋଲିଲା ପରେ ରେକର୍ଡ ଦାନ : ସୁନା, ରୂପା ଓ ନଗଦ ଟଙ୍କା ଦାନ କଲେ ଭକ୍ତ

ପୁରୀ: ଏବେ ପ୍ରଭୁ ଦର୍ଶନ ଲାଗି ନା ଆବଶ୍ୟକ କୋଭିଡ ରିପୋର୍ଟ, ନା ଆବଶ୍ୟକ ପରିଚୟ ପତ୍ର | ଭକ୍ତ-ଭଗବାନଙ୍କ ମିଳନ ମଧ୍ୟରେ କଟକଣା ସାଜୁଥିବା କୋଭିଡ ନିୟମ ଉଠାଇ ନିଆଯିବାପରେ ଶ୍ରୀମନ୍ଦିରକୁ ଛୁଟିଛି ଭକ୍ତଙ୍କ ସୁଅ | ଶ୍ରୀମନ୍ଦିରରେ ପ୍ରବେଶ ଲାଗି ରାଜ୍ୟ ଓ ରାଜ୍ୟ ବାହାରର ଭକ୍ତଙ୍କ ପାଇଁ ସମସ୍ତ କଟକଣା ପ୍ରତ୍ୟାହୃତ ହୋଇଥିବାରୁ ଶ୍ରୀମନ୍ଦିରରେ ଆଜି ପ୍ରାୟ ୫୦ ହଜାରରୁ ଅଧିକ ଭକ୍ତ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି | ଅନ୍ୟ ପକ୍ଷରେ ଶାମ୍ବ ଦଶମୀ ଭଳି ପର୍ବ ଭକ୍ତଙ୍କ ସଂଖ୍ୟା ବି ବଢ଼ାଇଛି।

ଭକ୍ତ କେବଳ ଦର୍ଶନ କରି ନ ଥିଲେ ବରଂ ଶ୍ରୀମନ୍ଦିରର ଜଗମୋହନ ପାଖରେ ଥିବା ହୁଣ୍ଡିରେ ଅଜାଡି ଦେଇଥିଲେ ଦାନ | ଆଜି ଗୋଟିଏ ଦିନରେ ପାଖାପାଖି ୯ ଲକ୍ଷ ୨୯ ହଜାର ୧୪୨ ଟଙ୍କା ଦାନ ଆକାରରେ ମିଳିଥିବାବେଳେ ୧ ଗ୍ରାମ ୩୦ ମିଲିଗ୍ରାମ ସୁନା ଓ ୮୬ ଗ୍ରାମ ୨୦୦ ମିଲିଗ୍ରାମ ଓଜନର ରୂପା, ଭକ୍ତ ଦାନ ହୁଣ୍ଡିରେ ପକାଇଥିଲେ |

ଶ୍ରୀମନ୍ଦିର ଖୋଲିବା ଦିନଠାରୁ ଏହି ଦାନ ପରିମାଣ ରେକର୍ଡ ହୋଇଥିବା ବେଳେ ୨୦୨୦ ଜାନୁୟାରୀ ୧ରେ ମଧ୍ୟ ୧୦ ଲକ୍ଷରୁ ଅଧିକ ଟଙ୍କା ଦାନ ଆକାରରେ ମିଳିଥିଲା | ତେବେ ପୁରୀବାସୀଙ୍କ କହିବା କଥା ଯେ ଆଜି(ଶନିବାର) ସରକାରୀ ଛୁଟି ଥିବାବେଳେ ଆସନ୍ତାକାଲି(ରବିବାର) ଶ୍ରୀମନ୍ଦିର ବନ୍ଦ ରହିବ | ତେଣୁ ଏତେ ସଂଖ୍ୟକ ଭକ୍ତଙ୍କ ସମାଗମ ହୋଇଥିଲା |

ସମ୍ବନ୍ଧିତ ଖବର