ବାର୍ଡ ଫ୍ଲୁ ପାଇଁ ଭୟଭୀତ ହୁଅନି, ଏ ଯାଏ ନମୁନା ପିଜିଟିଭ୍ ବାହାରି ନାହିଁ

ରାଜ୍ୟ ଓ ଜିଲ୍ଲା ସ୍ତରରେ ରାପିଡ୍‌ ରେସ୍ପନ୍ସ ଟିମ୍ ଗଠିତ
ଜିଲ୍ଲାପାଳଙ୍କୁ ସତର୍କ କରାଇଲା ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗ

ଭୁବନେଶ୍ବର : ଓଡ଼ିଶାରେ ବର୍ତ୍ତମାନ ପର୍ଯ୍ୟନ୍ତ ବାର୍ଡ ଫ୍ଲୁ ଦେଖାଦେଇ ନାହିଁ। କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। କିନ୍ତୁ ସମ୍ଭାବ୍ୟ ବାର୍ଡ ଫ୍ଲୁର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ତେଣୁ ସାଧାରଣ ଜନତା ବାର୍ଡ ଫ୍ଲୁ ପାଇଁ ଭୟଭୀତ ନ ହେବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି।

ସମ୍ଭାବ୍ୟ ବାର୍ଡ ଫ୍ଲୁ ପାଇଁ ଆଜି ଶ୍ରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପୂର୍ଣ୍ଣ ସଜାଗ ରହିବା ସହ ବିଦେଶୀ ପକ୍ଷୀ ଆସୁଥିବା ବିଭିନ୍ନ ହ୍ରଦ, ଜଳଭଣ୍ଡାର, ଜଳାଶୟ ଆଦି ଅଞ୍ଚଳରେ ଅନୁଧ୍ୟାନ କାର୍ଯ୍ୟକୁ ବ୍ୟାପକ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ଅଭିଜ୍ଞ ଡାକ୍ତର ଓ କର୍ମଚାରୀଙ୍କୁ ନେଇ ରାଜ୍ୟ ଓ ଜିଲ୍ଲା ସ୍ତରରେ ରାପିଡ୍‌ ରେସ୍ପନ୍ସ ଟିମ୍‌ ଗଠନ କରିବା ନିମନ୍ତେ ବୈଠକରେ ସ୍ଥିର ହୋଇଥିଲା। ସମସ୍ତ ଟିମ୍‌କୁ ଆବଶ୍ୟକ ସୁରକ୍ଷା ଉପକରଣ, ସରଞ୍ଜାମ ଓ ଜୀବାଣୁ ନାଶକ ଆଦି ପର୍ଯ୍ୟାପ୍ତ ପରିମାଣରେ ଯୋଗାଇ ଦେବା ପାଇଁ ଶ୍ରୀ ମହାପାତ୍ର କହିଥିଲେ।

ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ସଚିବ ରଘୁ ପ୍ରସାଦ ଜଣାଇଥିଲେ ଯେ ସାଧାରଣତଃ ସ୍ଥାନ ବଦଳାଉଥିବା ବିଦେଶୀ ପକ୍ଷୀମାନେ ବାର୍ଡ ଫ୍ଲୁର ବାହକ ହୋଇଥା’ନ୍ତି। ବିଦେଶୀ ପକ୍ଷୀଙ୍କ ଠାରୁ କୁଆ ମାଧ୍ୟମରେ ଏହି ରୋଗ କୁକୁଡ଼ା, ବତକ ଆଦି ପକ୍ଷୀଙ୍କୁ ସଂକ୍ରମିତ ହୁଏ। ଏହି ରୋଗ ଅତ୍ୟନ୍ତ ସଂକ୍ରମଣଶୀଳ ଓ ଗୋଟିଏ ପ୍ରକାର ଜୀବ ଠାରୁ ଅନ୍ୟ ଜୀବଙ୍କୁ ମଧ୍ୟ ବ୍ୟାପିପାରେ। ଚଳିତ ବର୍ଷ ଚିଲିକାକୁ ପ୍ରାୟ ୧୮୪ ପ୍ରଜାତିର ୧୨ ଲକ୍ଷରୁ ଅଧିକ ବିଦେଶୀ ପକ୍ଷୀ ଆସିଛନ୍ତି। ସେହିପରି ଭିତରକନିକା ଅଭୟାରଣ୍ୟକୁ ପ୍ରାୟ ୧୦ ପ୍ରଜାତିର ୯୭,୮୬୬ ପକ୍ଷୀ ଏବଂ ହୀରାକୁଦ ଜଳଭଣ୍ଡାରକୁ ପ୍ରାୟ ୯୭ଟି ପ୍ରଜାତିର ୧.୬୦ ଲକ୍ଷ ବିଦେଶୀ ପକ୍ଷୀଙ୍କ ଆଗମନ ହୋଇଛି। ପକ୍ଷୀମାନଙ୍କ ଆଗମନ ଓ ଭ୍ରମଣ ଏବଂ ପ୍ରସ୍ଥାନ ଆଦିର ଗତିପଥ ଉପରେ ପୂର୍ଣ୍ଣ ନଜର ରଖାଯାଇଛି।

ବୈଠକରେ ସୂଚନା ଦିଆଯାଇଥିଲା ଯେ ପ୍ରଥମରୁ ରୋଗର ଚିହ୍ନଟ ଏବଂ ପ୍ରତିରୋଧ ନିମନ୍ତେ କ୍ଲିନିକାଲ୍‌, ଭାଇରୋଲୋଜିକାଲ୍‌ ଓ ସେରୋଲୋଜିକାଲ୍‌ ସର୍ଭେ ଆଦିକୁ ବଢ଼ାଇ ଦିଆଯାଇଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୧ ହଜାର ନମୁନା ପରୀକ୍ଷା କରାଯାଇଛି। କୌଣସି ନମୁନା ପଜିଟିଭ୍ ବାହାରି ନାହିଁ। ବାର୍ଡ ଫ୍ଲୁର ପରୀକ୍ଷା ବିଭିନ୍ନ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ପଶୁ ରୋଗ ଗବେଷଣା ପ୍ରତିଷ୍ଠାନ, କୋଲକାତା, ଗୌହାଟୀ, ବେଙ୍ଗାଲୁରୁ, ପୁନେ ଓ ଜଳନ୍ଧରରେ ଥିବା ଆଞ୍ଚଳିକ ରୋଗ ନିରୂପଣ ପରୀକ୍ଷାଗାର ଏବଂ ଭୋପାଳସ୍ଥିତ ନ୍ୟାସ୍‌ନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇ ସିକ୍ୟୁରିଟି ଲାବରୋଟାରିର ମାଧ୍ୟମରେ କରାଯାଇଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ନମୁନା ପଜିଟିଭ୍ ଆସି ନାହିଁ। ଯେଉଁ ସମସ୍ତ ସ୍ଥାନକୁ ବିଦେଶୀ ପକ୍ଷୀ ଆସୁଛନ୍ତି ସେସବୁ ସ୍ଥାନରେ ପ୍ରତିରୋଧକ ବ୍ୟବସ୍ଥା ଚାଲୁ ରହିଛି। କ୍ଷେତ୍ରସ୍ତରୀୟ କର୍ମଚାରୀ ଓ ଅଧିକାରୀମାନେ ମଧ୍ୟ ସମସ୍ତ ଅଞ୍ଚଳରେ ସକ୍ରିୟ ଅଛନ୍ତି। ଇତି ମଧ୍ୟରେ ରାଜ୍ୟର ୩୦ଟି ଜିଲ୍ଲାରେ ରୋଗ ନିରୂପଣ ପରୀକ୍ଷାଗାର ଓ ରାଜ୍ୟ ସ୍ତରରେ ପଶୁ ରୋଗ ଗବେଷଣା ପ୍ରତିଷ୍ଠାନର ପରୀକ୍ଷାଗାରଗୁଡ଼ିକୁ ଅଧିକ ସକ୍ରିୟ ଓ ଦକ୍ଷ କରାଯାଇଛି। କୌଣସି ସ୍ଥାନରେ ବାର୍ଡ ଫ୍ଲୁ ବାହାରିଲେ ତତ୍‌କ୍ଷଣାତ୍‌ ସମସ୍ତ ପ୍ରତିରୋଧକ ପଦକ୍ଷେପ ନେବା ପାଇଁ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ଜଙ୍ଗଲ ଓ ପରିବେଶ ବିଭାଗର ଅଧିକାରୀ, କର୍ମଚାରୀ ସଜାଗ ଅଛନ୍ତି।

ରାଜ୍ୟରେ ଏକ ଉଚ୍ଚମାନର ପଶୁରୋଗ ନିରୂପଣ କେନ୍ଦ୍ର ପ୍ରତିଷ୍ଠା ପ୍ରସ୍ତାବ ବିଷୟରେ ବୈଠକରେ ଆଲୋଚନା ହୋଇଥିଲା। ବାର୍ଡ ଫ୍ଲୁ ପରିଚାଳନା ଓ ପ୍ରତିରୋଧ ସହ ସଂପୃକ୍ତ ବିଭାଗଗୁଡ଼ିକ ମଧ୍ୟରେ ତଥ୍ୟ ଆଦାନପ୍ରଦାନକୁ ଅଧିକ ସକ୍ରିୟ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। କୃଷି ଉତ୍ପାଦନ କମିସନର୍‌ ରାଜ କୁମାର ଶର୍ମା, ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମୋନା ଶର୍ମା, ପ୍ରମୁଖ ବନ ସଂରକ୍ଷକ ହରିଶଙ୍କର ଉପାଧ୍ୟାୟ, ପଶୁ ସମ୍ପଦ ଓ ପଶୁ ଚିକିତ୍ସା ନିର୍ଦ୍ଦେଶକ ରତ୍ନାକର ରାଉତଙ୍କ ସମେତ ବିଭିନ୍ନ ବିଭାଗର ସଚିବ ଓ ବିଶେଷଜ୍ଞମାନେ ବୈଠକରେ ଅଂଶଗ୍ରହଣ କରିଥିଲେ।

ବୈଠକ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ସଚିବ ଆର. ରଘୁପ୍ରସାଦ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ସମ୍ଭାବ୍ୟ ବାର୍ଡ ଫ୍ଲୁର ମୁକାବିଲା ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ କହିଛନ୍ତି। ବିଶେଷ କରି ବାହାରୁ ଆସୁଥିବା ପକ୍ଷୀଙ୍କ ଉପରେ ନଜର ରଖିବା ସହ ସେମାନଙ୍କଠାରେ କୌଣସି ରୋଗର ଲକ୍ଷଣ ଦେଖା ଦେଲେ ତୁରନ୍ତ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର