ପୁରୀ: ଠାକୁରଙ୍କୁ କେହି ଅଢ଼ୁଆଳ କରିବେନି କି ଡେରା ପକାଇ ବସିବେନି। ଭକ୍ତ ଯେପରି ଭଲରେ ଦର୍ଶନ କରିବେ, ସେ ଦିଗକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ସ୍ନାନଯାତ୍ରା ପୂର୍ବରୁ ବୈଠକ କରି ଏଭଳି ନିଷ୍ପତ୍ତି ନେଇଥିଲା ଶ୍ରୀମନ୍ଦିର ପ୍ରଶାସନ। ଏଥିପାଇଁ ସ୍ବତନ୍ତ୍ର ସ୍ନାନଯାତ୍ରା ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଥିଲା। କିନ୍ତୁ ଆଜି ଏହି ବ୍ୟବସ୍ଥାବଳୀକୁ କେହି ମାନିନାହାନ୍ତି। ସ୍ନାନବେଦିରେ ଠାକୁରଙ୍କ ମୁଣ୍ଡ ପାଖରେ ବାଡ଼ାରେ ସେବକ ବସି ବିଶୃଙ୍ଖଳା ସୃଷ୍ଟି କରିଛନ୍ତି। ସେପଟେ ମାଳମାଳ ସେବକ ବି ଆଜି ଠାକୁରଙ୍କ ଆଗରେ ଠିଆ ହେବା ଓ ବସିବାରୁ ଭକ୍ତମାନେ ଠାକୁରଙ୍କ ସ୍ପଷ୍ଟ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଅପରପକ୍ଷେ ବ୍ୟବସ୍ଥାବଳୀକୁ ଉଲ୍ଲଂଘନ କରି ସ୍ନାନବେଦିରୁ ସେବକମାନେ ଭକ୍ତଙ୍କୁ ଫୁଲ, ତୁଳସୀ ଫିଙ୍ଗିଛନ୍ତି। ଭକ୍ତଙ୍କଠାରୁ ଟଙ୍କା ଆଦାୟ କରିଛନ୍ତି।
ବ୍ୟବସ୍ଥାବଳୀ ଅନୁଯାୟୀ, ନୀତି ସମ୍ପୃକ୍ତ ସେବାୟତ ନୀତିକାନ୍ତି ବେଳେ ଉପସ୍ଥିତ ରହିବେ। କିନ୍ତୁ ଆଜି ପାଳି ନ ଥିବା ବହୁ ସଂଖ୍ୟାରେ ସେବକ ସ୍ନାନବେଦିରେ ଉପସ୍ଥିତ ଥିଲେ। ଯେଉଁମାନେ ଠାକୁରଙ୍କୁ ଅଢ଼ୁଆଳ କରି ବସିଥିଲେ। ଫଳରେ ଧାଡ଼ିରେ ଯାଉଥିବା ଭକ୍ତମାନେ ଶ୍ରୀମୁଖ ଦର୍ଶନରୁ ବଞ୍ଚିତ ହୋଇଛନ୍ତି। ଅପରପକ୍ଷେ କିଛି ସେବକ ଠାକୁରଙ୍କ ପଛପାର୍ଶ୍ବ ବାଡ଼ାରେ ବି ବସି ଫୁଲ, ତୁଳସୀ ବାଣ୍ଟିଛନ୍ତି। ଯାହା ଠାକୁରଙ୍କ ପ୍ରତି ଅସମ୍ମାନ ବୋଲି ଭକ୍ତ କହିଛନ୍ତି। ଠାକୁରଙ୍କ ଦେହରୁ ବି ଲାଗି ମାଳ, ଫୁଲ, ତୁଳସୀ ଆଦି ଜଣେ ସେବକ ଖୋଲି ନେଉଥିବା ଓ ଏହାକୁ ଭକ୍ତଙ୍କୁ ଦେଉଥିବା ଦେଖିବାକୁ ମିଳିଛି। ଯାହା ବ୍ୟବସ୍ଥାବଳୀ ବିରୋଧୀ। ବ୍ୟବସ୍ଥାବଳୀରେ ସ୍ପଷ୍ଟ ଉଲ୍ଲେଖ ଥିଲା, ଭକ୍ତମାନେ ସ୍ନାନବେଦିକୁ ଫୁଲ, ତୁଳସୀ ଫିଙ୍ଗି ପାରିବେନି କି ସାଙ୍ଗରେ ନେଇ ପାରିବେନି। ସେବାୟତମାନେ ବି ଭକ୍ତଙ୍କୁ ଫୁଲ, ତୁଳସୀ ଦେବା, ଦାନଦକ୍ଷିଣା ଆଦାୟରେ କଟକଣା ଲଗାଯାଇଥିଲା। କିନ୍ତୁ ଆଜି ସ୍ନାନବେଦିର ଦୁଇପାର୍ଶ୍ବରେ ଛିଡ଼ା ହୋଇ ବହୁ ସେବାୟତ ଭକ୍ତଙ୍କ ଉପରକୁ ଫୁଲ, ତୁଳସୀ ଫିଙ୍ଗିଛନ୍ତି। ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ କରିଛନ୍ତି। ସ୍ନାନ ବେଳେ କେବଳ ପୂଜାପଣ୍ଡା ଠାକୁରଙ୍କୁ ସ୍ନାନ କରାଇବାର ବ୍ୟବସ୍ଥା ରହିଥିଲା। ଗରାବଡ଼ୁମାନେ ରୂପା ପିଙ୍ଗଣରେ ପୂଜାପଣ୍ଡାଙ୍କୁ ସ୍ନାନ ଜଳ ଦେବାର ବ୍ୟବସ୍ଥା ରହିଥିଲା। କିନ୍ତୁ ମାଳମାଳ ସେବକ ସ୍ନାନବେଳେ ସ୍ନାନବେଦିରେ ଚଢ଼ି ବିଶୃଙ୍ଖଳା କରିଛନ୍ତି। ଫଳରେ ସ୍ନାନନୀତି ବି ଭକ୍ତ ଦେଖିପାରିନାହାନ୍ତି।