କରୋନା ନେଇ ଭୟଭୀତ ହେବାର କାରଣ ନାହିଁ, ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସ୍କ ଆବଶ୍ୟକ ନାହିଁ: ସ୍ୱାସ୍ଥ୍ୟ ସଚିବ

ଭୁବନେଶ୍ୱର: ଚୀନରୁ ବ୍ୟାପିଥିବା କରୋନା ଭାଇରସ ନେଇ ଭୟଭୀତ ହେବାର କାରଣ ନାହିଁ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ କହିଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କୁ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ସୁସ୍ଥ ବ୍ୟକ୍ତିଙ୍କ ପାଇଁ ମାସ୍କର ଆବଶ୍ୟକତା ନାହିଁ। ତେଣୁ ଆକ୍ରାନ୍ତ ହେଲେ ଅଥବା ଲକ୍ଷଣ ଦେଖାଗଲେ ମାସ୍କ ବ୍ୟବହାର କରାଯିବା ଦରକାର। କରୋନା ଲକ୍ଷଣ ଦେଖାଗଲେ ସଂପୃକ୍ତ ବ୍ୟକ୍ତିଙ୍କୁ ୧୪ ଦିନ ପାଇଁ ଆଇସୋଲେସନରେ ରଖାଯାଉଛି। ପ୍ରତ୍ୟେକ ବ୍ୟକ୍ତି ଯେତେବେଳେ ବାହାରୁ ଆସୁଛନ୍ତି, ପ୍ରଥମେ ହାତ ଧୂଅନ୍ତୁ। ନିଶ୍ୱାସ ନେବାରେ ଅସୁବିଧା ହେଲେ ଡାକ୍ତରଙ୍କ ପରାମର୍ଶ କରନ୍ତୁ ବୋଲି ସ୍ୱାସ୍ଥ୍ୟ ସଚିବ ପରାମର୍ଶ ଦେଇଛନ୍ତି।

ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ଚୀନରେ କରୋନା ରୋଗୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ମାତ୍ର ଏହାରି ଭିତରେ ଏହି ମାରାତ୍ମକ ସଂକ୍ରମଣ ୧୦୦ରୁ ଅଧିକ ଦେଶକୁ ଛୁଇଁ ସାରିଛି। ଇଟାଲି, ଇରାନ, ଦକ୍ଷିଣ କୋରିଆରେ ଭୟଙ୍କର ସ୍ଥିତି ଦେଖାଯାଇଛି। ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଇଟାଲି ପର୍ଯ୍ୟଟକଙ୍କ ପାଇଁ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଛି ବୋଲି ସ୍ୱାସ୍ଥ୍ୟ ସଚିବ କହିଛନ୍ତି। ସେ କହିଛନ୍ତି ଯେ, ଭୁବନେଶ୍ୱର ବିମାନ ବନ୍ଦରରେ ଯାତ୍ରୀମାନଙ୍କୁ ସ୍କ୍ରିନିଂ କରାଯାଉଛି।

Photo: Citizen Matters

ପୂର୍ବରୁ ଓଡ଼ିଶାରେ କରେନା ରକ୍ତ ନମୁନା ଓଡ଼ିଶାରେ ହୋଇପାରୁ ନଥିଲା। ସେଥିପାଇଁ ନମୁନାକୁ କୋଲକାତା କିମ୍ବା ପୁଣେ ପଠାଯାଉଥିଲା। ଏବେ କିନ୍ତୁ ଏହି ପରୀକ୍ଷା ଭୁବନେଶ୍ୱରସ୍ଥିତ ଆରଏମ୍‌ଆରସିରେ ହୋଇପାରୁଛି। କ୍ୟାପିଟାଲ ହସ୍ପିଟାଲରୁ ସଂଗୃହୀତ ହୋଇଥିବା ୨ଟି ନମୁନା ଆରଏମ୍‌ଆରସିରେ ପରୀକ୍ଷା ହୋଇଛି। ଏହା ନେଗେଟିଭ୍‌ ମିଳିଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ସଚିବ ଶ୍ରୀ ଧଳ।

ସମ୍ବନ୍ଧିତ ଖବର