ଅଗ୍ନିଶମ ସେବା ସଂସ୍ଥାର ହସ୍‌ପିଟାଲ ଯାଞ୍ଚ, ଅଧିକାଂଶ ବିପଦସଙ୍କୁଳ

ରୋଗୀଙ୍କ ଜୀବନ ସହ ଖେଳ

ଭୁବନେଶ୍ୱର: ଜୀବନ ବଞ୍ଚାଇବାକୁ ହସ୍‌ପିଟାଲ ଯାଉଥିବା ରୋଗୀଙ୍କ ଜୀବନ ସହ ଖେଳ ଚାଲିଛି। ଅଗ୍ନି ନିର୍ବାପକ ବ୍ୟବସ୍ଥାକୁ ନେଇ କର୍ତ୍ତୃପକ୍ଷ ସଚେତନ ନୁହନ୍ତି। କେଉଁଠି ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବା ବେଳେ କେଉଁଠି ଥାଇ ମଧ୍ୟ କାମରେ ଲାଗିବା ଭଳି ସ୍ଥିତି‌‌ରେ ନାହିଁ। ଅବ୍ୟବହୃତ ସାମଗ୍ରୀ କରିଡରକୁ କବ୍‌ଜା କରିଥିବାରୁ ଅଗ୍ନିକାଣ୍ଡ ସମୟରେ ଏହା ନିର୍ଗମନ ଓ ଉଦ୍ଧାର କାର୍ଯ୍ୟରେ ବାଧକ ହେବ ବୋଲି ଜଳଜଳ ଦିଶୁଛି। ସମସ୍ତ ହସ୍‌ପିଟାଲ‌‌ରେ ଶିଡ଼ି ତଳେ ବୈଦ୍ୟୁତିକ ପ୍ୟାନେଲ ରହି ଅଗ୍ନିକାଣ୍ଡକୁ ଆମନ୍ତ୍ରଣ କରୁଛି। ଅଧିକାଂଶ ହସ୍‌ପିଟାଲର ବେସ୍‌ମେଣ୍ଟ ଗୋଦାମରେ ପରିଣତ ହୋଇଥିବା ବେଳେ କୌଣସି ହସ୍‌ପିଟାଲ୍‌ରେ ଉତ୍ତମ ଦେଖାରଖା ବ୍ୟବସ୍ଥା (ଗୁଡ୍‌ ହାଉସ୍‌ କିପିଙ୍ଗ୍‌) ପରିଲକ୍ଷିତ ହୋଇନାହିଁ।

ରାଜ୍ୟର କେଉଁ ଉପାନ୍ତ ଅଞ୍ଚଳରେ ନୁହେଁ, ବରଂ ରାଜଧାନୀରେ ଏଭଳି ସ୍ଥିତି ସାମ୍ନାକୁ ଆସିଛି। ଅଗ୍ନିଶମ ଡିଜି ବିଜୟ ଶର୍ମାଙ୍କ ନିର୍ଦ୍ଦେଶକ୍ରମେ ଆଜି ରାଜଧାନୀରେ ଥିବା ୧୫ଟି ପ୍ରମୁଖ ସରକାରୀ ଓ ଘରୋଇ ହସ୍‌ପିଟାଲ‌ ଯାଞ୍ଚ କଲା ବେଳେ ଅଗ୍ନିଶମ ସେବା ସଂସ୍ଥାର ସ୍ବତନ୍ତ୍ର ଦଳ ଏହି ସ୍ଥିତି ଦେଖିବାକୁ ପାଇଛି। ଖୁବ୍‌ଶୀଘ୍ର ଅଗ୍ନିଶମ ସେବା ସଂସ୍ଥାର ନିର୍ଦ୍ଦେଶାବଳୀ ମୁତାବକ ଅଗ୍ନି ନିର୍ବାପକ ବ୍ୟବସ୍ଥା କରିବାକୁ ଖିଲାପି ଡାକ୍ତରଖାନାକୁ ନୋଟିସ୍‌ କରାଯିବ ବୋଲି ଡିଜି ଶ୍ରୀ ଶର୍ମା କହିଛନ୍ତି। ସମ୍‌ ହସ୍‌ପିଟାଲରେ ଅଗ୍ନିକାଣ୍ଡ ଘଟି ରୋଗୀଙ୍କ ମୃତ୍ୟୁ ହେବା ପରେ ସାରା ରାଜ୍ୟରେ ତନାଘନା ଆରମ୍ଭ ହୋଇଥିଲା। ଏହାପରେ ଆପୋଲୋ ହସ୍‌ପିଟାଲ୍‌‌ରେ ମଧ୍ୟ ନିଆଁ ଲାଗିଥିଲା। ଉଭୟ ଘଟଣାରେ ଉଦ୍ଧାର ପ୍ରକ୍ରିୟା ଅଗ୍ନିଶମ ସେବା ସଂସ୍ଥାର କର୍ମଚାରୀମାନଙ୍କ ପାଇଁ କାଠିକର ପାଠ ହୋଇଥିଲା। ଏଣୁ ଅଗ୍ନିଶମ ସେବା ସଂସ୍ଥା ପକ୍ଷରୁ ଜାରି ହୋଇଥିବା ନିୟମ କାନୁନ ପାଳନ ହେଉଛି କି ନାହିଁ, ତାହା ଯାଞ୍ଚ କରାଯାଇଥିଲା। ଅଧିକାଂଶ ହସ୍‌ପିଟାଲ ନିର୍ଦ୍ଦେଶନାମା ପାଳନ କରିନଥିବା ପରିଲକ୍ଷିତ ହୋଇଥିଲା। ବିଭାଗ ସମ୍ପୃକ୍ତ ଖିଲାପି କର୍ତ୍ତୃପକ୍ଷଙ୍କୁ ନୋଟିସ୍‌ କରିବା ସହ ନିର୍ଦ୍ଧାରିତ ସମୟରେ ଏହି ନିର୍ଦ୍ଦେଶାବଳୀ ପାଳନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲା। ଏହାପରେ ମଧ୍ୟ କେହି ପାଳନ କରୁନଥିବା ବିଭାଗ ଅନୁଭବ କରିବା ପରେ ହସ୍‌ପିଟାଲଗୁଡ଼ିକୁ ଯାଞ୍ଚ କରିବା ପାଇଁ ଡିଜି ନିର୍ଦ୍ଦେଶ ଦେଇଥି‌ଲେ।

ଆଜି ୫ଜଣ ଅଫିସରଙ୍କ ଅଧୀନରେ ସ୍ବତନ୍ତ୍ର ଦଳ ଗଠନ ହୋଇ ୧୫ ହସ୍‌ପିଟାଲ୍‌ରେ ଚଢ଼ଉ ହୋଇଥିଲା। ଏଥିରେ ଉଭୟ ଘରୋଇ ଓ ସରକାରୀ ଡାକ୍ତରଖାନା ରହିଥିଲା। କିମ୍‌ସ, ଉତ୍କଳ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍‌, ସମ୍‌, ହାଇଟେକ୍‌, ଆପୋଲୋ, ଆମ୍ରି, କଳିଙ୍ଗ, କେୟାର, ବିବେକାନନ୍ଦ, ସନ୍‌ସାଇନ୍‌, ସ୍ପର୍ଶ, କର କ୍ଲିନିକ୍‌, ନୀଳାଚଳ, ଶ୍ରୀ ଜଗନ୍ନାଥ ପ୍ରଭୃତି ହସ୍‌ପିଟାଲ୍‌ରେ ହୋଇଥିବା ଚଢ଼ଉରେ ସମସ୍ତ ହସ୍‌ପିଟାଲ୍‌ରେ ଉପରୋକ୍ତ ସମସ୍ୟା ରହିଥିବା ଦେଖାଯାଇଥିଲା। ଏହି ସବୁ ହସ୍‌ପିଟାଲର ‌କର୍ମଚାରୀ, ରୋଗୀଙ୍କ ଆଟେଣ୍ଡାଣ୍ଟ, ଡାକ୍ତର, ନର୍ସ ଓ ସୁରକ୍ଷା କର୍ମୀମାନଙ୍କୁ ଅଗ୍ନିକାଣ୍ଡ ସମୟ‌‌ରେ ଜରୁରୀ ପଦକ୍ଷେପ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲ‌‌ା। ଏମାନଙ୍କୁ ଖୁବ୍‌ଶୀଘ୍ର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନିରାପତ୍ତା ପାଇଁ ବ୍ୟବସ୍ଥା କରିବାକୁ ନୋଟିସ୍‌ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ତେବେ ଏଭଳି ଲଗାତାର ଚଢ଼ଉ ସହ ନୋଟିସ୍‌ କରାଗଲେ ଅନୁଷ୍ଠାନଗୁଡ଼ିକ ସଚେତନ ହେବା ସହ ପଦକ୍ଷେପ ନେବେ ବୋଲି ବିଭାଗ ଆଶା ବାନ୍ଧିଛି।

ସମ୍ବନ୍ଧିତ ଖବର