ସେ ଜଣେ ଅବସରପ୍ରାପ୍ତ ପୁଲିସ ମହାନିର୍ଦ୍ଦେଶକ। କିନ୍ତୁ ତାଙ୍କ ପରିଚୟ ଏହାଠାରୁ ବେଶ୍ ଭିନ୍ନ ଓ ସ୍ବତନ୍ତ୍ର। ସେ ଜଣେ ଆଧ୍ୟାତ୍ମିକ ଗୁରୁ, ଚିନ୍ତକ, ଶିରିଡ଼ି ସାଇ ବାବାଙ୍କ ସମର୍ପିତ ଭକ୍ତ ଓ ଜଣେ ପରୋପକାରୀ ମଣିଷ। ଶାନ୍ତିର ଅନ୍ବେଷଣରେ ବହୁ ସ୍ଥାନ ବୁଲିବା ପରେ ସେ ଏହାର ଠିକଣା ମହାରାଷ୍ଟ୍ର ଶିରିଡ଼ି ସାଇ ମନ୍ଦିରରେ ପାଇଥିଲେ। ଶିରିଡ଼ି ସାଇବାବାଙ୍କ ଆଦର୍ଶ ଓ ଜୀବନ ଦର୍ଶନ ତାଙ୍କୁ ଏତେ ପ୍ରଭାବିତ କରିଥିଲା ଯେ, ୧୯୮୯ ତାଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା। ସେ ନିଜକୁ ବାବାଙ୍କ ଶିକ୍ଷା ଓ ଭାରତୀୟ ଦର୍ଶନକୁ ସାରା ବିଶ୍ବରେ ପ୍ରଚାର କରିବାରେ ସମର୍ପିତ କରିଥିଲେ। ଏଥିସହ ‘ଶ୍ରୀଗୁରୁ ଭାଗବତ’ ଲେଖି ଗୁରୁ-ଶିଷ୍ୟ ପରମ୍ପରା ସମ୍ପର୍କରେ ପ୍ରଚାର କରିଚାଲିଛନ୍ତି। ୨୦୦୯ରେ ସେ ରଚନା କରିଥିବା ‘ଶ୍ରୀଗୁରୁ ଭାଗବତ’ ପୁସ୍ତକ ବର୍ତ୍ତମାନ ସୁଦ୍ଧା ୧୭ଟି ଭାଷାରେ ଅନୁବାଦ ହୋଇସାରିଛି। ଏଥିସହ ତାଙ୍କ ପ୍ରଚେଷ୍ଟାରେ ଦେଶବିଦେଶରେ ୧୫୦ରୁ ଅଧିକ ମନ୍ଦିର ପ୍ରତିଷ୍ଠା ହୋଇ ସାରିଲାଣି। ‘ଶ୍ରୀଗୁରୁ ଭାଗବତ’ର ପ୍ରଭାବକୁ ଅନୁଭବ କରି ଆମେରିକାର କିଙ୍ଗ୍ କାଉଣ୍ଟ୍ରି, ବେଲ୍ଭ୍ୟୁ ଓ ସିଏଟଲ୍ ସହରରେ ଜୁଲାଇ ୧୩ ତାରିଖକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ଓ ‘ଡ. ଚନ୍ଦ୍ରଭାନୁ ଦିବସ’ ଭାବେ ଘୋଷଣା କରାଯାଇଛି। ସେଇ ମହାନ ସାଇ ଭକ୍ତ ଚନ୍ଦ୍ରଭାନୁ ଶତପଥୀଙ୍କ ସହ ‘ସମ୍ବାଦ’ର ସ୍ବତନ୍ତ୍ର ସାକ୍ଷାତକାର। ପ୍ରସ୍ତୁତି: ସସ୍ମିତା ସାହୁ
ମେଧାବୀ ଛାତ୍ର ଓ ପରେ ଜଣେ ଉଚ୍ଚପଦସ୍ଥ ପୁଲିସ ଅଧିକାରୀ ହୋଇ ଆଧ୍ୟାତ୍ମିକତା ଦିଗରେ ଆକର୍ଷିତ ହେଲେ କିଭଳି?
ଆଧ୍ୟାତ୍ମିକତା ସହ ବୃତ୍ତିର କୌଣସି ସମ୍ପର୍କ ନାହିଁ। ସମସ୍ତଙ୍କ ମନରେ ଏକ ଅନୁସନ୍ଧାନ ଓ ଅନ୍ବେଷଣ ଥାଏ। କିଏ ବିଜ୍ଞାନର ଅନୁସନ୍ଧାନ କରେ ତ’ କିଏ ପୁଣି ଦର୍ଶନର। ଘରର ସଂସ୍କାର ଓ ସଂସ୍କୃତି ଅନୁସାରେ ମଣିଷ ଅନ୍ବେଷଣ କରେ। ମୋର ଅନ୍ବେଷଣ ହିଁ ମୋତେ ଆଧ୍ୟାତ୍ମିକତା ଆଡ଼କୁ ବାଟ କଢ଼ାଇଥିଲା।
୧୩ ଜୁଲାଇକୁ ‘ଶ୍ରୀଗୁରୁ ଭାଗବତ ଦିବସ’ ଓ ‘ଚନ୍ଦ୍ରଭାନୁ ଦିବସ’ ଭାବେ ପାଳନ କରିବାକୁ ବିଦେଶ ମାଟିରେ ନିଷ୍ପତ୍ତି ହୋଇଛି। ଏହାକୁ ନେଇ କ’ଣ କହିବେ?
ଏହା ମୁଁ କେବେ ଭାବି ନଥିଲି କିମ୍ବା ଆଶା ବି ନଥିଲା। ନା ଏନେଇ କେବେ ଯୋଜନା ଥିଲା, ନା କୌଣସି କାର୍ଯ୍ୟକ୍ରମ ଚାଲିଥିଲା। ଏହା ଆପେ ହୋଇଛି। ଆମେରିକାରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ କି ଶ୍ରୀ ଗୁରୁ ଭାଗବତ ପଢ଼ନ୍ତି। ୧୭ଟି ଭାଷାରେ ଗୁରୁ ଭାଗବତ ବହି ଅନୁବାଦ ହୋଇଥିବା ବେଳେ ଇଂରାଜୀ ଭାଷାରେ ମଧ୍ୟ ହୋଇଛି। ଏଣୁ ଆମେରିକାର ଓଡ଼ିଆମାନଙ୍କ ସହ ଅନ୍ୟମାନେ ମଧ୍ୟ ଏହି ପୁସ୍ତକ ପଢ଼ନ୍ତି, ଏହି ଗୁରୁ ତତ୍ତ୍ବ ସମସ୍ତଙ୍କ ବୋଧେ ଭଲ ଲାଗିଛି। ଏଥିସହ ଏହି ଗୁରୁ ତତ୍ତ୍ବ ସମସ୍ତଙ୍କ ଜୀବନ ସହ ଯୋଡ଼ି ହୋଇପାରୁଥିବା ବେଳେ ସେମାନଙ୍କ ସମାଜର ବି ଏହା ଆବଶ୍ୟକତା ଥିଲା। ବୋଧହୁଏ ଏଥିପାଇଁ ‘ଶ୍ରୀଗୁରୁ ଭାଗବତ’ ଓ ତା’ ସହ ମୁଁ ସେମାନଙ୍କ ପାଖରେ ଏତେ ଆଦରଣୀୟ ହୋଇପାରିଲୁ।
ଭକ୍ତମାନଙ୍କୁ ଶିରିଡ଼ି ବାବାଙ୍କର କେଉଁ ଆଦର୍ଶ ଓ ଜୀବନ ଦର୍ଶନ ଅଧିକ ପ୍ରଭାବିତ କରୁଥିବା ଆପଣ ଦେଖିଛନ୍ତି?
ମଣିଷପଣିଆ ଓ ସହନଶୀଳତା। ଅନ୍ୟର ଦୁଃଖକଷ୍ଟରେ ସାମିଲ ହେବା ମଣିଷପଣିଆ। ଶତ୍ରୁ ହେଲେ ବି ଝଗଡ଼ା ବା ବଚସା କରି ହେବ ନାହିଁ। ଏସବୁ କରିବା ପାଇଁ ସହନଶୀଳ ହେବାକୁ ପଡ଼ିବ। ଶିରିଡ଼ି ବାବା ଏମିତି ହିଁ ଥିଲେ। ତାଙ୍କ ପାଖକୁ ଯିଏ ବି ଗଲା ତାକୁ ସେ ସାହାଯ୍ୟ କରୁଥିଲେ। ଖରାପ ଓ ଭଲ, ସବୁଥିରେ ସହନଶୀଳ ଥିଲେ। ଶେଷ ପର୍ଯ୍ୟନ୍ତ ସାହାଯ୍ୟ ଓ ସେବା କରି କରି ହିଁ ଚାଲିଗଲେ।
ଗୁରୁ-ଶିଷ୍ୟ ପରମ୍ପରା ଆଧାରରେ ଆପଣ ରଚନା କରିଛନ୍ତି ‘ଶ୍ରୀଗୁରୁ ଭାଗବତ’। ଗୁରୁ ତତ୍ତ୍ବର କେଉଁ ଦିଗ ଉପରେ ଆପଣ ସମାଜର ମାର୍ଗଦର୍ଶନ କରିବାକୁ ଚାହାନ୍ତି?
ଗୁରୁ ତତ୍ତ୍ବ ଆଜିର କଥା ନୁହେଁ। ବ୍ୟାସ, ବାଲ୍ମିକୀଙ୍କ ଭଳି ମହାନ ଋଷିଙ୍କ କାଳରୁ ଚାଲିଆସିଛି। ଗୁରୁ ତତ୍ତ୍ବ ହେଉଛି ଶିକ୍ଷା ଦେବା। ଶିକ୍ଷା ପ୍ରଦାନ ବିଭିନ୍ନ ପ୍ରକାର ଥାଏ। ଗୁରୁ ତତ୍ତ୍ବ ହେଉଛି ସମାଜର ଏକ ଆବଶ୍ୟକୀୟ ଅଙ୍ଗ। ଜଣେ ଶିଖିବ ଓ ଅନ୍ୟ ଜଣେ ଶିଖାଇବ, ଏହା ହିଁ ହେଉଛି ଗୁରୁ-ଶିଷ୍ୟ ପରମ୍ପରା। ସେ ପରମ୍ପରା ଭିତରେ ଦୁଇଟି କଥା ରହିଛି, ଗୋଟିଏ ହେଉଛି ‘ଜ୍ଞାନ’ ଦେବା ଓ ଅନ୍ୟଟି ‘ଅଭିଜ୍ଞତା’ ବାଣ୍ଟିବା। ଜୀବନରେ ଆସୁଥିବା ସମସ୍ତ ଗୁରୁ ‘ପଠିତ ଜ୍ଞାନ’ ଦିଅନ୍ତି, କିନ୍ତୁ ଆଧ୍ୟାତ୍ମିକ ଗୁରୁ ପ୍ରତ୍ୟକ୍ଷ ଜ୍ଞାନ ଅଥବା ‘ଅଭିଜ୍ଞତା’ ଦିଅନ୍ତି।
ଏବେ ଦେଶ ଓ ବିଦେଶର ବିଭିନ୍ନ ସ୍ଥାନରେ ‘ଗୁରୁ ଭାଗବତ ଟୁଙ୍ଗୀ’ ନିର୍ମାଣ ହେଉଛି। ଏହି ସବୁ ଟୁଙ୍ଗୀ ଓଡ଼ିଆ ଭାଷାର ପ୍ରଚାରରେ କେତେ ସହାୟ ହେଉଛି?
ଟୁଙ୍ଗୀ ଅର୍ଥାତ ଏକ ସ୍ଥାନ ଯେଉଁଠାରେ ଗାଁର ଲୋକମାନେ ଏକତ୍ରିତ ହୋଇ ଭାଗବତ ପଢ଼ୁଥିଲେ, ସୁଖଦୁଃଖ ହେଉଥିଲେ ଏବଂ ଏହା ମଧ୍ୟରେ ନ୍ୟାୟ ଓ ନିଷ୍ପତ୍ତି ବି ହେଉଥିଲା। ଏହି ଧାରାରେ ଏବେ ସମସ୍ତେ ‘ଗୁରୁ ଭାଗବତ ଟୁଙ୍ଗୀ’ କରୁଛନ୍ତି। କିଛି ଲୋକ ଏକାଠି ବସି ପଢ଼ିବା, ଭାବ ବିନିମୟ କରୁଥିବା ସ୍ଥାନ; ସେ ଅନ୍ଲାଇନ୍ ପ୍ଲାଟଫର୍ମ ହେଉ ଅବା ସଭାକକ୍ଷରେ କିମ୍ବା ନିଜ ଘର ହେଉ; ତା’କୁ ଟୁଙ୍ଗୀ କୁହାଯାଇପାରେ। ମୁଁ ‘ଶ୍ରୀ ଗୁରୁ ଭାଗବତ’ ଓଡ଼ିଆରେ ଲେଖିଥିଲି। ଏହା ଏବେ ୧୭ ଭାଷାରେ ଅନୁଦିତ ହୋଇଥିଲେ ମଧ୍ୟ ଯେହେତୁ ମୁଁ ଓଡ଼ିଆରେ ପ୍ରଥମେ ଏହାକୁ ଲେଖିଥିଲି, ମୋ ଅନୁଗାମୀମାନେ ଏହାକୁ ଓଡ଼ିଆରେ ହିଁ ପଢ଼ିବାକୁ ଚାହୁଁଛନ୍ତି। ଫଳରେ ଓଡ଼ିଆ ଶିଖିବାକୁ ବାଧ୍ୟ ହେଉଛନ୍ତି। ଏହା ଦ୍ବାରା କ’ଣ ଆମ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ହେଉନାହିଁ? ଅନ୍ୟପଟେ ଓଡ଼ିଆ ଏକ ଶାସ୍ତ୍ରୀୟ ଓ ସର୍ବପୁରାତନ ଭାଷା। ଏଣୁ ଓଡ଼ିଆ ଭାଷା ଲୋପ ପାଇବାର ପ୍ରଶ୍ନ ହିଁ ନାହିଁ।
ବେଳେବେଳେ ମଣିଷ ଆଧ୍ୟାତ୍ମିକତା ଓ ଅନ୍ଧବିଶ୍ୱାସ ଭିତରେ ଥିବା ରେଖା ଅତିକ୍ରମ କରିଯାଏ। ଜଣେ ସାଧାରଣ ଲୋକ ଏହି ଦୁଇ ଭିତରେ ଫରକ୍ କେମିତି କରିବ?
ଅନ୍ଧବିଶ୍ବାସ ସବୁ କାଳରେ ବହୁ ଆକାରରେ ଥାଏ। କିଛି ନ ବୁଝି ତାକୁ ଅନୁସରଣ କରିବାର ପଦ୍ଧତି ହେଉଛି ‘ଅନ୍ଧବିଶ୍ବାସ’। ଅନ୍ୟ ଦେଶ ଅପେକ୍ଷା ଭାରତରେ ଅଧିକ ଆଧ୍ୟାତ୍ମିକତା ଥିବାରୁ ଆଧ୍ୟାତ୍ମିକତା ସହ ଆମର ଅନ୍ଧବିଶ୍ବାସ ଅଧିକ ମିଶିଯାଇଛି। ଅନ୍ଧବିଶ୍ବାସ ମଣିଷ ଓ ସମାଜ ଉଭୟକୁ ଜରାଜୀର୍ଣ୍ଣ କରି ପକାଏ। ଆଧ୍ୟତ୍ମିକତା ହେଉଛି ‘ଜ୍ଞାନ’ ଓ ‘ଭାବ’ର ସମନ୍ବୟ। ‘ଆଧ୍ୟାତ୍ମିକତା’ ହେଉଛି ନିଜ ଆତ୍ମାର ଅନୁଭବ। ଏହା ମଣିଷକୁ ଦିବ୍ୟଚେତନାରେ ଭରିଦିଏ।
ଅତୀତରେ ବହୁ ଆଧ୍ୟାତ୍ମିକ ଗୁରୁ ଅନେକ ବିବାଦରେ ଛନ୍ଦି ହୋଇ ଜେଲ୍ ଯାଇଛନ୍ତି। ଏମିତି ସମୟରେ ସାଧାରଣ ଲୋକଙ୍କୁ ଆପଣଙ୍କ କ’ଣ ପରାମର୍ଶ ରହିବ?
‘ଶ୍ରୀ ଗୁରୁ ଭାଗବତ’ରେ ମୁଁ ଲେଖିଛି ଅସଲି ଗୁରୁ ଓ ଛଳନାତ୍ମକ ଗୁରୁଙ୍କୁ କେମିତି ଚିହ୍ନିବା, କାହାକୁ ଗ୍ରହଣ କରିବା। ସମାଜରେ ସବୁବେଳେ ଉଭୟ ଭଲ ଓ ଖରାପ ରହିବେ। ଆଜିକାଲି ଲୋକସଂଖ୍ୟା ଅଧିକ ଯୋଗୁଁ ଛଳନାତ୍ମକ ଗୁରୁଙ୍କ ସଂଖ୍ୟା ବି ବଢ଼ିଯାଇଛି। ଏଣୁ ଗୁରୁଙ୍କୁ ବାଛି ଓ ପରୀକ୍ଷା କରି ଗ୍ରହଣ କରିବା ଉଚିତ। ଆଧ୍ୟାତ୍ମିକତାକୁ ନେଇ ଇମୋସ୍ନାଲ୍ ବ୍ଲାକ୍ମେଲ୍ ନ ହେବା ଉଚିତ।
ଏବେ ବିଜ୍ଞାନ ଯୁଗରେ ଅତ୍ୟାଧୁନିକ ମଣିଷ ଆଧ୍ୟାତ୍ମିକତାକୁ କେତେ ଦୂର ଗ୍ରହଣ କରିପାରୁଛି ବୋଲି ଆପଣ ଭାବୁଛନ୍ତି?
ଆଧ୍ୟାତ୍ମିକତା ସବୁ ଯୁଗରେ ଥିଲା ଓ ଅଛି। ହଁ ଏବେ ତା’ର ପରିଭାଷା ବଦଳିଛି। ଏହି ବିଜ୍ଞାନକୁ ସେଇ ଐଶ୍ବରୀୟ ଶକ୍ତି ହିଁ ତିଆରି କରିଛି। ଏବେ ହାତ ମୁଠାରେ ଦୁନିଆ, ମାତ୍ର କେଇ ମିନିଟରେ ଶହ ଶହ କିମି ଆମେ ଯାତ୍ରା କରିପାରୁଛେ, ଏସବୁ କାହା ପାଇଁ ସେଇ ବିଜ୍ଞାନ ପାଇଁ। ଏହି ବିଜ୍ଞାନ ମାଧ୍ୟମରେ ହିଁ ଈଶ୍ବରଙ୍କ କ୍ରିୟାଶୀଳତା ଚାଲିଛି।
ଆପଣଙ୍କ ଭଳି ଓଡ଼ିଶାର ବହୁ କମ୍ ବ୍ୟକ୍ତିତ୍ୱ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଉଚ୍ଚ ସୋପାନରେ ପହଂଚିଛନ୍ତି। ଓଡ଼ିଶାକୁ ନେଇ କ’ଣ କହିବେ?
ମୁଁ ମାଟିର ଲୋକ। ଖାଣ୍ଟି ଓଡ଼ିଆ। ମୋ ଓଡ଼ିଆ ଲୋକଙ୍କୁ ଏତିକି କହିବି, ଆମକୁ ପ୍ରସ୍ତୁତିର ସହ ବାହାରିଯିବାକୁ ପଡ଼ିବ। ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆମକୁ ବହୁ ସଂଘର୍ଷ କରିବାର ଆକଶ୍ୟକତା ରହିଛି। ଆମେ ଏକପାଖିଆ ହେଲେ ଚାଲିବ ନାହିଁ। ସର୍ବଗ୍ରହଣୀୟ ବାର୍ତ୍ତା ଆଣି ଆଗେଇବାକୁ ପଡ଼ିବ। ବହୁତ ପରିଶ୍ରମ କରି ନିଜର ଏକ ସ୍ବତନ୍ତ୍ର ସ୍ଥାନ ଗଢ଼ିବାକୁ ପଡ଼ିବ। ତେବେ ଯାଇ ଆମ ଓଡ଼ିଶାର ଅସ୍ମିତା ଅକ୍ଷୁଣ୍ଣ ରହିବ।