ରାଉରକେଲା/ବଣାଇ: ପରିବେଶ ସୁରକ୍ଷା ସାରା ବିଶ୍ବ ପାଇଁ ଆଜି ଚିନ୍ତାର କାରଣ ହୋଇଛି। ସୁନ୍ଦର ପୃଥିବୀଟିଏ ଗଢ଼ି ତୋଳିବାକୁ ଯାହା ଆବଶ୍ୟକ, ତା’ ଆମେ କରୁନାହୁଁ। ଯାହାର ଫଳ ଆଜି ସାରା ବିଶ୍ବ ଭୋଗୁଛି। ଶୀତଦିନେ ତାତି, ଗ୍ରୀଷ୍ମଦିନ ସ୍ଥିତି ଆହୁରି ସଙ୍ଗିନ। ଖଣି ଅଞ୍ଚଳବାସୀଙ୍କ ଅବସ୍ଥା ନ କହିବା ଭଲ। ତେଣୁ ପରିବେଶ ସୁରକ୍ଷା ଆମ ସମସ୍ତଙ୍କର ଦାୟିତ୍ବ ବୋଲି ବଣାଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି।
ଆଜି ବିଶ୍ବ ପରିବେଶ ସ୍ବାସ୍ଥ୍ୟ ଦିବସ ଅବସରରେ ‘ସମ୍ବାଦ’ ପକ୍ଷରୁ ବଣାଇ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କେନ୍ଦ୍ରିକଳା ପଞ୍ଚାୟତରେ ପରିବେଶ ପଞ୍ଚାୟତ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ବିଧାୟକ ଶ୍ରୀ ମୁଣ୍ଡା କହିଥିଲେ ଯେ ବିକାଶ ହେଉ, କିନ୍ତୁ ବିକାଶ ନାଁରେ ସୁନ୍ଦର ପୃଥିବୀକୁ ବିନାଶ ଆଡ଼କୁ ଠେଲି ନ ଦିଆଯାଉ। କେବଳ ଚାରାରୋପଣ କରିଦେଲେ ହେବ ନାହିଁ, ତା’ର ରକ୍ଷଣାବେକ୍ଷଣ ଆମ ସମସ୍ତଙ୍କର କର୍ତ୍ତବ୍ୟ। ଜଙ୍ଗଲରେ ଅବାଧ ଗଛକଟା ଯୋଗୁ ହାତୀ ଜନବସତିମୁହାଁ ହେଉଛନ୍ତି। ଆଗାମୀ ପିଢ଼ି ପାଇଁ ପୃଥିବୀକୁ ସୁରକ୍ଷିତ ରଖିବା, ଆଜିର ଦିନରେ ସଂକଳ୍ପ ନେବାର ସମୟ ଆସିଛି ବୋଲି ସେ କହିଥିଲେ। କେନ୍ଦ୍ରିକଳା ପଞ୍ଚାୟତ ସରପଞ୍ଚ ଉଗ୍ରସେନ କିସାନ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୃକ୍ଷବିନା ଆମେ ବଞ୍ଚିପାରିବା ନାହିଁ ବୋଲି ବୁଝାଇଥିଲେ। ସେ କହିଥିଲେ, ପରିବେଶ ସୁରକ୍ଷା ପାଇଁ କେନ୍ଦ୍ରିକଳା ପଞ୍ଚାୟତ ଜାତୀୟ ପୁରସ୍କାର ପାଇସାରିଛି। ୨ ଲକ୍ଷ ଚାରାରୋପଣ କରି କେନ୍ଦ୍ରିକଳା ପଞ୍ଚାୟତ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି। କରୋନା ମହାମାରୀ ସମୟରେ ଅମ୍ଳଜାନର ଗୁରୁତ୍ବ କେତେ ଆମେ ସଭିଏଁ ଅନୁଭବ କରିପାରିଛୁ। ଭବିଷ୍ୟତ ପିଢ଼ିକୁ ରକ୍ଷା କରିବାର ଏକମାତ୍ର କବଚ ହେଉଛି ଗଛ। ତେଣୁ ସମସ୍ତେ ପରିବେଶମନସ୍କ ହେବାକୁ ସେ ଆହ୍ବାନ ଦେଇଥିଲେ। ସମ୍ମାନିତ ଅତିଥି ବଣାଇ କଳାକାର ସଂଘର ସଭାପତି ତଥା ପରିବେଶପ୍ରେମୀ ଖଗେଶ୍ବର ବାରିକ ଚାରାକୁ ପୁଅଝିଅ ପରି ଯତ୍ନ ନେବାକୁ ପରାମର୍ଶ ଦେଇଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଦାଶରଥି ବ୍ରହ୍ମ ଗଛ ଆମକୁ ବର୍ଷକୁ ୨୪ ଲକ୍ଷ ଟଙ୍କାର ଅମ୍ଳଜାନ ଦେଉଛି। ପରିବେଶକୁ ଶୁଦ୍ଧ କରିବାର ଗୋଟିଏ ମାତ୍ର ଉପାୟ ହେଉଛି ଅଧିକରୁ ଅଧିକ ବୃକ୍ଷରୋପଣ ବୋଲି କହିଥିଲେ। ‘ସମ୍ବାଦ’ ରାଉରକେଲା ସଂସ୍କରଣ ମୁଖ୍ୟ ଲକ୍ଷ୍ମୀନାରାୟଣ ହୋତା ଉଦ୍ଦେଶ୍ୟ ଜ୍ଞାପନ ଓ ରାଉରକେଲା ପ୍ରତିନିଧି ମଳୟରଞ୍ଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କୋଇଡ଼ା ପ୍ରତିନିଧି ଅବିନାଶ ଶର୍ମା ଧନ୍ୟବାଦ ଦେଇଥିଲେ। ବଣାଇ ପ୍ରତିନିଧି ଚିନ୍ମୟ ତ୍ରିପାଠୀ ଓ ‘ସମ୍ବାଦ’ ରାଉରକେଲାର ଫଟୋ ସାମ୍ବାଦିକ ଅଭୟ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଏହି ଅବସରରେ ଅତିଥିମାନେ ଚାରାରୋପଣ କରିଥିଲେ।