ରାୟଗଡା : ବିରଳ ହସ୍ତଶିଳ୍ପ କଳାକୃତି ମଧ୍ୟରେ ଡଙ୍ଗରିଆଙ୍କ ଦ୍ବାରା ଉତ୍ପାଦିତ ସାଲ୍‌ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି । ସାଲ୍‌ର ଆକର୍ଷଣୀୟ ଡିଜାଇନ୍ ସାଙ୍ଗକୁ ଡଙ୍ଗରିଆଙ୍କ କଳା, ସଂସ୍କୃତି ଓ ଐତିହ୍ୟର କଥା କହୁଥିବାରୁ ଓଡ଼ିଶା ସମେତ ଦେଶ, ବିଦେଶରେ ଏହାର ଚାହିଦା ବଢ଼ିବାରେ ଲାଗିଛି। ତେବେ, ଶହ ଶହ ବର୍ଷର ଏହି ବିରଳ କଳାକୃତିକୁ ବଞ୍ଚାଇ ରଖିବାକୁ ଜିଆଇ ମାନ୍ୟତା ପ୍ରଦାନ ପାଇଁ ସରକାରୀ ସ୍ତରରେ ଚାଲିଥିବା ଉଦ୍ୟମ ନାଲିଫିତା ତଳେ ଅଟକି ରହିଛି।

Advertisment

ରାୟଗଡା ଜିଲ୍ଲାର ବିଷମକଟକ, କଲ୍ୟାଣସିଂହପୁର, ମୁନିଗୁଡା ଏବଂ କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ ଅଞ୍ଚଳରେ ଡଙ୍ଗରିଆ ବସବାସ କରୁଛନ୍ତି। ଜୀବନଜୀବିକାର ଅଂଶ ଭାବେ ଶହ ଶହ ବର୍ଷ ତଳୁ ଡଙ୍ଗରିଆ ପାରମ୍ପରିକ ବୃତ୍ତି ହିସାବରେ ସାଲ୍ ତିଆରି କରି ଆସୁଛନ୍ତି।

ଡଙ୍ଗରିଆଙ୍କ ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଏହି ବିରଳ କଳାକୃତିକୁ (ଭୌଗୋଳିକ ଉତ୍ପତ୍ତି ମାନ୍ୟତା)ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ୨୦୧୮ ମସିହାରୁ ଉଦ୍ୟମ ଆରମ୍ଭ ହୋଇଛି। ୨୦୧୮ ଜୁନ୍ ୨୭ ତାରିଖରେ ହସ୍ତଶିଳ୍ପ ନିର୍ଦେଶକ ସ୍ଥିତିକାନ୍ତ ଷଢ଼ଙ୍ଗୀ ଡଙ୍ଗରିଆ ସାଲକୁ ଜିଆଇ ଟ୍ୟାଗ୍ ମାନ୍ୟତା ପାଇଁ ବିଭାଗୀୟ ଚିଠି ନଂ-୩୪୪୮/ତା:୨୭.୬.୨୦୧୮ରେ ଭାରତ ସରକାରଙ୍କ ହସ୍ତଶିଳ୍ପ ସହକାରୀ ନିର୍ଦେଶକଙ୍କୁ ଚିଠି ଲେଖିଥିଲେ। ଏହାର ୩ ଦିନ ବ୍ୟବଧାନରେ ରାୟଗଡାର ତତ୍କାଳୀନ ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ଚିଠି ନଂ-୧୬୩୭/ତା: ୩୦.୬.୨୦୧୮ ରେ ହସ୍ତଶିଳ୍ପ ନିର୍ଦେଶକକୁ ଚିଠି ଲେଖିଥିଲେ। ଜିଲ୍ଲାପାଳ ଓ ହସ୍ତଶିଳ୍ପ ନିର୍ଦେଶକଙ୍କ ଚିଠି ପରେ ଭାରତ ସରକାରଙ୍କ ହସ୍ତତନ୍ତ ଶିଳ୍ପ ମନ୍ତ୍ରାଳୟ ୨୦୧୮ ଜୁଲାଇ ୩ ତାରିଖରେ ମୁମ୍ବାଇସ୍ଥିତ ଟେକ୍ସଟାଇଲ୍ କମିଟି ସଂପାଦକଙ୍କୁ ଡଙ୍ଗରିଆ ସାଲ୍‌କୁ ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରଦାନ ଦିଗରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପ୍ରସ୍ତାବ ଦେଇଥିଲେ। ଇତିମଧ୍ୟରେ ପ୍ରସ୍ତାବ ସହିତ ଚିଠି ଦେଣନେଣକୁ ୧ ବର୍ଷ ବିତିଥିଲେ ମଧ୍ୟ ଜିଆଇ ଟ୍ୟାଗ୍ ପ୍ରଦାନ ନେଇ କୌଣସି ଅଗ୍ରଗତି ହୋଇପାରିନି। ଫଳରେ ୨୦୧୯ ଜୁଲାଇ ୪ ତାରିଖରେ ରାୟଗଡା ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା ପୁଣି ହସ୍ତଶିଳ୍ପ ନିର୍ଦେଶକଙ୍କୁ ଚିଠି ନଂ-୬୨୪୪/ତା:୪.୭.୨୦୧୯ ଲେଖି ଜିଆଇ ଟ୍ୟାଗ୍ ପ୍ରଦାନ ସଂପର୍କରେ ଅବଗତି କରିଛନ୍ତି। ଧୀରେଧୀରେ ଓଡ଼ିଶାର କଳା, ସ୍ଥାପତ୍ୟ ଓ ନୈପୁଣ୍ୟକୁ ପଡୋଶୀ ରାଜ୍ୟ କପି କରି ନେଉଥିବାରୁ ରାଜ୍ୟ ସରକାର ଡଙ୍ଗରିଆ ସାଲକୁ ଜିଆଇ ଟ୍ୟାଗ୍ ପ୍ରଦାନ ଦିଗରେ ତତ୍ପରତା ପ୍ରକାଶ କରିବାକୁ ବିଭିନ୍ନ ମହଲରେ ଦାବି ହୋଇଛି।