ଛେଳି, କୁକୁଡ଼ା ବଳି ଦେଇ ଭଲ ଅମଳ ପାଇଁ ପ୍ରାର୍ଥନା
କରୋନା ଦାଉରୁ ରକ୍ଷା ପାଇଁ ବି ହେଲା ପୂଜାର୍ଚ୍ଚନା
ରାୟଗଡ଼ା: ଫସଲକୁ ରୋଗ ପୋକ ଦାଉରୁ ରକ୍ଷା ପାଇଁ ନିୟମଗିରିରେ ଶେଷ ହୋଇଛି ପିଡିକା ଯାତ୍ରା। ଡଙ୍ଗରିଆ କନ୍ଧଙ୍କ ପକ୍ଷରୁ ହୋଇଥିବା ଏହି ଯାତ୍ରାରେ ଧରଣୀପେନୁକୁ ପୂଜା କରାଯାଇ ଛେଳି, କୁକୁଡ଼ା ବଳି ଦିଆଯାଇଛି। ସମସ୍ତ ଗ୍ରାମବାସୀ ପୂଜାରେ ସାମିଲ୍ ହୋଇ ପୂଜା କରିବା ସହ ଭୋଗ ଲଗାଇବା ପରେ ଭଲ ଫସଲ ଅମଳ ନେଇ ନିୟମଗିରି ରାଜା ଉପରେ ଆଶା ବାନ୍ଧିଛନ୍ତି।
ମୌସୁମୀ ସ୍ବାଭାବିକ ହେବା ପରେ ଆରମ୍ଭ ହୋଇଛି ଡଙ୍ଗରିଆଙ୍କ ଚାଷ କାମ। ପଣସ, କଦଳୀ, ହଳଦୀ, ତେନ୍ତୁଳି, ସପୁରି, ଆମ୍ବ, ମାଣ୍ଡିଆ, ଅଦା ସହ ବିଭିନ୍ନ ପନିପରିବା ଓ ତୈଳବୀଜ ଫସଲ ଚାଷ କରି ଜୀବିକା ନିର୍ବାହ କରୁଛନ୍ତି ଡଙ୍ଗରିଆ। ନିମୟଗିରି ପାହାଡ଼ ଉପରେ ଅବସ୍ଥିତ ବିଷମକଟକ ବ୍ଲକ୍ କୁର୍ଲି ପଞ୍ଚାୟତର ୨୨ ଖଣ୍ଡ ଗ୍ରାମରେ ବସବାସ କରୁଥିବା ଡଙ୍ଗରିଆଙ୍କ ଆୟର ପ୍ରମୁଖ ମାଧ୍ୟମ ଚାଷ। ଚଳିତ ବର୍ଷ ଭଲ ଫସଲ ଆମଦାନୀ ହୋଇଥିବାରୁ ଆଗାମୀ ଅମଳ ପାଇଁ ଆଜି ସରିଛି ଡଙ୍ଗରିଆଙ୍କ ପିଡିକା ପର୍ବ। କାଡ୍ରାଗୁମ୍ମା ଗାଁ ନିକଟରେ ଅନୁଷ୍ଠିତ ପିଡିକା ପର୍ବରେ ଗ୍ରାମବାସୀ ଏକାଠି ହୋଇ ନିୟମରାଜାକୁ ସ୍ମରଣ କରି ଧରଣୀପେନୁକୁ ପୂଜା କରିଛନ୍ତି। ପରମ୍ପରା ଅନୁଯାୟୀ ଗ୍ରାମବାସୀଙ୍କ ପକ୍ଷରୁ ଛେଳି ଓ କୁକୁଡା ବଳି ଦିଆଯିବା ପରେ ସମସ୍ତ ଗ୍ରାମବାସୀ ନିଜ ଫସଲର ଭଲ ଅମଳ କାମନା କରି ନଡିଆ ଭାଙ୍ଗିଥିଲେ। ଜାନି କାଡ୍ରକା ୱାକନ, ମିୟା ୱାଡକା ପୂଜା କାର୍ଯ୍ୟ ସଂପନ୍ନ କରିଥିଲେ। ପୂଜା ଶେଷ ପରେ ଅନ୍ନ ଭୋଗ ଲଗାଇ ଘରକୁ ଫେରିଥିଲେ ଡଙ୍ଗରିଆ। ୨ରୁ ୩ ଘଣ୍ଟା ଧରି ଚାଲିଥିବା ପୂଜାରେ ଫସଲକୁ ରୋଗ ପୋକରୁ ରକ୍ଷା ସହ କରୋନା ରୋଗରୁ ମଧ୍ୟ ଡଙ୍ଗରିଆଙ୍କୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଛନ୍ତି ଡଙ୍ଗରିଆ। ଯେ କୌଣସି ବଡ ରୋଗ ଆସିବାର ଖବର ଆସିଲେ ଗାଁ ପକ୍ଷରୁ ପିଡିକା ଯାତ୍ରା କରାଯାଏ ବୋଲି କହିଛନ୍ତି କାଡ୍ରାଗୁମ୍ମାର ଯୁବକ ଶ୍ରାବୁ କାଡ୍ରକା। ପ୍ରତି ଘରୁ ଜଣେ ଲେଖାଁଏ ମହିଳା ପୂଜାରେ ସାମିଲ୍ ହୋଇ ଧରଣୀପେନୁକୁ ପ୍ରାର୍ଥନା କରିଥାନ୍ତି।
ଚଳିତ ବର୍ଷ କରୋନା ଦାଉ ସବୁ ଅଞ୍ଚଳକୁ ଛୁଇଁଥିବା ବେଳେ ଏଯାବତ୍ ଡଙ୍ଗରିଆଙ୍କୁ ଛୁଇଁ ପାରିନି। ଏଣୁ ରୋଗ ଦାଉରୁ ରକ୍ଷା ପାଇଁ ମଧ୍ୟ ପିଡିକା ଯାତ୍ରାରେ ପ୍ରାର୍ଥନା କରାଯାଇଛି ବୋଲି ଡଙ୍ଗରିଆ କହିଛନ୍ତି। ପରମ୍ପରା ଉପରେ ଦୃଢ଼ ବିଶ୍ବାସ ରଖୁଥିବା ଡଙ୍ଗରିଆ ଚାଷ କାମ ଆରମ୍ଭରେ ଏହି ପୂଜାକୁ ଶହ ଶହ ବର୍ଷ ଧରି କରି ଆସୁଛନ୍ତି। ଯାହା ଦ୍ବାରା ଭଲ ଫସଲ ଅମଳ ହେବାର ବିଶ୍ବାସ ରହିଛି। ଚଳିତ ବର୍ଷ ଡଙ୍ଗରରୁ ଭଲ ଫସଲ ହୋଇଥିଲେ ମଧ୍ୟ ଲକଡାଉନ୍ ପାଇଁ ଠିକ୍ ସମୟରେ ବିକ୍ରି ହୋଇପାରିନଥିଲା। ଏବେ ସପୁରୀ ବିକ୍ରି ଚାଲିଥିବା ବେଳେ ସାପ୍ତାହିକ ହାଟ ବନ୍ଦ ଯୋଗୁ ଅନ୍ୟ ଅମଳ ଫସଲର ବିକ୍ରିବଟା ଧିମେଇ ଥିବା ଡଙ୍ଗରିଆ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/RGD_Dongaria-Pidika-Jatra.jpg)