ହିନ୍ଦୋଳ ସିଡିପିଓଙ୍କ କାର୍ଯ୍ୟାଳୟରେ ସରକାରୀ ନିୟମକୁ ଫୁ!

ଅଙ୍ଗନବାଡ଼ି ଛାତ୍ରଛାତ୍ରୀଙ୍କୁ ମିଳୁନି ସୁବିଧାସୁଯୋଗ

ଖଜୁରିଆକଟା : ହିନ୍ଦୋଳ ସମନ୍ବିତ ଶିଶୁବିଭାଗ କାର୍ଯ୍ୟାଳୟରେ ଦୁର୍ନୀତି ଚାଲିଥିବା ନେଇ ଅଭିଯୋଗ ହୋଇଆାସୁଛି। ଚଳିତବର୍ଷ ଅଙ୍ଗନବାଡି କେନ୍ଦ୍ରରେ ପାଠ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ପ୍ରାକ୍‌ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଜୋତା, ମୋଜା,ଡ୍ରେସ୍ ଓ ସ୍ବେଟର ଯୋଗାଇ ଦେବା ନିମନ୍ତେ ସରକାର ଘୋଷଣା କରିଥିଲେ। ଏ ନେଇ ରାଜ୍ୟ ମହିଳା ଓ ଶିଶୁ ବିକାଶ ତଥା ମିଶନ ଶକ୍ତି ବିଭାଗ ତରଫରୁ ଗତବର୍ଷ ସେପ୍ଟେମ୍ବର ୧୬ ତାରିଖରେ ସମସ୍ତ ଜିଲ୍ଲାପାଳମାନଙ୍କୁ ସୂଚନା ଦିଆଯାଇଥିଲା। ଛାତ୍ରଛାତ୍ରୀଙ୍କ ଜୋତା ପାଇଁ ଏକ ଶହ ଟଙ୍କା ଓ ସ୍ବେଟର ପାଇଁ ୧୫୦ ଟଙ୍କା ପ୍ରଦାନ କରାଯିବ ବୋଲି ଏଥି‌ରେ ଉଳ୍ଳେଖ ରହିଛି। ପିଲାମାନଙ୍କ ପାଇଁ ଜୋତା ଅଙ୍ଗନବାଡି କର୍ମୀ କ୍ରୟ କରି ନିଜ କେନ୍ଦ୍ରରେ ପଢୁଥିବା ପିଲାମାନଙ୍କ ମାପ ଅନୁଯାୟୀ ଯୋଗାଇ ଦେବେ। କିନ୍ତୁ ଏଥିରେ ବ୍ୟତିକ୍ରମ କରାଯାଇ ସିଡିପିଓ କାର୍ଯ୍ୟାଳୟ ପକ୍ଷରୁ ଜୋତା କିଣି ଯୋଗାଇ ଦିଆଯାଇଥିଲା। ଫଳରେ ଏହା ପିଲାମାନଙ୍କ ଗୋଡ଼ର ମାପ ଅନୁଯାୟୀ ହୋଇନଥିଲା।

ଏଥିଯୋଗୁଁ ତାହା ବ୍ୟବହାର ନ ହୋଇ ପଡି ରହିଛି। ଏଥିଯୋଗୁଁ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। କିଛି ସ୍ଥାନରେ ଅଭିଭାବକମାନେ ପିଲାମାନଙ୍କ ଜୋତା ମାପ ଅନୁଯାୟୀ ବ୍ୟବହାର ଉପଯୋଗୀ ନ ହେବାରୁ ଅଙ୍ଗନବାଡି କର୍ମୀଙ୍କୁ ଫେରାଇ ଦେଇଛନ୍ତି। ସେହିଭଳି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ସ୍ବେଟର ଓ ଡ୍ରେସ୍‌ ଯୋଗାଇ ଦେବା ପାଇଁ ନିୟମ ରହିଛି। କରୋନା ମହାମାରୀ ସମୟରେ ମହିଳା ଗୋଷ୍ଠୀମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ଜୀବିକା ଦେବା ସକାଶେ ଏହି ଯୋଜନା କରାଯାଇଥିଲା। ଏଥିପାଇଁ ସେମାନଙ୍କ ପାଖରେ ତାଲିମପ୍ରାପ୍ତ ମହିଳା ଓ ସିଲେଇ ଉପକରଣ ରହିଥିବା ଆବଶ୍ୟକ । ହିନ୍ଦୋଳରେ ଅଙ୍ଗନବାଡି ପିଲାମାନଙ୍କୁ ଯେଉଁ ମହିଳା ଗୋଷ୍ଠୀ ପୋଷାକ ଓ ସ୍ବେଟର ଯୋଗାଇଥିବା ସୂଚନା ମିଳିଛି ସେମାନଙ୍କ ପାଖରେ ଏସବୁ ଉପକରଣ ନାହିଁ। ଏହା ସ‌ତ୍ତ୍ବେ କିପରି ଭାବରେ ସେମାନେ ପୋଷାକ ଓ ସ୍ବେଟର ଯୋଗାଇ ଦେଇଛନ୍ତି ତାହା ତଦନ୍ତସାପେକ୍ଷ। ନିୟମ ଅନୁଯାୟୀ, ଯେଉଁଠାରେ ମହିଳାଗୋଷ୍ଠୀ ଅଣ ତାଲିମ ଓ ତାଙ୍କର ଉପକରଣ ନାହିଁ ସେଠାରେ ଅଙ୍ଗନବାଡି କର୍ମୀ ସ୍ଥାନୀୟ ବଜାରରୁ ପିଲାମାନଙ୍କ ମାପ ଅନୁଯାୟୀ ପୋଷାକ, ସ୍ବେଟର କ୍ରୟ କରି ଯୋଗାଇଦେବା କଥା।

ଏପରି ନ ହେବାରୁ ହିନ୍ଦୋଳରେ ଅଙ୍ଗନବାଡି କେନ୍ଦ୍ରରେ ପଢୁଥିବା ଛାତ୍ରଛାତ୍ରୀ ସରକାରଙ୍କ ଦ୍ବାରା ଯୋଗାଇ ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗରୁ ବଞ୍ଚିତ ହୋଇଛନ୍ତି। ଏପରିକି ସୂଚନା ଅଧିକାର ଆଇନ ବଳରେ ମଗାଯାଉଥିବା ତଥ୍ୟ ମଧ୍ୟ ହିନ୍ଦୋଳ ସିଡିପିଓଙ୍କ କାର୍ଯ୍ୟାଳୟରୁ ଯୋଗାଇ ଦିଆ ଯାଉନଥିବା ଅଭିଯୋଗ ହେଉଛି। ତୁରନ୍ତ ଏ ଦିଗରେ ବିଭାଗୀୟ ଅଧିକାରୀ ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର