ଷ୍ଟକିଷ୍ଟ୍‌-ବିପିପିଆଇ ମଧ୍ୟରେ ସମନ୍ଵୟ ରହୁନି

ଅଡ଼ୁଆରେ ପଡ଼ିଛି ଜନଔଷଧି କେନ୍ଦ୍ର

ଭୁବନେଶ୍ୱର: ଲୋକଙ୍କୁ କମ୍‌ ଦରରେ ଜେନେରିକ୍‌ ମେଡିସିନ୍‌ ଯୋଗାଇ ଦିଆଯିବ। ସାଧାରଣ ଲୋକ ଆଉ ମେଡିସିନ୍‌ ଖର୍ଚ ପାଇଁ ମୁଣ୍ଡରେ ହାତ ଦେବେନି। ୫୦ରୁ ୬୦ ପ୍ରତିଶତ କମ୍‌ ଦରରେ ଔଷଧ ଯୋଗାଇ ଦିଆଯିବ। ଏଇ ଉଦ୍ଦେଶ୍ୟ ନେଇ ପ୍ରଧାନମନ୍ତ୍ରୀ ଭାରତୀୟ ଜନଔଷଧି ପରିଯୋଜନାରେ ବିଭିନ୍ନ ରାଜ୍ୟରେ ଜନ ଔଷଧି କେନ୍ଦ୍ର ଖୋଲିଥିଲେ। ଓଡ଼ିଶାରେ ମଧ୍ୟ ୬୫ଟି ଜନ ଔଷଧି କେନ୍ଦ୍ର ଖୋଲିଛି। ମାତ୍ର ଔଷଧ ଯୋଗାଣରେ ସମସ୍ୟା, ସମନ୍ଵୟ ଓ ଆନ୍ତରିକତା ଅଭାବରୁ ଔଷଧ କେନ୍ଦ୍ରଗୁଡ଼ିକ ବନ୍ଦ ହୋଇଯିବା ଭଳି ସ୍ଥିତି ଉପୁଜିଛି। ଜନଔଷଧି ପ୍ରୋପାଇଟର ଆସୋସିଏସନ୍‌(ଜେପିଏ)ର ଅଭିଯୋଗ ମୁତାବକ, ଡାକ୍ତରମାନେ ଜେନେରିକ୍‌ ମେଡିସିନ୍‌ ଲେଖିବାକୁ ନାକ ଟେକୁଛନ୍ତି। ବରଂ ପ୍ରତିଷ୍ଠିତ କମ୍ପାନିର ଔଷଧ ଲେଖୁଛନ୍ତି। ଯଦି ଜେନେରିକ୍‌ ମେଡିସିନ୍‌ ପାଇଁ କେହି ଦାବି କରୁଛନ୍ତି, ତେବେ ତାଙ୍କୁ କୁହାଯାଉଛି ଆମେ ଲେଖିଦବୁ କିନ୍ତୁ ରୋଗ ଭଲ ହେଲେ କି ନହେଲେ ଆମକୁ କିଛି କହିବନି।
ଜେନେରିକ୍‌ ମେଡିସିନ୍‌ ସ୍ୱପ୍ନ ଇଣ୍ଡିଆନ୍‌ ରେଡ୍‌କ୍ରସ୍‌ ପକ୍ଷରୁ ୨୨ଟି ଏବଂ ୩୩ଟି ଘରୋଇ ସଂସ୍ଥା ପକ୍ଷରୁ ଜନ ଔଷଧି କେନ୍ଦ୍ର ଖୋଲିଛି। କିନ୍ତୁ ଷ୍ଟକିଷ୍ଟ୍‍ ଏବଂ ବ୍ୟୁରୋ ଫାର୍ମାସ୍ୟୁଟିକାଲ୍‌ ପ୍ରଡକ୍ଟ୍‌ସ ଅଫ୍‌ ଇଣ୍ଡିଆ (ବିପିପିଆଇ), ଓଡ଼ିଶାର କର୍ମକର୍ତାଙ୍କ ଦାଉ ଜନ ଔଷଧି କେନ୍ଦ୍ର ପାଇଁ ଦିନକୁ ଦିନ ମୁଣ୍ଡ ବ୍ୟଥାର କାରଣ ହେଉଛି। ଜେପିଏର ଯୁଗ୍ମ ଆବାହକ ସଂଜୟ ମହାନ୍ତି କହିଛନ୍ତି, ଜଣେ ରିଟେଲର୍‌ ଜନ ଔଷଧି କେନ୍ଦ୍ରର ଖୁଚୁରା ବ୍ୟବସାୟୀ ଷ୍ଟକିଷ୍ଟ୍‍ଙ୍କଠାରୁ ଔଷଧ ଆଣିବାର ୩୦ ଦିନ ମଧ୍ୟରେ ଟଙ୍କା ପଇଠ କରିବେ। କିନ୍ତୁ ଷ୍ଟକିଷ୍ଟ୍‍ମାନେ ସଙ୍ଗେସଙ୍ଗେ ଟଙ୍କା ପଇଠ କରି ମେଡିସିନ୍‌ ନେବାକୁ କହୁଛନ୍ତି। ମାତ୍ର ଏନେଇ ବିପିପିଆଇର ନୋଡାଲ୍‌ ଅଧିକାରୀ ଏମ୍‌ ମୁରଲୀ କହିଛନ୍ତି, କ୍ୟାପିଟାଲ୍‌ ହସ୍ପିଟାଲ୍‌ ପରିସରରେ ଯେଉଁ ଜନଔଷଧି କେନ୍ଦ୍ର ଅଛି ତା’ ଉପରେ ୬ ମାସର ପାଖାପାଖି ୫ଲକ୍ଷ ଟଙ୍କା ବାକି ପଡ଼ିଛି। ତେଣୁ ଆଗେ ଟଙ୍କା ପଇଠ କରିବା ପାଇଁ କୁହାଯାଉଛି। କିନ୍ତୁ ବ୍ରହ୍ମପୁରର ଆଉଜଣେ ଯୁଗ୍ମ ଆବାହକ ନିର୍ମଳ ନାୟକ କହିଛନ୍ତି, କେଇଜଣ ଟଙ୍କା ଦେବାରେ ବିଳମ୍ବ କରିବେ ବୋଲି ସମସ୍ତଙ୍କୁ ସମସ୍ୟାରେ ପକାଇବାର କୌଣସି ମାନେ ନାହିଁ। ଯୁଗ୍ମ ଆବାହକ କଟକର ପିକେ ସିହ୍ନା କହିଛନ୍ତି, କେନ୍ଦ୍ରରୁ ୬୧୫ ପ୍ରକାର ମେଡିସିନ୍‌ ମିଳିବାର ସୁବିଧା ରହିଛି। କିନ୍ତୁ ଷ୍ଟକିଷ୍ଟ୍‍ମାନେ ସାଧାରଣ ରୋଗ, ଡାଇବେଟିସ୍‌, ଜ୍ୱର, ଥଣ୍ଡା, ରକ୍ତଚାପ ପାଇଁ ସବୁବେଳେ ଆବଶ୍ୟକ ମୁତାବକ ମେଡିସିନ୍‌ ଦେଉନାହାନ୍ତି। ଯଦିଓ ମେଡିସନ୍‌ ପାଇଁ ଜନଔଷଧି କେନ୍ଦ୍ର ପକ୍ଷରୁ ଅର୍ଡର ଦିଆଯାଉଛି ତାହା ସେଇ ମୁହୂର୍ତରେ ଯୋଗାଇ ଦିଆନଯାଇ ୧୦ରୁ ୧୫ ଦିନ ସମୟ ନେଉଛନ୍ତି। ତେଣୁ ଗ୍ରାହକମାନଙ୍କୁ ସବୁ ମେଡିସିନ୍‌ ଯୋଗାଇ ଦେବାରେ ଆମେ ବିଫଳ ହୋଇଛୁ ବୋଲି ସେ କହିଛନ୍ତି। ଏହି ସମସ୍ୟା ଯୋଗୁଁ ଉତ୍ତରପ୍ରଦେଶରେ ୪୦୦ରୁ ଊର୍ଧ୍ୱ ଏବଂ କେରଳରେ ୩୦୦ରୁ ଊର୍ଧ୍ୱ ଜନଔଷଧି କେନ୍ଦ୍ର ଥିଲେ ହେଁ ଓଡ଼ିଶାରେ ଏହା ୬୫ରେ ସୀମିତ ରହିଛି ବୋଲି କହିଛନ୍ତି ସଂଜୟ ମହାନ୍ତି।

ସମ୍ବନ୍ଧିତ ଖବର