ବିଦ୍ୟୁତ୍‌ ଯୋଗାଣ ଅବ୍ୟାହତ ପାଇଁ ପାଓ୍ଵାର ବ୍ୟାଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ସମ୍ଭାବ୍ୟ ଗ୍ରୀଷ୍ମପ୍ରବାହର ମୁକାବିଲା ନିମନ୍ତେ ରାଜ୍ୟ ପ୍ରଶାସନ ଅଣ୍ଟା ଭିଡ଼ିଛି। ଏଥର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟୁତ୍‌ ଯୋଗାଣକୁ ଅବ୍ୟାହତ ରଖିବା ଉଦ୍ଦେଶ୍ୟରେ ପାଓ୍ଵାର ବ୍ୟାଙ୍କ ଗଠନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଭିନ୍ନ ପ୍ରସ୍ତୁତି ନେଇ ସମୀକ୍ଷା କରାଯାଇଥିଲା। ଯେଉଁ ଗ୍ରାମଗୁଡ଼ିକରେ ଜଳାଭାବ ସୃଷ୍ଟି ହେବାର ଆଶଙ୍କା ପ୍ରକାଶ ପାଇଲାଣି, ସେହି ଗ୍ରାମଗୁଡ଼ିକୁ ଆଗୁଆ ଚିହ୍ନଟ କରି ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଥିଲା। ବିଦ୍ୟାଳୟ, ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ସକାଳ ୬.୩୦ ମିନିଟରୁ ଆରମ୍ଭ କରି ୧୦ଟା ବେଳକୁ ଛୁଟି କରିବାକୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ। ବିଗତ ବର୍ଷଗୁଡ଼ିକ ଭଳି ଦିନ ୧୧ଟାରୁ ଅପରାହ୍ଣ ୩ଟା ମଧ୍ୟରେ ଯାତ୍ରୀବାହୀ ବସ୍‌ଗୁଡ଼ିକ ଚଳାଚଳ ନିୟନ୍ତ୍ରଣ, ବସ୍‌ ଭିତରେ ପାନୀୟଜଳ, ଓଆରଏସ୍‌ ପ୍ୟାକେଟ୍‌, ବରଫ ରଖିବା, ଦିନ ୧୧ଟାରୁ ୩ଟା ମଧ୍ୟରେ ଶ୍ରମିକଙ୍କୁ ଖରାରେ କାମ ନ କରାଇବା, ସର୍ବତ୍ର ଜଳଛତ୍ର ଖୋଲାଯିବା, ଗାଈଗୋରୁଙ୍କ ପାଇଁ ପାଣି, ବନ୍ୟଜନ୍ତୁଙ୍କ ପାଇଁ ଜଙ୍ଗଲରେ ଜଳାଶୟ ଆଦି ବ୍ୟବସ୍ଥା ଉପରେ ଆଲୋଚନା କରି ନିଷ୍ପତ୍ତିମାନ ନିଆଯାଇଥିଲା। ବୈଠକରେ ସ୍ୱତନ୍ତ୍ର ରିଲିଫ କମିସନର ବିଷ୍ଣୁପଦ ସେଠୀଙ୍କ ସହିତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର