‘ଇତିହାସକୁ ନ ବଦଳାଇ ନୂଆ ଇତିହାସ ସୃଷ୍ଟି କରାଯାଉ’

ଏମ୍‌.ଏସ୍‌.ଲ’ କଲେଜର ବାର୍ଷିକ ଉତ୍ସବ

କଟକ: ମଧୁସୂଦନ ଆଇନ ମହାବିଦ୍ୟାଳୟ ଯାହାଙ୍କ ନାମରେ ନାମିତ ହୋଇଛି ତାଙ୍କ ବିଷୟରେ ଚିନ୍ତା କଲେ, ତାଙ୍କୁ ଅନୁକରଣ କଲେ, ସ୍ମରଣ କଲେ, ଛାତ୍ରଛାତ୍ରୀମାନେ ପ୍ରେରଣା ଓ ଉତ୍ସାହ ପାଇବା ସହିତ ଅନେକ ସମ୍ଭାବନାର ଅଧିକାରୀ ହୋଇପାରିବେ। ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ନାମ ଶୁଣିଲେ ପ୍ରତ୍ୟେକ ଓଡ଼ିଆ ଆତ୍ମ ସଚେତନ ହୋଇଯାଏ ବୋଲି ମଧୁସୂଦନ ଲ’ କଲେଜର ବାର୍ଷିକ ଓ ସାଂସ୍କୃତିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି। ଶ୍ରୀ ପଟ୍ଟନାୟକ ଭାରତୀୟ ସଂସ୍କୃତି, ଏକତା, ଅଖଣ୍ଡତା ଉପରେ ମତ ଦେଇ କହିଥିଲେ ଯେ ବର୍ତ୍ତମାନ ପରିସ୍ଥିତିରେ ଅନେକ ଲୋକ ଦେଶର ଇତିହାସକୁ ବଦଳାଇବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଜାତିର ଇତିହାସ ନବଦଳାଇ ନୂଆ ଇତିହାସ ରଚନା କରିବାକୁ ଛାତ୍ରଛାତ୍ରୀମାନେ ଆଗେଇ ଆସିବା ଆବଶ୍ୟକ। ଦେଶର ବିଭିନ୍ନ ଅନୁଷ୍ଠାନ ଏବେ ଅବକ୍ଷୟ ଆଡକୁ ଗତି କରୁଥିବା ବେଳେ ଏଥିରେ ଅଙ୍କୁଶ ଲଗାଇବାକୁ ହେଲେ ବିଶେଷ ଭାବେ ଆଇନ ପାଠ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କୁ ଆଗକୁ ଆସିବାକୁ ପଡିବ ବୋଲି ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ।

କଲେଜର ଅଧ୍ୟକ୍ଷ ପ୍ରଫେସର ଡକ୍ଟର ସୁକାନ୍ତ କୁମାର ନନ୍ଦଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଆମେଚ୍‌ର ବେସ୍‌ବଲ୍‌ ଫେଡରେସନ୍‌ ଅଫ ଇଣ୍ଡିଆର ସଭାପତି ପଙ୍କଜ ଲୋଚନ ମହାନ୍ତି ଯୋଗ ଦେଇଥିଲେ। ଉତ୍ସବରେ ଛାତ୍ର ପରିଷଦ ଉପଦେଷ୍ଟା ଡକ୍ଟର ସତ୍ୟନାରାୟଣ ମଲ୍ଲିକ ଅତିଥି ପରିଚୟ ଦେଇଥିବା ବେଳେ ଛାତ୍ର ପରିଷଦ ଆବାହାକ ରାଧାମାଧବ ଦାଶ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଅବସରରେ କଲେଜର ପତ୍ରିକା ‘ଦ ଜର୍ନାଲ’ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ସାମାଜିକ ଅନୁଷ୍ଠାନ ‘ସ୍ମାଇଲ’ ପକ୍ଷରୁ ଏହି ଅବସରରେ ସାଂସଦ ଶ୍ରୀ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସାଂସ୍କୃତିକ ପରିଷଦ ସଂପାଦକ ପ୍ରକାଶ ଚନ୍ଦ୍ର ନାୟକ, ପତ୍ରିକାର ସଂପାଦକ ପ୍ରତାପ ସାହୁ, ଦେବାଶିଷ ମହାନ୍ତି, ଅସମିତ ମହାନ୍ତିଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିିତ ଥିଲେ। ପତ୍ରିକାର ସହସଂଯୋଜିକା ଇତିଶ୍ରୀ ମହାନ୍ତି ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର