ଧରା ପଡ଼ୁ ନାହାନ୍ତି ଟିଟୋର ଭାଇ, ବଦଳିବେ ତଦନ୍ତକାରୀ ଅଧିକାରୀ

ସୋହେଲା: ବିଜେପୁର ଉପନିର୍ବାଚନ ପୂର୍ବରୁ ବନାବିରା ଗୁଳିକାଣ୍ଡ ଠାରୁ ଆରମ୍ଭ କରି ପୂର୍ବ ମନ୍ତ୍ରୀ ଜୟନାରାୟଣ ମିଶ୍ରଙ୍କ ଗିରଫ, ଯୁବନେତା ଇରାଶିଷ ଆଚାର୍ଯ୍ୟଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଚର୍ଚ୍ଚାରେ ଥିବା ସୋହେଲା ଅଂଚଳ ଏବେ ପୁଣି ଗୁଳି ଫୁଟିବା ଓ ଜଣେ ଯୁବକ ଗୁରୁତର ଆହତ ହେବାରୁ ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ରାତିରେ ସୋହେଲାର ବିଚ୍‌ ରାସ୍ତା ଉପରେ ପୁଣି ଗୁଳି ଫୁଟିଛି। ଗୁଳିମାଡ଼ରେ ଯୁବ ବ୍ୟବସାୟୀ ନାରାୟଣ ଦାଶ (୪୭) ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ବୁର୍ଲା ମେଡିକାଲ ସ୍ଥାନାନ୍ତର କରାଯାଇଛି। ଗୁଳିମାଡ଼ର କାରଣ ଜଣାପଡି ନଥିଲେ ହେଁ ଏହା ଏକ ରାଜନୈତିକ ଗୋଷ୍ଠୀ ବିବାଦ ବୋଲି ଜଣେ ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି। ଘଟଣା ପରେ ସୋହେଲାରେ ଉତ୍ତେଜନା ପ୍ରକାଶ ପାଇଛି। ଉତ୍ତ୍ୟକ୍ତ ଲୋକେ ୬ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ। ସୂଚନାନୁସାରେ ସୋହେଲା ହାଟପଦାର ବ୍ୟବସାୟୀ ନାରାୟଣ ଦାଶ ଅନ୍ୟ କିଛି ଯୁବକଙ୍କ ସହ ରାତି ୯ଟା ବେଳେ ବସି କଥାବାର୍ତ୍ତା ହେଉଥିଲେ। ବାଇକରେ ୩ ଜଣ ଯୁବକ ସବାର ଥିଲେ। କେହି କିଛି ବୁଝିବା ପୂର୍ବରୁ ବାଇକ୍‌ ସବାର ଯୁବକମାନେ ହଠାତ୍‌ ଗୁଳିଚାଳନା କରିଥିଲେ। ଏଥିରୁ ୨ଟି ଗୁଳି ନାରାୟଣଙ୍କୁ ବାଜିଥିବା ପୁଲିସ୍‌ ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର